ଚଣ୍ଡୀଗଡ: ପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ଦେହାନ୍ତର ପ୍ରାୟ ୮୦ଦିନ ପରେ ତାଙ୍କ ବାପା ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ମୁସେୱାଲାଙ୍କ ବାପା ବଲକାର ସିଂଙ୍କ ଅନୁଯାୟୀ ତାଙ୍କ ପୁଅର ହତ୍ୟା ପଛରେ ମୁସେୱାଲାଙ୍କର କିଛି ଘନିଷ୍ଠ ବନ୍ଧୁ ଏବଂ ରାଜନେତା ଅଛନ୍ତି। ବଲକାର ସିଂ ଏହା ମଧ୍ୟ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଏହି ଲୋକଙ୍କ ନାମ ଲୋକଙ୍କ ସାମ୍ନାକୁ ଆଣିବେ।
ସୂଚନାଯୋଗ୍ୟ ଯେ, ପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ତଥା କଂଗ୍ରେସ ନେତା ମୁସେୱାଲାଙ୍କୁ ମେ’ ମାସରେ ଗୁଳି କରି ହତ୍ୟା କରାଯାଇଥିଲା। ସେତେବେଳେ ସେ ନିଜ ଗାଡିରେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ତାଙ୍କୁ ଦିଆଯାଇଥିବା ସୁରକ୍ଷା ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ହଟାଇବାର ଗୋଟିଏ ଦିନ ପରେ ମୁସେୱାଲାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ହତ୍ୟା ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ କାନାଡାରେ ରହୁଥିବା ତାଙ୍କ ବନ୍ଧୁ ଗୋଲ୍ଡି ବ୍ରାରର ହାତ ଥିଲା ବୋଲି କୁହାଯାଉଥିବା ବେଳେ ଏବେ ମୁସେୱାଲାଙ୍କ ବାପା ଏକ ବଡ଼ ଦାବି କରିଛନ୍ତି।
ବଲକାର ସିଂ କହିଛନ୍ତି ଯେ, ସିଦ୍ଧୁକୁ ଶୀଘ୍ର ସଫଳତାର ସିଡ଼ିରେ ଚଢ଼ୁଥିବାରୁ ଦେଖି ତାଙ୍କୁ ହତ୍ୟା କରାଯାଇଥିଲା। ସେ ଖୁବ୍ କମ୍ ସମୟ ମଧ୍ୟରେ ସଫଳତା ଏବଂ ଖ୍ୟାତି ହାସଲ କରିଥିଲେ। କିଛି ଲୋକ ଏସବୁକୁ ସହ୍ୟ କରିପାରିଲେ ନାହିଁ। କିଛି ଲୋକ ମୋ ପୁଅ କ୍ୟାରିୟରକୁ ନେଇ ବଡ ନିଷ୍ପତ୍ତି ନେବା ପାଇଁ ଚାହୁଁଥିଲେ। କିନ୍ତୁ ମୋ ପୁଅ ସେମାନଙ୍କୁ ତାହା କରିବାକୁ ଦେଲା ନାହିଁ। ସେମାନେ ଏସବୁ ସହି ପାରିଲେ ନାହିଁ। ଏହି କାରଣରୁ, ସେମାନେ ମୋ ପୁଅକୁ ହତ୍ୟା କରିଥିଲେ।