ଏହି ସୁଯୋଗର ସଠିକ୍ ବିନିଯୋଗ କରିପାରିନଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର !

ଭୁବନେଶ୍ବର: ଓଡ଼ିଆ ସିନେଜଗତର କେତେକ ଲୋକପ୍ରିୟ ଅଭିନେତା ଗୌର ଘୋଷ, ଗୋପାଳ ଘୋଷ, ବ୍ୟୋମକେଶ ତ୍ରିପାଠୀ, ଅକ୍ଷୟ ମହାନ୍ତି (କାଶ୍ୟପ) ,ଗୋବିନ୍ଦ ତେଜ୍‌, ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ମହମ୍ମଦ ମହସୀନ, ରାଧା ପଣ୍ଡା, ହର ପଟ୍ଟନାୟକ, ରାଜୀବ ମହାନ୍ତି ଏବଂ ଶ୍ରୀତମ ଦାସ ଆଦି ନିର୍ଦ୍ଦେଶକ ବି ହୋଇଛନ୍ତି। ଏଯାଏଁ ଆଉ କେତେକଙ୍କୁ ସେହି ସୁଯୋଗ ମିଳିନାହିଁ । ଯେଉଁ ନାମୀ ଅଭିନେତା ଏଯାବତ୍  ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିପାରିନାହାନ୍ତ ସେମାନଙ୍କ ଭିତରୁ ଜଣେ ହେଲେ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଥରେ ତାଙ୍କୁ ସେହି ସୁଯୋଗ ମିଳିଥିଲା ମାତ୍ର ,ସେଥିରେ ସଂପୂର୍ଣ୍ଣ ମନୋନିବେଶ କରିପାରି ନଥିଲେ ସେ।

ସିଦ୍ଧାନ୍ତ ପଙ୍କଜ ପାଣିଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା  ‘ଶ୍ରଦ୍ଧାଞ୍ଜଳି’ ଜରିଆରେ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ। ଏହି ଓଡ଼ିଆ ଛବିରେ ସେ ନାୟକ ଭୂମିକାରେ ଅଭିନୟ କରିଥିଲେ। ‘ଶ୍ରଦ୍ଧାଞ୍ଜଳି’ ପରେ ସିଦ୍ଧାନ୍ତ ତିରୁମାଳା ପିକ୍ଚର୍ସର ‘ପଥର ଖସୁଚି ବଡ଼ ଦେଉଳୁ’ରେ ନାୟକ ଭୂମିକା କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ବିଖ୍ୟାତ ଚିତ୍ରଉତ୍ତୋଳନକାରୀ ତଥା ନିର୍ଦ୍ଦେଶକ ରାଜୁ ମିଶ୍ର।ଏହାପରେ ସିଦ୍ଧାନ୍ତ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଇତିମଧ୍ୟରେ ଓଲିଉଡରେ ପ୍ରାୟ୨୭ ବର୍ଷ ବିତାଇ ସାରିଲେଣି। ଏହି ସମୟ ମଧ୍ୟରେ ସିଦ୍ଧାନ୍ତ ବହୁ ଓଡ଼ିଆ ସିନେମାରେ ନାୟକ, ଖଳନାୟକ ଓ ଚରିତ୍ର ଅଭିନେତା ଭାବେ ଅଭିନୟ କରି ସାରିଲେଣି।

ସିଦ୍ଧାନ୍ତ ଗୋଟିଏ ସିନେମାର କାର୍ଯ୍ୟକାରୀ ପ୍ରଯୋଜକ ବି ବନିଥିଲେ। ହଁ, ସେ ସନକ ଦେବତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପୁଅ ମୋର ଜଗତଜିତା’ ରେ ପରଦା ପଛରେ ରହି ପ୍ରଯୋଜନା ସମ୍ଭାଳିଥିଲେ। ଅବଶ୍ୟ ଏଥିରେ ସିଦ୍ଧାନ୍ତ ନାୟକ ଭାବେ ବି ପରଦା ଉପରକୁ ଆସିଥିଲେ।ସିଦ୍ଧାନ୍ତ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ପ୍ରବେଶ କରି ସାଇ ସିଦ୍ଧାନ୍ତ ମ୍ୟୁଜିକ୍ ନାଆଁରେ ଏକ ମ୍ୟୁଜିକ୍ କଂପାନି କରି କେତୋଟି ଆଲବମ୍ ବି ରିଲିଜ୍ କରିଥିଲେ।

ତେବେ ଆପଣ ଜାଣନ୍ତି କି ସିଦ୍ଧାନ୍ତଙ୍କ ଏକ ସ୍ୱପ୍ନ ଏଯାଏଁ ଅଧୁରା ରହିଯାଇଛି। କିଛି ବର୍ଷ ତଳେ ସିଦ୍ଧାନ୍ତ ମହାପାତ୍ର ନିର୍ଦ୍ଦେଶକ ହେବା ଲାଗି ଅଣ୍ଟା ଭିଡ଼ିଥିଲେ। ଏହି ଚଳଚ୍ଚିତ୍ରର ଶୀର୍ଷକ ବି ସ୍ଥିରୀକୃତ ହୋଇଥିଲା। ଏହି ସିନେମାର ଶୀର୍ଷକ ରହିଥିଲା ‘କାହାର କେତେ ଦମ୍‌’।  ‘ଆରେ ସାଥୀ ଆ’ ଭଳି ଓଡ଼ିଆ ଛବିର ନିର୍ମାଣ କରିଥିବା ପ୍ରଯୋଜକ ରାଜେଶ ମଲ୍ଲିକ ଏବଂ ଅମର ମହାନ୍ତି ଏହି ସିନେମାର ପ୍ରଯୋଜନା କରିବାକୁ ଆଗେଇ ଆସିଥିଲେ।।  ‘ଆରେ ସାଥୀ ଆ’ପରେ ପ୍ରଯୋଜକ ରାଜେଶ ମଲ୍ଲିକ ‘ଅ ଆ ହର୍ଷେଇ’ ସିନେମା ବି ପ୍ରଯୋଜନା କରିଥିଲେ ,କିନ୍ତୁ ଏହାର ନିର୍ଦ୍ଦେଶନା ଦେଇଥିଲେ ଏନ୍ ପାଢ଼ୀ।

‘କାହାର କେତେ ଦମ୍‌’ର ସ୍କ୍ରିପ୍ଟ କାମ ବି ସରିଥିଲା। ଖାଲି ସେତିକି ନୁହେଁ  ଏହି ସିନେମା ପାଇଁ କିଛି ନୂଆ କଳାକାରଙ୍କ ଅଡିସନ୍‌ ବି ନିଆଯାଇଥିଲା। କିନ୍ତୁ ତା’ପରେ ଏହାର ନିର୍ମାଣ କାର୍ଯ୍ୟ ଆଗେଇ ପାରି ନଥିଲା। ସତ କହିବାକୁ ଗଲେ ‘କାହାର କେତେ ଦମ୍‌’ର ସୁଟିଂ ଆରମ୍ଭ ହୋଇ ନଥିଲା। ଏହାପରେ ସିଦ୍ଧାନ୍ତ ଅନ୍ୟ କୌଣସି ସିନେମାର ନିର୍ଦ୍ଦେଶନା ଦେବା ଲାଗି ଆଗ୍ରହ ଦେଖାଇ ନାହାନ୍ତି। ସେ ଅଭିନୟ ଏବଂ ରାଜନୀତିରେ ସକ୍ରିୟ ରହିଲେ।

 

 

 

 

 

ସମ୍ବନ୍ଧିତ ଖବର