ଭୁବନେଶ୍ବର: ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଦୀର୍ଘ ୩୦ ବର୍ଷର କ୍ୟାରିଅର ଭିତରେ ବହୁ ସିନେମାରେ ନାୟକ, ଖଳନାୟକ ଓ ଚରିତ୍ରରେ ଅଭିନୟ କରିଛନ୍ତି। ଅପରପକ୍ଷରେ ବାବୁସାନ୍ ମଧ୍ୟ ଦୀର୍ଘ ୧୩ ବର୍ଷର କ୍ୟାରିଅର ମଧ୍ୟରେ ନାୟକ ଭାବେ ବେଶ୍ କେତେକ ଓଡ଼ିଆ ଛବିରେ ନଜର ଆସିଛନ୍ତି। ତେବେ ଆପଣ ଜାଣନ୍ତି କି ଏ ଦୁଇ ଲୋକପ୍ରିୟ ଅଭିନେତା ଏଯାବତ୍ ମାତ୍ର ତିନିଟି ସିନେମାରେ ଏକାଠି ଅଭିନୟ କରିଛନ୍ତି।
ସିଦ୍ଧାନ୍ତ ଓ ବାବୁସାନଙ୍କୁ ସର୍ବପ୍ରଥମେ ଏକାଠି ଆଣିଥିଲେ ପ୍ରଯୋଜକ ସୀତାରାମ ଅଗ୍ରଓ୍ବାଲ୍। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାର ଟାଇଟଲ୍ ହେଲା ‘ଆଖିରେ ଆଖିରେ’। ଏଥିରେ ବାବୁସାନଙ୍କ ନାୟିକା ବନିଥିଲେ ଝିଲିକ୍। ଏହି ସିନେମାରେ ଝିଲିକଙ୍କ ଭାଇ ଭୂମିକାରେ ନଜର ଆସିଥିଲେ ସିଦ୍ଧାନ୍ତ। ‘ଆଖିରେ ଆଖିରେ’ର ସଙ୍ଗୀତକାର ଥିଲେ ମଳୟ ମିଶ୍ର। ସିଦ୍ଧାନ୍ତ ଓ ବାବୁସାନଙ୍କୁ ନେଇ ନିର୍ମିତ ଏହି ସିନେମାର ସଙ୍ଗୀତକାର ହେଲେ ମଳୟ ମିଶ୍ର। ଫିଲ୍ମଟି ସୁପରହିଟ୍ ହୋଇଥିଲା।
ବ୍ରଜରାଜ ମୁଭିଜର ଓଡ଼ିଆ ଛବି ‘୧୪୩-ଆଇ ଲଭ୍ ୟୁ’ରେ ଏ ଦୁଇ ତାରକା ଦ୍ବିତୀୟ ଥର ଏକାଠି ହୋଇଥିଲେ। ଏଥିରେ ଉଭୟ ନାୟକ ଭୂମିକାରେ ନଜର ଆସିଥିଲେ। ଏଥିରେ ନମ୍ରତା ଥିଲେ ସିଦ୍ଧାନ୍ତଙ୍କ ନାୟିକା। ଅପରପକ୍ଷରେ ବାବୁସାନଙ୍କ ସହ ନାୟିକା ଭୂମିକା ନିଭାଇଥିଲେ କୋଏଲ୍ ବାନାର୍ଜୀ। ଅଶୋକ ପତି ଏହାର ନିର୍ଦ୍ଦେଶକ ଏବଂ ସଙ୍ଗୀତକାର ହେଲେ ଗୁଡଲି ରଥ।
ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘ପ୍ରେମମ୍’ରେ ବି ନଜର ଆସିଥିଲେ ସିଦ୍ଧାନ୍ତ ଓ ବାବୁସାନ୍। ତାପସ ସରଘରିଆ ଏହାର ନିର୍ଦ୍ଦେଶକ।
ଏହାପରେ ଉଭୟଙ୍କୁ ଅନ୍ୟ କୌଣସି ସିନେମାରେ ଏଯାବତ୍ ଏକାଠି ଦେଖିବାକୁ ମିଳିନାହିଁ।