ଭୁବନେଶ୍ବର: ଜଣାଶୁଣା ନାୟକ ଅରିନ୍ଦମ ଦୀର୍ଘ ୧୪ ବର୍ଷର କ୍ୟାରିଅର ମଧ୍ୟରେ ବେଶ୍ କେତେକ ଓଡ଼ିଆ ଛବିରେ ନଜର ଆସିଛନ୍ତି। ଅପରପକ୍ଷରେ ଓଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦୀର୍ଘ ୨୮ବର୍ଷର କ୍ୟାରିଅର ଭିତରେ ବହୁ ସିନେମାରେ ନାୟକ, ଖଳନାୟକ ଓ ଚରିତ୍ରରେ ଅଭିନୟ କରିଛନ୍ତି। ତେବେ ଆପଣ ଜାଣନ୍ତି କି ଏ ଦୁଇ ଲୋକପ୍ରିୟ ଅଭିନେତା ଏଯାବତ୍ ମାତ୍ର ପାଞ୍ଚଟି ସିନେମାରେ ଏକାଠି ଅଭିନୟ କରିଛନ୍ତି।
ସିଦ୍ଧାନ୍ତ ଓ ଅରିନ୍ଦମଙ୍କୁ ସର୍ବପ୍ରଥମେ ଏକାଠି ଆଣିଥିଲେ ପ୍ରଯୋଜକ ବସନ୍ତ ନାୟକ। ବ୍ରଜରାଜ ମୁଭିଜର ଓଡ଼ିଆ ଛବି ‘ପ୍ରେମ ଋତୁ ଆସିଲାରେ’ରେ ଏ ଦୁଇ ତାରକା ପ୍ରଥମ ଥର ଏକାଠି ହୋଇଥିଲେ। ଏଥିରେ ଉଭୟ ନାୟକ ଭୂମିକାରେ ନଜର ଆସିଥିଲେ। ଏଥିରେ ନମ୍ରତା ଥିଲେ ଅରିନ୍ଦମଙ୍କ ନାୟିକା। ଅନୁ ଚୌଧୁରୀ ଥିଲେ ସିଦ୍ଧାନ୍ତଙ୍କ ନାୟିକା।
ଏ ଦୁଇ ନାମୀ କଳାକାରଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଥିଲା ସୁଧାଂଶୁ ସାହୁଙ୍କ ନିର୍ଦେଶିତ ‘ମୁଁ ତତେ ଲଭ୍ କରୁଚି’ରେ। ଏଥିରେ ଉଭୟ ସିଦ୍ଧାନ୍ତ ଏବଂ ଅରିନ୍ଦମ ନଜର ଆସିଥିଲେ ଦୁଇ ସାଙ୍ଗ ଭୂମିକାରେ। ଏହି ଫିଲ୍ମରେ ଉଭୟଙ୍କ ଅପୋଜିଟ୍ରେ ଦେଖାଦେଇଥିଲେ ନମ୍ରତା।
ଏହାଛଡ଼ା ସିଦ୍ଧାନ୍ତ ଏବଂ ଅରିନ୍ଦମ ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ ତୋ’ ପାଇଁ ନେବି ମୁଁ ଶହେ ଜନମ’, ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ‘କାଳୀଶଙ୍କର’, ଅଶୋକ ପତିଙ୍କ ନିର୍ଦେଶିତ ‘ମୁଁ ତତେ ଲଭ୍ କରୁଚି’ ଏବଂ ସୁଧାଂଶୁ ସାହୁଙ୍କ ନିର୍ଦେଶିତ ‘ପର୍ଶୁରାମ’ ଆଦି ସିନେମାରେ ଏକାଠି କାମ କରିଛନ୍ତି। ‘ପର୍ଶୁରାମ’ ପରେ ଉଭୟଙ୍କୁ ଅନ୍ୟ କୌଣସି ସିନେମାରେ ଏକାଠି ଦେଖିବାକୁ ମିଳିନାହିଁ।