କାରାଗାରରୁ ଖସି ପଳାଇଯିବା (ଜେଲ୍ ବ୍ରେକ୍)ର ରୋମାଞ୍ଚକର ପ୍ରେକ୍ଷାପଟକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି। ୧୯୯୪ର ‘ସୋସାଙ୍କ୍ ରିଡମ୍ପସନ୍’ ସେହି ବର୍ଗର ଏକ ସିନେମା, ଯାହାକୁ ଅନେକ ସିନେପ୍ରେମୀ ସର୍ବକାଳୀନ ଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି କହିଥାନ୍ତି। କିଛି ମାସ ତଳେ ଏକ ‘ଜେଲ୍ ବ୍ରେକ୍’ କାହାଣୀକୁ ନେଇ ମୁକ୍ତିଲାଭ କରିଥିଲା ‘ସାଭି’ ନାମକ ବଲିଉଡ୍ ସିନେମା। ତେଣୁ ସମାନ ଲାଗୁଥିବା କାହାଣୀକୁ ନେଇ ପୁଣି ଏକ ବଲିଉଡ୍ ସିନେମା କାହିଁକି? ‘ଜିଗରା’ ଦେଖିବା ବେଳେ ଏ ପ୍ରଶ୍ନର ଉତ୍ତର ଆପେ ଆପେ ମିଳିଯାଇଥାଏ- କାହାଣୀରେ ନୂଆପଣ ନ ଥିଲେ ବି ତାକୁ କିଏ କହୁଛି ଓ କିଭଳି ଢଙ୍ଗରେ କହୁଛି ତାହା ଅଧିକ ଗୁରୁତ୍ବପୂର୍ଣ୍ଣ। ଭରପୂର ରୋମାଞ୍ଚ ଓ ଆକ୍ସନ୍ ଆଶା କରୁଥିବା ଦର୍ଶକଙ୍କୁ ‘ଜିଗରା’ ନିରାଶ କରିବା ପ୍ରାୟ ସୁନିିଶ୍ଚିତ, କିନ୍ତୁ ଗଭୀର ସମ୍ପର୍କର ଏକ ସରଳ କାହାଣୀକୁ ଧୀର ବେଗରେ ଓ ହୃଦୟସ୍ପର୍ଶୀ ଢଙ୍ଗରେ ଉପଭୋଗ କରିବାକୁ ଚାହୁଥିବା ଦର୍ଶକଙ୍କ ଆଖିରେ ନିର୍ଦେଶକ ବାସନା ବାଲା ଓ ତାଙ୍କ ଅଭିନେତାମାନେ ଲୁହ ଆଣିଦେବାର ସମ୍ଭାବନା ରହିଛି।
ଏହି ସିନେମାର ଟ୍ରେଲର୍ରୁ କାହାଣୀ ସମ୍ପର୍କରେ ଧାରଣା ମିଳିବା ସହଜ। ଅନାଥ ଭଉଣୀଟିଏ ନିଜ ସାନ ଭାଇକୁ ରକ୍ଷା କରିବା ପାଇଁ ଜେଲ୍ ଭାଙ୍ଗିବାର ଅସମ୍ଭବପ୍ରାୟ ଯୋଜନା କରୁଛି। ଏଥିରେ ବଡ଼ ଭଉଣୀ ‘ସତ୍ୟ’ ଭୂମିକାରେ ଆଲିଆ ଭଟ୍ଟ ଅଭିନୟ କରିଥିବା ବେଳେ ତାଙ୍କ ସାନ ଭାଇ ‘ଅଙ୍କୁର’ ଭୂମିକାରେ ବେଦାଙ୍ଗ ରୈନା ଅଭିନୟ କରିଛନ୍ତି। ରକ୍ଷାବନ୍ଧନର ପାରମ୍ପରିକ ଧାରଣାକୁ ଓଲଟାଇଦେଇ ନିର୍ଦେଶକ ବାସନ ବାଲା ଏଥିରେ ଭଉଣୀକୁ ଭାଇର ରକ୍ଷାକର୍ତ୍ତା ଭାବେ ପ୍ରଦର୍ଶିତ କରିଛନ୍ତି। ଆରମ୍ଭରେ ସତ୍ୟ ନିଜ ଭାଇର ସୁରକ୍ଷାକୁ ନେଇ ଏତେ ରକ୍ଷଣଶୀଳ ଯେ ତାହା ତା’ ମାନସିକ ଅବସ୍ଥା ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ତେବେ ଚଳଚ୍ଚିତ୍ର ସାରା ବିଚ୍ଛୁରିତ ଦୁହିଁଙ୍କ ବାଲ୍ୟକାଳର ଦୃଶ୍ୟଗୁଡ଼ିକ ଧୀରେ ଧୀରେ ସ୍ପଷ୍ଟ କରିଦିଏ ଯେ ଭଉଣୀ ଚରିତ୍ର ଭାଇକୁ ନେଇ ଅତୀବ ଯତ୍ନଶୀଳ କାହିଁକି। ଭାଇଭଉଣୀ ପିଲାବେଳେ ନିଜ ଆଖି ସାମ୍ନାରେ ସେମାନଙ୍କ ବାପା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବାର ଦେଖିଥିଲେ। ତେଣୁ ସେମାନଙ୍କ ମାନସିକ ଅବସ୍ଥା ସ୍ବାଭାବିକ ସ୍ତରର ରହିବ ବୋଲି ଆଶା କରିବା ଭୁଲ୍ ହେବ।
‘ହାଂସି ଦାଓ’ ନାମକ ଏକ କାଳ୍ପନିକ ଦେଶରେ ଏକ ମିଛ ମାମଲାରେ ଅଙ୍କୁରକୁ ମୃତ୍ୟୁ ଦଣ୍ଡ ମିଳିବା ପରେ ସତ୍ୟ ତାକୁ ଉଦ୍ଧାର କରିବାକୁ ଯାଉଛି ଏବଂ ସେଠାର ଆଉ ଅନ୍ୟ ଦୁଇଜଣଙ୍କ ସହ ମିଶି ଜେଲ୍ରୁ ନିଜ ଭାଇକୁ ମୁକୁଳାଇବା ପାଇଁ ସାହସିକତା, ଆଇନ ଓ ନୈତିକତାର ସୀମା ଲଂଘନ କରୁଛି। ଏହି ପ୍ରକ୍ରିୟାରେ ଆଲିଆଙ୍କ ପ୍ରଶଂସନୀୟ କ୍ୟାରିଅର୍ରେ ଆକ୍ସନ୍ର ଦକ୍ଷତା ମଧ୍ୟ ଯୋଡ଼ି ହୋଇଯାଇଛି। ବେଦାଙ୍ଗ ତାଙ୍କ ଦ୍ବିତୀୟ ଚଳଚ୍ଚିତ୍ରରେ ନିଜର ଅଭିନୟ ଓ କଣ୍ଠଦାନ କ୍ଷମତାକୁ ଖୁବ୍ ଭଲଭାବେ ଉପସ୍ଥାପନ କରିଛନ୍ତି। ମଝିରେ କିଛି ବେଖାପ ଦୃଶ୍ୟକୁ ଛାଡ଼ିଦେଲେ ପ୍ରାୟ ସିନେମାସାରା ଉଦ୍ବେଗ ଓ ରୋମାଞ୍ଚ ସ୍ତରରେ ସୁସଙ୍ଗତି ବଜାୟ ରହିଛି। ସିନେମାର ଚିତ୍ରନାଟ୍ୟରେ ଚୀନୀୟ ସଂସ୍କୃତିର ଉପଯୋଗ ମଧ୍ୟ ପ୍ରଶଂସଯୋଗ୍ୟ। କିଶୋର କୁମାର ଓ ଲତା ମଙ୍ଗେସକରଙ୍କ ସ୍ବରରେ ସ୍ମରଣୀୟ ହୋଇରହିଥିବା ପୁରୁଣା ଗୀତି ‘ଫୁଲୋଁ କା ତାରୋଁ କା’କୁ ନୂଆ ଢଙ୍ଗରେ ଉପସ୍ଥାପନ କରିବାର ଦୁଃସାହସକୁ ଗ୍ରହଣ କରିପାରିଲେ ‘ଜିଗରା’ର ଅନ୍ୟାନ୍ୟ ଗୀତ ଓ ପ୍ରଚ୍ଛଦ ସଂଗୀତ ଉପଭୋଗ କରିବା ସହଜ ହୋଇଯାଏ। ରକ୍ତ ସମ୍ପର୍କର ଅଙ୍ଗୀକାରକୁ ସ୍ମରଣ ଓ ସୁଦୃଢ଼ କରିବା ଲାଗି ପରିବାର ସହିତ ‘ଜିଗରା’ ନିଶ୍ଚିତ ରୂପେ ଦେଖାଯାଇପାରେ।