ମୁଁଁ ମୋ ପୁଅ ସହ ଯିବାକୁ ଚାହୁଁଥିଲି, କିନ୍ତୁ ସେ ମୋତେ ବିଶ୍ରାମ କରିବାକୁ କହି ସବୁଦିନ ପାଇଁ ଚାଲିଗଲା: ମୁସେୱାଲାଙ୍କ ବାପା

ଚଣ୍ଡୀଗଡ଼: ମୁଁଁ ମୋ ପୁଅ ସହ ଯିବାକୁ ଚାହୁଁଥିଲି, କିନ୍ତୁ ସେ ମୋତେ ବିଶ୍ରାମ କରିବାକୁ କହି ସବୁଦିନ ପାଇଁ ଚାଲିଗଲା। ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିବା ପୁଅ ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ମନେ ପକାଇ ଏଭଳି କହିଛନ୍ତି ତାଙ୍କ ବାପା। ଆଜି ସିଦ୍ଧୁ ମୁସେୱାଲାଙ୍କ ପାଇଁ ତାଙ୍କ ପରିବାର ପକ୍ଷରୁ ଶେଷ ପ୍ରାର୍ଥନା ସଭା ରଖାଯାଇଥିଲା। ଏହି ସଭାରେ ସିଦ୍ଧୁ ମୁସେୱାଲାଙ୍କ ସଂପର୍କୀୟ ଯୋଗ ଦେଇଥିଲେ। ଏହି ସଭାରେ ସିଦ୍ଧୁଙ୍କୁ ମନେ ପକାଇ ତାଙ୍କ ବାପା ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା।

ସେ କହିଥିଲେ ଯେ, ଘଟଣା ଦିନ ମୁଁଁ ମୋ ପୁଅ ସହ ଯିବାକୁ ଚାହୁଁଥିଲି। କିନ୍ତୁ ସେ ମୋତେ ବିଶ୍ରାମ କରିବାକୁ କହି ଘରୁ ବାହାରି ଯାଇଥିଲା। ସବୁଦିନ ପାଇଁ ସେ ଆମକୁ ଛାଡ଼ି ଚାଲିଯିବ ବୋଲି ଆମକୁ ଜଣାନଥିଲା। ମୋ ପୁଅ ବହୁତ ଭଲ ଥିଲା। ସୋସିଆଲ ମିଡିଆରେ ତା’ର ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ କାହାଣୀ ଲେଖାଯାଉଛି। ହତ୍ୟା କରାଯିବା ପଛର ଭିନ୍ନ କାରଣ ବିଷୟରେ ଲେଖାଯାଉଥିବା ଆମେ ଦେଖୁଛୁ। ହେଲେ ଏଭଳି ହେଉ ବୋଲି ଆମେ ଚାହୁଁନାହୁଁ। କିିଛି ନଜାଣି ସୋସିଆଲ ମିଡିଆରେ ଏଭଳି ଖବର ପ୍ରସାରଣ ନକରିବାକୁ ମୁଁ ଅନୁରୋଧ କରୁଛି।

ଏହା ପୂର୍ବରୁ ମୁସେୱାଲାଙ୍କ ପରିବାର ସଦସ୍ୟ ଶାହାଙ୍କୁ ଭେଟି ହତ୍ୟା ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଥିଲେ। ଏହା ସହ ମୁସେୱାଲାଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ମାନସା ଜିଲ୍ଲାସ୍ଥିତ ପୈତୃକ ଗାଁ ମୁସାକୁ ଯାଇ ମୁସେୱାଲାଙ୍କ ପରିବାରର ସଦସ୍ୟମାନଙ୍କ ନିକଟରେ ଶୋକବ୍ୟକ୍ତ କରିଥିଲେ ମାନ୍। ମେ’ ୨୯ରେ ନିଜ ଘରୁ ବାହାରି ସଂପର୍କୀୟଙ୍କ ଘରକୁ ଯାଉଥିବା ବେଳେ ବାଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର