ମୁମ୍ବାଇ: ଏବେ ବଲିଉଡରେ ଅଭିନେତା ସଲମାନ ଖାନ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଶତ୍ରୁତାକୁ ନେଇ ଚର୍ଚ୍ଚା ଚାଲିଛି।  କିଛି ଦିନ ତଳେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏହି ଆଲୋଚନା ଅଧିକ ତୀବ୍ର ହୋଇଛି। ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ସଲମାନ ଖାନଙ୍କ ଘର ଉପରେ କଡ଼ା ନଜର ରଖିଥିବା ବେଳେ ହତ୍ୟା କରିବା ନେଇ ବାରମ୍ବାର ଧମକ ଦେବାରେ ଲାଗିଛନ୍ତି। ୧୯୯୮ରେ ଫିଲ୍ମର ସୁଟିଂ ସମୟରେ ସେ କଳା ହରିଣର ଶିକାର କରିଥିବା ନେଇ ଲରେନ୍ସ ବିଷ୍ଣୋଇ ଦାବି କରୁଥିବା ବେଳେ ଏଥିପାଇଁ ତାଙ୍କୁ ହତ୍ୟା କରିବା ପାଇଁ ବିଭିନ୍ନ ଯୋଜନା କରୁଛି।

Advertisment

ଏହି ଘଟଣା ପାଇଁ ସଲମାନ ଜେଲ ଯାଇ ସାରିଥିଲେ ବି ଏପର୍ଯ୍ୟନ୍ତ ପିଛା ଛାଡ଼ିନାହିଁ ଲରେନ୍ସ। ଏମଧ୍ୟରେ ଅଭିନେତ୍ରୀ ସିମି ଗ୍ରେୱାଲଙ୍କ ୨୦୧୮ର ଏକ ଏକ୍ସ ପୋଷ୍ଟ ଭାଇରାଲ ହେଉଛି। ‌ଏହି ପୋଷ୍ଟରେ ସେ ଦାବି କରିଥିଲେ ଯେ, ସଲମାନ କାହାକୁ ହତ୍ୟା କରିନାହାନ୍ତି। ସେ କୌଣସି ପଶୁକୁ ଆଘାତ ଦେଇପାରିବେ ନାହିଁ, କାରଣ ସେମାନଙ୍କୁ ବହୁତ ଭଲପାଆନ୍ତି। ସେ ଅନ୍ୟକୁ ବଞ୍ଚାଇବା ପାଇଁ ୨୦ବର୍ଷ ହେଲାଣି ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି। ଦୋ‌ଷ କରିଥିବା ଲୋକେ ଏବେ ସାମ୍ନାକୁ ଆସି ନିଜର ଦୋଷ ସ୍ବୀକାର କରିବା ଜରୁରୀ।

ଏବେ ଏହି ଘଟଣା ପୁଣି ମୁଣ୍ଡ ଟେକିଥିବା ବେଳେ ସଲମାନଙ୍କ ଜୀବନ ପ୍ରତି ବିପଦ ବଢ଼ିବାରୁ ସିମିଙ୍କ ଟ୍ବିଟ ଭାଇରାଲ ହେବାରେ ଲାଗିଛି। ସିମିଙ୍କ ପୁରୁଣା ଟ୍ବିଟକୁ ନେଇ ଏବେ ଲୋକେ ପ୍ରକୃତ ‌ଦୋଷୀ କିଏ ତାହା ଜାଣିବାକୁ ଉତ୍ସାହିତ ହୋଇପଡ଼ିଛନ୍ତି।