ଏବେ ଓଲିଉଡ୍‌କୁ ଆସୁଛି ସିକ୍ବେଲ୍‌ର ଜମାନା। ଆଗରୁ କେତେକ ଓଡ଼ିଆ ସିନେମାର ଦ୍ବିତୀୟ ଭାଗ ପରଦାକୁ ଆସି ସାରିଥିବା ବେଳେ ବର୍ତ୍ତମାନ ବେଶ୍ କେତୋଟି ଓଡ଼ିଆ ଛବିର ସିକ୍ବେଲ୍ ନିର୍ମାଣ ଆରମ୍ଭ ହୋଇଛି।

Advertisment

ଏବେ ଓଲିଉଡ୍‌କୁ ଆସୁଛି ସିକ୍ବେଲ୍‌ର ଜମାନା। ଆଗରୁ କେତେକ ଓଡ଼ିଆ ସିନେମାର ଦ୍ବିତୀୟ ଭାଗ ପରଦାକୁ ଆସି ସାରିଥିବା ବେଳେ ବର୍ତ୍ତମାନ ବେଶ୍ କେତୋଟି ଓଡ଼ିଆ ଛବିର ସିକ୍ବେଲ୍ ନିର୍ମାଣ ଆରମ୍ଭ ହୋଇଛି।

ବଲିଉଡ୍‌ରେ ଲୋକପ୍ରିୟ ଚଳଚ୍ଚିତ୍ରର ସିକ୍ବେଲ୍ ବା ପରବର୍ତ୍ତୀ ଭାଗ ନିର୍ମାଣ ହେବାର ଧାରା ବହୁ ପୁରୁଣା। ଏଥିରୁ ଅନେକ ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଛି ତ ଆଉ କେତେକ ପ୍ରତ୍ୟାଖ୍ୟାତ। ଓଡ଼ିଆ ସିନେଶିଳ୍ପରେ ହାତଗଣତି ସିନେମାର ସି‌େକ୍ବଲ୍ ବା ଦ୍ବିତୀୟ ଭାଗ ପ୍ରସ୍ତୁତ ହୋଇଛି। ଓଡ଼ିଆ ଛବି ‘ସମ୍‌ଥିଙ୍ଗ୍ ସମ୍‌ଥିଙ୍ଗ୍‌’ (୨୦୧୨)ର ପରବର୍ତ୍ତୀ ଭାଗ ‘ସମ୍‌ଥିଙ୍ଗ୍ ସମ୍‌ଥିଙ୍ଗ୍‌ ୨’ (୨୦୧୪), ‘ଗୋଲାପି ଗୋଲାପି’(୨୦୧୪)ର ପରବର୍ତ୍ତୀ ଭାଗ ‘ଲାଗିଲା ରଙ୍ଗ ଗୋଲାପି ଗୋଲାପି’ (୨୦୨୩), ‘ଶଲାବୁଢ଼ା’ (୨୦୧୨)ର ପରବର୍ତ୍ତୀ ଭାଗ ‘ଶଲାବୁଢ଼ାର ବଦଲା’ (୨୦୨୦) ଓ ‘ତୁ ମୋ ଲଭ୍‌ଷ୍ଟୋରି’ (୨୦୧୭)ର ଅନ୍ୟ ଏକ ଭାଗ ‘ତୁ ମୋ ଲଭ୍‌ଷ୍ଟୋରି ୨’ (୨୦୧୯) ଆଦି ମୁକ୍ତିଲାଭ କରିସାରିଛି। ବର୍ତ୍ତମାନ ଆଉ କେତେଟି ଛବିର ପରବର୍ତ୍ତୀ ଭାଗ ନିର୍ମାଣ ଚାଲିଛି।
ସଂପ୍ରତି ମୁକ୍ତିଲାଭ ପ୍ରତୀକ୍ଷାରେ ରହିଛି ୨୦୦୪ର ବ୍ଲକ୍‌ବଷ୍ଟର୍‌ ଓଡ଼ିଆ ଛବି ‘ଆଇ ଲଭ୍ ୟୁ’ର ପାର୍ଟ ୨ କୁହାଯାଉଥିବା ‘ଆଇ ଲଭ୍ ୟୁ-୨’। ସଞ୍ଜୟ ନାୟକ (ଟୁଟୁ)ଙ୍କ ପ୍ରଯୋଜିତ ‘ଆଇ ଲଭ୍ ୟୁ-୨’ ଆଗାମୀ ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ କିନ୍ତୁ ‘ଆଇ ଲଭ୍ ୟୁ’ର ସୁପରହିଟ୍ ଯୋଡ଼ି ଅନୁଭବ-ନମ୍ରତାଙ୍କ ବଦଳରେ ନବାଗତ ନାୟକ ଆଦିତ୍ୟ ମହାପାତ୍ର ଓ ନାୟିକା ଅପ୍‌ସରା ରାଣୀଙ୍କ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇବେ। ଏହାଛଡ଼ା ସୁନୀଲ କୁମାର, ମିତାଲି ସରଘରିଆ, ବବି ମିଶ୍ର ଓ ସନ୍ତୁ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସୁଧାଂଶୁମୋହନ ସାହୁ ଏହାର ନିର୍ଦ୍ଦେଶକ। ସଞ୍ଜୟ ନାୟକ ଏହାର କାହାଣୀକାର ହୋଇଥିବା ବେଳେ ଏହି ସିନେମାର ସଂଳାପ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା। ପ୍ରେମ ଆନନ୍ଦ ଏହାର ସଙ୍ଗୀତକାର।

ଏଣେ ତାପସ ସରଘରିଆଙ୍କ ନି‌ର୍ଦ୍ଦେଶିତ ‘ବାବୁ ଭାଇଜାନ୍’(୨୦୧୯)ର ସିକ୍ବେଲ୍ ‘ବାବୁ ଭାଇଜାନ୍ ୨’ର କାମ ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାଶ ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କାମ ଶେ‌ଷ କରିସାରିଛନ୍ତି। ଏଥର ମଳୟ ମିଶ୍ରଙ୍କ ପରିବର୍ତ୍ତେ ପ୍ରେମ ଆନନ୍ଦଙ୍କୁ ସଙ୍ଗୀତ ନି‌ର୍ଦ୍ଦେଶନାର ଦାୟିତ୍ବ ଦିଆଯାଇଛି। ପ୍ରଯୋଜନା ସଂସ୍ଥାର ସୂଚନା ଅନୁଯାୟୀ, ଏହାର ଦୁଇଟି ଗୀତ ପ୍ରସ୍ତୁତ ହୋଇସାରିଛି। ଏଥିରେ ପୁଣି ଅରିନ୍ଦମ ଓ ଶିବାନୀ ନାୟକନାୟିକା ଭୂମିକାରେ ଅଭିନୟ କରିବେ। ତେଣେ ଚଳିତ ବର୍ଷର ଅନ୍ୟତମ ଚର୍ଚ୍ଚିତ ଓଡ଼ିଆ ଛବି ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତି, ଦେବାନନ୍ଦ ଓ ସୁପ୍ରିୟା ଅଭିନୀତ ‘ବିଗୁଲ୍’ର ସିକ୍ବେଲ୍ ‘ବିଗୁଲ୍୨’ର କାମ ମଧ୍ୟ ଆରମ୍ଭ ହୋଇଯାଇଛି। ଏହାର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତି ଚାଲିଛି। ଗତବର୍ଷ ଦଶହରାରେ ମୁକ୍ତିଲାଭ କରିଥିବା ପ୍ରଯୋଜକ ପ୍ରୀତମ୍ ସାହୁ ତାଙ୍କ ସିନେମା ‘କଟକ ଶେଷରୁ ଆରମ୍ଭ’ର ପରବର୍ତ୍ତୀ ଭାଗ ‘କଟକ ଶେଷରୁ ଆରମ୍ଭ ୨’ର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏଥର ସୁଧାଂଶୁମୋହନ ସାହୁଙ୍କ ବଦଳରେ ରାଜେନ୍ଦ୍ର ମହାନ୍ତ ଏହାର ନି‌ର୍ଦ୍ଦେଶନା ଦେବେ। ଠିକ୍ ସେହିପରି ସୁଧାକର ବସନ୍ତଙ୍କ ମୁକ୍ତି ପ୍ରତୀକ୍ଷିତ ‘ସଲାମ୍ ଭୁବନେଶ୍ବର’ର ପରବର୍ତ୍ତୀ ଭାଗ ରିଲିଜ୍ ହେବ। ଏଥିରେ ପୁଣି ରାଜବୀରଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିବ। ୨୦୨୩ ଦଶହରାରେ ମୁକ୍ତିଲାଭ କରିଥିବା ପୃଥ୍ବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ବାବୁସାନ୍, ଅମ୍ଳାନ, ଶିବାନୀ ଓ ସୂର୍ଯ୍ୟମୟୀ ଅଭିନୀତ ‘ମାଲ୍ୟଗିରି’ର ସିକ୍ବେଲ୍‌ ବି ନିର୍ମିତ ହେବ। ଏଣେ ନିର୍ଦ୍ଦେଶକ ରମେଶ ରାଉତ ବି ତାଙ୍କର ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କ ଅଭିନୀତ ‘ଗଡ୍‌ଫାଦର୍‌’(୨୦୧୭)ର ସିକ୍ବେଲ୍ ‘ଗଡ୍‌ଫାଦର୍‌ ୨’ ନିର୍ମାଣ କରୁଥିବା ଜଣାଯାଇଛି। ଏହାର କାହାଣୀ ପ୍ରସ୍ତୁତ ହୋଇସାରିଛି। ଏଥିରେ ବିମୁଗ୍ଧ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେବେ ବୋଲି ଜଣାପଡ଼ିଛି। ‘ଗଡ୍‌ଫାଦର୍‌ ୨’ରେ ପୁଣି ସିଦ୍ଧାନ୍ତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ନି‌ର୍ଦ୍ଦେଶକ ଜ୍ୟୋତି ଦାସଙ୍କ ‘ଗୁଡ୍‌ବଏ ୨’ ବି ପାଇପ୍‌ଲାଇନ୍‌ରେ ରହିଛି। ଏହା ବି ଖୁବ୍‌ ଶୀଘ୍ର ଫ୍ଲୋର୍‌କୁ ଆସିପାରେ।