‘ଦି ଆଇ’ ଉପରେ ଶ୍ରୁତିଙ୍କ ଆଖି

ନୂଆବର୍ଷ ୨୦୨୩ ପାଦ ଦେଉ ଦେଉ ପ୍ରଖ୍ୟାତ ତାମିଲ ଅଭିନେତା କମଳା ହାସନ୍‌ ଓ ବଲିଉଡ୍‌ ଅଭିନେତ୍ରୀ ସାରିକା ଠାକୁରଙ୍କ ସୁକନ୍ୟା ଶ୍ରୁତି ହାସନ ବେଶ ଉତ୍ସାହିତ ଥିବା ଜଣାଯାଇଛି। କାରଣ ଏକାଧାରରେ ଜଣେ ଅଭିନେତ୍ରୀ, ମଡେଲ ତାରକା, ଗାୟିକା ଓ ସଂଗୀତକାର ଥିବା ଶ୍ରୁତିଙ୍କର ବର୍ଷ ପ୍ରାରମ୍ଭରେ ଦୁଇ ଦୁଇଟା ସିନେମାର ଶୁଭମୁକ୍ତି ହୋଇଛି। ଖାଲି ସେତିକି ନୁହେଁ, ଗତ ମକର ସଂକ୍ରାନ୍ତି ଅବସରରେ ପ୍ରେକ୍ଷାଳୟମାନଙ୍କରେ ଖେଳିଥିବା ‘ବୀର ସିମହ ରେଡି’ ଓ ‘ଵାଲଟୈର ବୀରାଯ୍ୟ’ ପରି ଦୁଇଟି ଯାକ ସିନେମା ଆଶାତୀତ ଭାବେ ଲୋକପ୍ରିୟ ହୋଇପାରିଛି। ତେଣୁ ବର୍ଷର ବାକି ଦିନଗୁଡ଼ିକଙ୍କ ପାଇଁ ଏହା ସକାରାତ୍ମକ ବାର୍ତ୍ତା ଆଣିଦେଇଛି ବୋଲି ସେ ପୁଲକିତ ହୋଇପଡ଼ିଛନ୍ତି। ତାଙ୍କର ଅନ୍ୟ ଦୁଇଟି ସିନେମା ‘ସଲାର’ ଓ ‘ଦି ଆଇ’ ମଧ୍ୟ ମୁକ୍ତି ଅପେକ୍ଷାରେ ରହିଛି। ପୂର୍ବରୁ ଆମେରିକୀୟ ଟିଭି ଧାରାବାହିକ ‘ଟ୍ରେଡ୍‌ଷ୍ଟୋନ୍‌’ ମାଧ୍ୟମରେ ଆନ୍ତର୍ଜାତିକ ଦର୍ଶକଙ୍କ ପାଖରେ ପହଞ୍ଚି ପାରିଥିବା ଶ୍ରୁତିଙ୍କର ଆଗାମୀ ଫିଲ୍ମ ‘ଦି ଆଇ’ ହେଉଛି ତାଙ୍କର ପ୍ରକୃଷ୍ଟ ଆନ୍ତର୍ଜାତିକ ପ୍ରକଳ୍ପ। ଗତବର୍ଷ ଗ୍ରିସରେ ଫିଲ୍ମଟିର ସୁଟି ସରିଥିବା ବେଳେ ସେଥିରେ ସେ ନିଜ ବାବଦରେ ଅନେକ କିଛି ଆବିଷ୍କାର କରିଥିବା କଥା କହିଛନ୍ତି। ସୂଚନା ଥାଉ କି, ୧୯୯୨ ମସିହାରେ ମାତ୍ର ୬ ବର୍ଷ ବୟସରେ ପ୍ରଥମେ ନିଜ ପିତାଙ୍କ ତାମିଲ ଫିଲ୍ମ ‘ତେବାର ମଗନ’ ପାଇଁ କଣ୍ଠଦାନ କରିଥିବା ଶ୍ରୁତି ମାତ୍ର ୧୧ ବର୍ଷ ବୟସରେ କମଳା ହାସନ୍‌ଙ୍କ ‘ଚାଚି ୪୨୦’ରେ ଶିଶୁ କଳାକାର ଭାବେ ପ୍ରଚ୍ଛଦପଟ ଗାୟିକା ସାଜିଥିଲେ।

ଚେନ୍ନାଇରେ ମନସ୍ତତ୍ତ୍ବ ବିଜ୍ଞାନରେ ସ୍ନାତକ ସାରି ସେ ସଂଗୀତ ଶିକ୍ଷା ପାଇଁ କାଲିଫର୍ଣ୍ଣିଆ ଯାଇଥିଲେ। ସେଠାରୁ ଫେରି ସେ ସଂଗୀତରେ ମନୋନିବେଶ କରିବା ସହ ଅଭିନୟରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। କମଳା ହାସନ୍‌ଙ୍କ ‘ହେ ରାମ’ ପାଇଁ ଗୀତ ଗାଇବା ସହିତ ସେ ଜଣେ ଅତିଥି କଳାକାର ଭାବେ ମଧ୍ୟ ଦେଖାଦେଇଥିଲେ ଯାହାକୁ ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ। ଏହାର ବହୁ ଦିନ ପରେ କୁଚିପୁଡ଼ି ନୃତ୍ୟ ପ୍ରଶିକ୍ଷିତା ଶ୍ରୁତି ୨୦୦୮ରେ ଲୋକପ୍ରିୟ ଦକ୍ଷିଣୀ ଅଭିନେତା ମାଧବନ୍‌ ଅଭିନୀତ ‘ଏନ୍ଦ୍ରେନ୍ଦ୍ରମ୍‌ ପୁନ୍ନାଗାଇ’ରେ ନାୟିକା ଭାବେ ପ୍ରଥମେ ପଦାର୍ପଣ କରିଥିଲେ। ସେହିପରି ୨୦୧୧ରେ ତେଲୁଗୁ ଚଳଚ୍ଚିତ୍ର ‘ଅନଗନାଗ ଓ ଧୀରୁଡୁ’ରେ ପ୍ରଥମେ ଅଭିନୟ କରିଥିଲେ ଯାହା କି ତାଙ୍କୁ ଅନେକ ଦର୍ଶକୀୟ ସ୍ବୀକୃତି ଆଣିଦେଇଥିଲା।

ଏହାପରେ ସେ ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ପଚାଶରୁ ଅଧିକ ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ନିଜର କଳାଚାତୁରୀ ଦେଖାଇ ଆସିଛନ୍ତି। ଜଣେ କଣ୍ଠଶିଳ୍ପୀ ଭାବେ କଳାକାର ଜୀବନ ଆରମ୍ଭ କରିଥିବା ଶ୍ରୁତି ପରେ ଜଣେ ସଂଗୀତକାର ଓ ପୋଖତ ଅଭିନେତ୍ରୀ ମଧ୍ୟ ପାଲଟିଗଲେ। ୧୪ ବର୍ଷ ତଳେ ହିନ୍ଦୀ ଫିଲ୍ମ ‘ଲକ୍‌’ ମାଧ୍ୟମରେ ବଲିଉଡ୍‌କୁ ପ୍ରବେଶ କରିଥିବା ଶ୍ରୁତି ଉଭୟ କ୍ଷେତ୍ରରେ ବେଶ ପରିଚିତ ହୋଇ ପାରିଛନ୍ତି। ଆଗାମୀ ଫିଲ୍ମ ‘ଦି ଆଇ’ ତାଙ୍କ ପାଇଁ ଶୁଭଦୃଷ୍ଟି ଆଣୁଛି ନା ନାଇଁ ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର