ସିନେ ସଙ୍ଗୀତରେ ଚିତ୍ତ ଜେନା 

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କର ଜନ୍ମ ୧୯୪୧ ମସିହା ଡିସେମ୍ବର ୨୪ ତାରିଖରେ କଟକ ଉପକଣ୍ଠସ୍ଥ ପିପରୋଡା ଗ୍ରାମରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଯଦୁମଣି ଜେନା ଓ ମାତା ହେମନ୍ତ କୁମାରୀ ଦେବୀ।  ପିଲାଦିନରୁ କିନ୍ତୁ ଚିତ୍ତ ଜେନାଙ୍କର ସଙ୍ଗୀତ ପ୍ରତି ଥିଲା ଅହେତୁକ ଆକର୍ଷଣ।

ତାଙ୍କୁ ପ୍ରଥମେ ‘ମନ ଆକାଶ’ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ସୁଯୋଗ ମିଳିଥିଲା। ‘ମନ ଆକାଶ’ର ଦୁଇଟି ଗୀତ ‘ଏ ବନ ଝରଣା’ ଓ ‘ଗୋରୀ କନିଆଁ ସୁନା ପାନିଆଁ..ରେ କଣ୍ଠଦାନ କରିଥିଲେ ଚିତ୍ତ ଜେନା। ଏ ଦୁଇଟି ଗୀତ ଖୁବ୍‌ ଲୋକପ୍ରିୟ ବି ହୋଇଥିଲା। ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଉପେନ୍ଦ୍ର କୁମାର।

ତେବେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଚିତ୍ତ ଜେନା ସବୁଠାରୁ ଅଧିକ ଚଳଚ୍ଚିତ୍ର ଗୀତ ଗାଇବାର ସୁଯୋଗ ପାଇଥିଲେ। ପ୍ରଫୁଲ୍ଲଙ୍କ ସ୍ୱରାରୋପିତ ପ୍ରଥମ ଚଳଚ୍ଚିତ୍ର ‘ମମତା’ରେ ସେ ଗାଇଥିବା ଗୀତ ‘ଦେଖି ସେ ବଣ ମଲ୍ଲୀ ରାଧା ହେଲେ ବାତୁଲୀ…’ହିଟ୍‌ ହେଲା। ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚିତ୍ତ ଜେନା  ଗାଇଥିବା ଅନ୍ୟାନ୍ୟ ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ମୋ’ପ୍ରିୟାଠାରୁ କିଏ ଅଧିକ ସୁନ୍ଦର..(ସିନ୍ଦୂର ବିନ୍ଦୁ),ଢାଳି ଦିଅ ସାରା ଧରଣୀରେ ଆଜି..,ଝଚଲି ଝୁଲି ଖେଳେ ଦୋଳି..(ତପସ୍ୟା),କି ସୁନ୍ଦର ଆହା କି ଆନନ୍ଦ ମୟ..(ଗୌରୀ),ଚିକାଲିକା ବମ୍ବାଲିକା..(ବଳିଦାନ),ଆରତୀ ସଜାଡି(ପୂଜା),ରୂପ ହୋଇଥିବ ଲାବଣ୍ୟବତୀ..(ପୂଜାଫଲ),ରାମ ଯିବେ ବନବାସ..(ରାମାୟଣ),ମାଣିକ.. , ହାଏ ରେ ହାଏ ଗରଜେ ମେଘ (ଶେଷ ଶ୍ରାବଣ),ହାଏରେ ମତେ କାଳିଆ ନାଗ..(ବତୀଘର) , କାହିଁ ଗଲେ ଶ୍ୟାମଘନ ଏ ଘନକାଳରେ… (ବନ୍ଧୁ ମହାନ୍ତି) ଆଦି।

ସେ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତିଙ୍କ ସ୍ୱର ସଂଯୋଜନାରେ କେବଳ ଗୋଟିଏ ସିନେମାରେ କଣ୍ଠଦାନ କରିଥିଲେ। ସେହି ସିନେମା ହେଲା ‘ଏଇ ଆମ ସଂସାର’ ଓ ସେହି ଗୀତଟି ହେଲା ‘ଧାଇଁଗିଡି ଗିଡି..’।ଠିକ୍‌ ସେହିପରି ଖ୍ୟାତନାମା ଯୋଡ଼ି ଭୁବନ-ହରିଙ୍କ ସ୍ୱରାରୋପିତ ‘ଅନୁରାଗ’ ସିନେମାର ଲୋକପ୍ରିୟ ଗୀତ ‘ପ୍ରିୟା ବିନା ଝୁରେ ଖାଲି..’ର କଣ୍ଠଶିଳ୍ପୀ ଥିଲେ ଚିତ୍ତ ଜେନା।

ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ସିନେମା ସାକ୍ଷୀ ଗୋପିନାଥରେ ଚିତ୍ତ ଜେନା ଗାଇଥିବା ଗୀତ ‘ତୁମେ ମୋ’ ରାଧା,ତୁମେ ମୋ ସୀତା…’ ଆଜି ବି ବେଶ୍‌ ଲୋକପ୍ରିୟ।

 

ସମ୍ବନ୍ଧିତ ଖବର