ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ। କିଆରା ଓ ସିଦ୍ଧାର୍ଥଙ୍କ ରାଜକୀୟ ଶୈଳୀରେ ବିବାହ ହେବ। ସେଥିପାଇଁ ଦୁହେଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଜୈସଲମରର ପଞ୍ଚତାରକା ହୋଟେଲ ସୂର୍ଯ୍ୟଗଡ଼ ଦୁର୍ଗରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ହେବ ବୋଲି କୁହାଯାଉଛି।
ଆପଣ ଜାଣିଥିବେ ହୁଏତ ବିବାହ ପରେ କିଆରା ଓ ସିଦ୍ଧାର୍ଥ ମୁମ୍ବାଇରେ ଏକ ଗ୍ରାଣ୍ଡ୍ ପାର୍ଟିର ଆୟୋଜନ କରୁଛନ୍ତି। ଏହି ରିସେପ୍ସନ ପାର୍ଟି ଫେବ୍ରୁଆରି ୧୨ ତାରିଖରେ ହେବ। ସୂଚନା ରହିଛି ଯେ କିଆରା ଓ ସିଦ୍ଧାର୍ଥ ନିଜର ଏହି ଗ୍ରାଣ୍ଡ୍ ପାର୍ଟିରେ ପ୍ରିୟଙ୍କା-ନିକ୍, ଦୀପିକା-ରଣବୀରଙ୍କ ପରି ଷ୍ଟାର କପୁଲଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ନିମନ୍ତ୍ରଣ କରିବେ।
ଏହି ପ୍ରେମୀଯୁଗଳ ଚାହାନ୍ତି ଯେ ସେମାନଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତରେ ସମସ୍ତେ ସାମିଲ୍ ହୋଇ ସେ ଦୁହିଁଙ୍କୁ ଶୁଭେଚ୍ଛା ପ୍ରଦାନ କରନ୍ତୁ। ଗଣମାଧ୍ୟମ ସବୁବେଳେ ଏହି ଯୋଡ଼ିଙ୍କୁ ଭଲପାଇବା ଦେଇଥିବାରୁ ନିଜର ଖୁସିର ମୁହୂର୍ତ୍ତରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାମିଲ୍ କରାଇବାକୁ ଚାହାନ୍ତି କିଆରା ଓ ସିଦ୍ଧାର୍ଥ।
ଉଲ୍ଲେଖଯୋଗ୍ୟ, କିଆରା ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହ ପାଇଁ ସ୍ଥିର ହୋଇଥିବା ସ୍ଥାନ ସୂର୍ଯ୍ୟଗଡ଼ ଦୁର୍ଗରେ ସମୁଦାୟ ୮୩ଟି କୋଠରୀ ରହିଥିବା ବେଳେ ଭଡ଼ା କିନ୍ତୁ ଭିନ୍ନ ଭିନ୍ନ ରହିଛି। ଏଠାକାର ରୁମର ଭଡ଼ା ଦିନକୁ ୧୨ହଜାରରୁ ଆରମ୍ଭ ହୋଇ ଲକ୍ଷଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ଦୁର୍ଗକୁ ଦୁହେଁ ବିବାହ ପାଇଁ ୫ଦିନ ପର୍ଯ୍ୟନ୍ତ ବୁକ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।