ଭଜନ ମଞ୍ଚରେ ସିନେ ସଙ୍ଗୀତ ପରିବେଷଣ କଲେ କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି

ଭଜନ ମଞ୍ଚରେ ଚଳଚ୍ଚିତ୍ରର ଶୀର୍ଷକ ସଙ୍ଗୀତ ପରିବେଷଣ। ଏହା କାହାର ଅନୁରୋଧ କି ଅଭିଳାଷ ଥିଲା ତାହା ଈଶ୍ବରଙ୍କୁ ଜଣା, ହେଲେ ବଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି ଜାଗର ଅମାବାସ୍ୟା ଅବସରରେ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଭଜନ ସନ୍ଧ୍ୟାରେ ଓଡ଼ିଆ ଚଳଚ୍ଚିତ୍ର ‘ପୁଅ ମୋର କଳାଠାକୁର’ରେ ଥିବା ଶୀର୍ଷକ ସଙ୍ଗୀତଟି ପରିବେଷଣ କରିଥିଲେ।

ଆମ ଶ୍ରୋତାମାନେ ଏଇ ଗୀତଟି ସହିତ ମଧ୍ୟ ବେଶ୍ ପରିଚିତ ‘ନିଦ ମାଉସୀ ଦେ ଆଉଁଶି ଜଗନ ଆଖି ମୋର, ଚାହି ଚାହି ମୋ ଜୀବନ ଯାଉ ଚକାଆଖିକୁ ତା’ର, ପୁଅ ମୋହର କଳାଠାକୁର’। କବିତାଙ୍କ କଣ୍ଠରେ ଭଜନଠାରୁ କିଛି ଲୋକପ୍ରିୟ ସିନେମା ଗୀତ ଶୁଣି ଉପସ୍ଥିତ ଶ୍ରୋତା ଓ ଶ୍ରଦ୍ଧାଳୁ ପୁଲକିତ ହେଇଥିଲେ। ସେତେବେଳେ ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ସୁପର ହିଟ୍ ୯ଟି ସିନେମା ଓଡ଼ିଆ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ‘ଜୋର ଯା’ର ମୂଲକ ତା’ର’ ହେଉ କି ‘ପୁଅ ମୋର କଳାଠାକୁର’ ପୁଣି ‘ଚକାଆଖି ସବୁ ଦେଖୁଛି’; ସବୁ ଚଳଚ୍ଚିତ୍ରର କାହାଣୀ, ଅଭିନୟ ଏବଂ ସଙ୍ଗୀତ ଦର୍ଶକଙ୍କୁ ଶିକ୍ଷଣୀୟ ବାର୍ତ୍ତା ଦେବା ସହିତ ଭରପୂର ମନୋରଂଜନ ମଧ୍ୟ ଦେଇଥିଲା। ଅମୀୟ ପଟ୍ଟନାୟକଙ୍କ କିଛି ସିନେମାରେ କବିତା କ୍ରିଷ୍ଣମୂର୍ତ୍ତି ଥିଲେ ନିୟମିତ ଗାୟିକା। କାରଣ ‘ପୁଅ ମୋର କଳାଠାକୁର’ରେ ‘ଏଇ ମିଳନ କାହାଣୀ ଆମ ଜୀବନର’, ‘ଆସିବ ଆସିବ ଜଣେ ଦିନେ ତ ଆସିବ’, ‘ମୁଁ ତ ଝିଅ ନୁହେଁ’ରେ କଣ୍ଠଦାନ କରିଥିଲେ କବିତା। ଚଳଚ୍ଚିତ୍ର ‘ଜୋର ଯାର ମୂଲକ ତାର’ର ଶୀର୍ଷକ ସଙ୍ଗୀତ ‘ଦୁନିଆ କହୁଛି ଦୁନିଆ କହିବ ଏଇ କାମ ଦୁନିଆର: ଜୋର ଯାର ମୂଲକ ତାର’ ଏବଂ ‘ତୁମେ ତୁମେ ନୁହେଁ’ରେ ରହିଛି ତାଙ୍କରି କଣ୍ଠସ୍ବର। ଏହା ବ୍ୟତୀତ ‘ଚକାଆଖି ସବୁ ଦେଖୁଛି’ରେ ‘ଖବର ଅଛି ଆଜି ଖବର ଅଛି ସୁନ୍ଦରୀ ଝିଅଟିଏ ପାଇଯାଇଛି’ ‘ବର୍ଷାରେ ଭିଜି ଭିଜି’ ଓ ‘ମୋ ନାଁଟି ଲିଲ୍ଲୀ’, ‘କପାଳ ଲିଖନ’ରେ ‘ଗୀତା ଆଇ ଲଭ୍ ୟୁ’, ‘ମାନିନୀ’ରେ ମୁଁ ପରଦେଶୀ ଚଢ଼େଇ’ ଓ ‘ନାଇଁ ଛି ଛି ଆସ’, ‘ଗୋପରେ ବଢୁଛି କଳାକହ୍ନାଇ’ରେ ‘କୋଇଲି କହ’ ଏବଂ ‘ଏମିତି ଭାଇ ଜଗତେ ନାହିଁ’ରେ ‘ଏ ମୋତେ ଛୁଁ’ ଆଦି ଗୀତରେ କବିତା କଣ୍ଠଦାନ କରିଛନ୍ତି।

ପ୍ରାୟ ଦରଦଭରା ପ୍ରେମବିରହର ଗୀତ, ସିନେମାରେ ଥିବା ଦୁଃଖଦ ଗୀତ ଏବଂ ଶୀର୍ଷକ ସଙ୍ଗୀତରେ ତାଙ୍କୁ ସୁଯୋଗ ‌ଦିଆଯାଇଛି। କବିତା ମଧ୍ୟ ପ୍ରତିଟି ଗୀତକୁ ଏହାର ଭାଷା ଓ ସ୍ବର ଅନୁସାରେ ବେଶ୍ ଭାବର ସହିତ ଗାଇଛନ୍ତି। ସେଇଥିପାଇଁ ତ ଅଶୀ ଓ ନବେ ଦର୍ଶକର ସିନେମା ସଙ୍ଗୀତକୁ ଆଜି ମଧ୍ୟ ଆମ ଶ୍ରୋତାମାନେ ଆଗ୍ରହର ସହ ଶୁଣୁଛନ୍ତି। ଦିଲ୍ ଦିୟା ହୈ ଜାନ୍ ଭି ଦେଙ୍ଗେ ଏ ଓତନ ତେରେ ଲିୟେ, ତୁମ୍‌ସେ ମିଲକର ନାଜାନେ କ୍ୟୁଁ, ପେହଲେ ପ୍ୟାର କା, ତୁମ୍‌ ତୋ ପରଦେଶୀ, ଓ ୟାରା ଦିଲ୍ ଲଗାନା, ତୁ ପାଗଲ ପ୍ରେମୀ ଆୱାରା, ତୁମ୍‌ହେ ଦିଲ୍ ତୋ ଦେ ଚୁକେ, ରିମ୍ ଝିମ୍ ରିମ୍ ଝିମ୍, ତେରା ଆନା ତେରା ଯାନା ପରି ବଲିଉଡ୍‌ର ଅନେକ ସୁପରହିଟ୍ ଗୀତର ଗାୟିକା ହେଉଛନ୍ତି କବିତା।

ସମ୍ବନ୍ଧିତ ଖବର