ଭୁବନେଶ୍ବର: ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ସେ ପ୍ରଶାନ୍ତ ନନ୍ଦ, ଶିଶିର ମିଶ୍ର, ଡି ବିଜୟ ଭାସ୍କର, ମହମ୍ମଦ ମହସୀନ, ରାଜୁ ମିଶ୍ର, ହର ପଟ୍ଟନାୟକ, ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାୟକ ଓ ସଂଗ୍ରାମ ବିଶ୍ବାଳଙ୍କଠରୁ ଆରମ୍ଭ କରି ଏବେକା ପୀଢିର ଅଶୋକ ପତି, ଦିଲୀପ ପଣ୍ଡା, ତାପସ ସରଘରିଆ ଓ ସୁଶାନ୍ତ ମଣିଙ୍କ ପରି ଚର୍ଚ୍ଚିତ ନିର୍ଦ୍ଦେଶକଙ୍କ ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ଏବେ ଜଣେ ନିର୍ଦ୍ଦେଶକ ଓଲିଉଡରେ ସକ୍ରିୟ ଅଛନ୍ତି, ଯାହାଙ୍କ ସହ ସିଦ୍ଧାନ୍ତ ଏଯାଏ କାମ କରିବାର ସୁଯୋଗ ପାଇନାହାନ୍ତି। ଏହି ନିର୍ଦ୍ଦେଶକ ବି ଏଯାଏଁ ସିଦ୍ଧାନ୍ତଙ୍କୁ ନିର୍ଦ୍ଦେଶନା ଦେବାର ସୌଭାଗ୍ୟ ପ୍ରାପ୍ତ କରିନାହାନ୍ତି।
ଏଠାରେ ଯେଉଁ ନିର୍ଦ୍ଦେଶକଙ୍କ କଥା କୁହାଯାଉଛି, ତାଙ୍କ ନାଆଁ ହେଲା ଜ୍ୟୋତି ଦାସ। ସେ ‘ତୋ ବିନା ଭଲ ଲାଗେନା’ ସିନେମାରୁ ସ୍ବାଧୀନ ଭାବେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ଏଥିରେ ସବ୍ୟସାଚୀ ଓ ପୁପିନ୍ଦର ନାୟକ ଭୂମିକାରେ ନଜର ଆସିଥିଲେ। ଏହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି। ଇତିମଧ୍ୟରେ ଜ୍ୟୋତି ଦାସ ଶୁଭବିବାହ, ଗୁଡ୍ ବୟ, ଅଶୋକ ସମ୍ରାଟ, ଇଶ୍କ ପୁଣି ଥରେ ଓ ବିଦ୍ୟାରାଣ ଆଦି ଓଡ଼ିଆ ଛବି ନିର୍ମାଣ କରିଛନ୍ତି। ଏସବୁ ସିନେମାରେ ଜ୍ୟୋତି ଦାସ ବାବୁସାନ୍, ଅରିନ୍ଦମ, ସବ୍ୟସାଚୀ ଓ ଆକାଶଙ୍କ ପରି ନାୟକଙ୍କ ସହ କାମ କରିଛନ୍ତି। କିନ୍ତୁ ଏଥିମଧ୍ୟରୁ କୌଣସି ଗୋଟିକରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିନାହିଁ।