ପହିଲି ପୁଲକ: ଏ ଜୀବନ ସ୍ନେହଶ୍ରଦ୍ଧାର ସଙ୍ଗୀତ, ଗାଇ ଶୁଣେଇବା ପାଇଁ

ପ୍ରୀତିନନ୍ଦା ରାଉତରାୟ, କଣ୍ଠଶିଳ୍ପୀ

‘କିଆଁ ଯିବି ମୁଁ ମନ୍ଦିର, କିଆଁ ପୂଜିବି ପଥର, ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର, ତାଙ୍କ ପାଦ ଧୋଇ ପାଣି ଦେଲେ ପିଇ, ପାଦୁକ କି ପଞ୍ଚାମୃତ ଲୋଡ଼ା ନାହିଁ ମୋର।’
‘ମମତା ନଈରେ ସୁନା ବୋଇତ, ଆକାଶରୁ ବଡ଼ ଯାହାର ପଣତ, ବୁକୁରେ ଯାହାର ସେ‌ନେହର ଢେଉ, ତା’ପରି ହେବ କେ ଆଉ, ବୋଉ…।’

‘ଭାଇ ତତେ ମୋର ରହିଲା ରାଣ, କହିବୁନି କଥା ପଦିଏ ଟାଣ, ତୋ ଆଖିରେ କେବେ ଦେବିନି ମୁଁ ଲୁହ, ହସେଇବି ସାରାଜୀବନ, ରାକ୍ଷୀ ବାନ୍ଧିଲି ମୁଁ ରଖିବ ମାନ।’

‘ଏ ଜୀବନ ନୁହେଁ ଲୁହର ସାଗର ବୁଡ଼ି ମରିଯିବା ପାଇଁ, ଏ ଜୀବନ ଏକ ପ୍ରେମର କାହାଣୀ ହସି ହସେଇବା ପାଇଁ। ନିଆଁ ଏଠି ବରଷିଲେ, ଆକାଶ ବି ଛିଡ଼ିଗଲେ କିଛି ଯାଏ ଆସେ ନାହିଁ, ରହିଚି ରହିବି ତୋଅରି ପାଇଁ, ଏ ଜୀବନ ସ୍ନେହଶ୍ରଦ୍ଧାର ସଙ୍ଗୀତ ଗାଇ ଶୁଣେଇବା ପାଇଁ।’

ପ୍ରଥମଟି ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ଦ୍ବିତୀୟଟି ‘ବୋଉ’, ତୃତୀୟଟି ‘ରାକ୍ଷୀ ବାନ୍ଧିଲି ମୁଁ ରଖିବି ମାନ’, ଏବଂ ଚତୁର୍ଥଟି ହେଉଛି ‘ରହିଛି ରହିବି ତୋଅରି ପାଇଁ’ ଚଳଚ୍ଚିତ୍ରର ଶୀର୍ଷକ ସଙ୍ଗୀତ।

youtube.com

ଏ ଚାରିଟି ଗୀତରେ ମୋତେ ଯେଉଁ ସଙ୍ଗୀତ ନିର୍ଦ୍ଦେଶକମାନେ ସୁଯୋଗ ଦେଇଥିଲେ, ସେମାନଙ୍କୁ ଅଶେଷ କୃତଜ୍ଞତା ଜଣାଇବି। ଆଉ କିଛି ସିନେମା ସଙ୍ଗୀତରେ ମୁଁ କଣ୍ଠଦାନ କରିଛି। ହେଲେ ଏଇ ଗୀତଗୁଡ଼ିକ ମୋତେ ଶ୍ରୋତା ଦର୍ଶକଙ୍କ ପାଖରେ ପରିଚିତ କରିଛି ଏବଂ ନିଜକୁ ଅଜସ୍ର ଆତ୍ମସନ୍ତୋଷ ଦେଇଛି।

ଛୋଟବେଳୁ ମୁଁ ଗୀତକୁ ବହୁତ ଭଲପାଏ। ମୋ ମା’ କହେ ମୋତେ ଗୀତ ଶୁଣେଇଲେ କୁଆଡ଼େ ମୁଁ ଆରାମରେ ଶୋଇପଡ଼େ। ରେଡିଓରୁ ଗୀତ ଶୁଣେ ଓ ବେଶ୍ ପ୍ରଭାବିତ ହୁଏ। ମୋ ମା’ ଏବଂ ଗୁରୁ ଜେଭିଏସ୍‌ ରାଓଙ୍କ ଠାରୁ ଯାହା କିଛି ସଙ୍ଗୀତ ଶିଖିଥିଲି। ମୁଁ ନିଜେ ବହୁତ ଗୀତ ରେଡିଓରୁ ଶୁଣି ଶୁଣି ଉଠେଇଦିଏ। ଶୈଳବାଳା ମହାବିଦ୍ୟାଳୟରେ ପଢୁଥିବା ବେଳେ, ଥରେ ପୂର୍ଣ୍ଣ ଖୁଣ୍ଟିଆ ଭଜନ ଗାଇବାକୁ ଡାକିଥିଲେ, ସେଇଠି ସ୍ବରୂପ ନାୟକଙ୍କ ସହ ଭେଟ ହେଲା। ସେ ମୋତେ କହିଲେ- ସିନେମାରେ ଗୀତ ଗାଇବୁ। ମୁଁ +୨ ପଢୁଥାଏ। ‘ଲକ୍ଷେ ଶିବ ପୂଜି ପାଇଥିଲି ପୁଅ’। ଗୋଟେ ଛୋଟପିଲାର ଗୀତଟିଏ ଅଛି ତୁ ଗାଇବୁ। ମୁଁ ମା’ଙ୍କୁ କହିଲି-ମା’ ମୋତେ ସିନେମାରେ ଗୀତ ଗାଇବାର ସୁଯୋଗ ମିଳିଛି। ମଁୁ, ମୋ ବାପା, ମାଆ, ଭାଇ ସମସ୍ତେ ବହୁତ ଖୁସି ହେଇଥିଲେ। ମୋ ବାପା ଜଣେ ରାଜନେତା। ଆମ ଘରକୁ ବହୁତ ଲୋକ ଆସନ୍ତି। ସେମାନଙ୍କୁ ବାପା କହନ୍ତି- ମୋ ଝିଅ ଭଲ ଗୀତ ଗାଏ। ସେ ଗୋଟେ ଗୀତ ଗାଇବ, ଆପଣ ଶୁଣନ୍ତୁ। ମୁଁ ଗାଏ, ସେମାନେ ଶୁଣନ୍ତି। ମୁଁ ଆକାଶବାଣୀରେ ଶିଶୁ ସଂସାର, କିଶୋର ଚକ୍ର ଆଦିରେ ଗୀତ ଗାଇଛି। ପ୍ରତ୍ୟେକ ଥର ଅଡିସନ୍ ଦେବାକୁ ପଡ଼େ। ଜେନେରାଲ୍‌ ଆର୍ଟିଷ୍ଟ ଭାବେ ଗୀତ ଗାଇବାକୁ ସୁଯୋଗ ମିଳିଲା। ଆ‌େମ ଦୁଇ ତିନିଜଣ ମିଶିକି ଗୋଟେ ଦେଶାତ୍ମବୋଧ ଗୀତ ବୋଲିଥିଲୁ। ମୋତେ ୧୨୦୦ ଟଙ୍କା ମିଳିଲା। ଟଙ୍କାର ମୂଲ୍ୟ ଜାଣି ନ ଥିଲି। ଘରେ ଆସି କହିଥିଲି- ମୋତେ ଆଜି ହଜା‌ରେ ଆଉ ଦୁଇ ଶହ ଟଙ୍କା ମିଳିଛି। ମୁଁ ବଡ଼ବାପାଙ୍କ ଘରେ ରହୁଥିଲି। ସେଠି ମୋ ବୁଢ଼ୀମା’ ରହୁଥିଲେ, ସେଇ ପଇସାରେ ମୁଁ ତାଙ୍କୁ ମିଠା ଆଣିକି ଦେଇଥିଲି।

‘ଲକ୍ଷେ ଶିବ ପୂଜି ପାଇଥିଲି ପୁଅ’ ଓ ‘ବୋଉ’ ଚଳଚ୍ଚିତ୍ରରେ ପ୍ରଚ୍ଛଦ ସଙ୍ଗୀତ ଶିଳ୍ପୀ ଭାବେ ମୋତେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ପୁରସ୍କାର ମିଳିଥିଲା।

ଭଗବାନଙ୍କୁ ଆଶୀର୍ବାଦ ଭିକ୍ଷା କରୁଛି, ମୋତେ ଆଉ କିଛି ସୁଯୋଗ ମିଳୁ, ମୁଁ ସଙ୍ଗୀତ ରାସ୍ତାରେ ରହି ଶ୍ରୋତାଙ୍କୁ କିଛି ସୁମଧୁର ଗୀତ ଭେଟି ଦେବା ସହିତ ବାକି ଜୀବନ ସଙ୍ଗୀତ ଭିତରେ ବୁଡ଼ିରହି ଆଉ କିଛି ଆତ୍ମସନ୍ତୋଷ ପାଏ। ମୋତେ ଲାଗେ ‘ଏ ଜୀବନ ସ୍ନେହଶ୍ରଦ୍ଧାର ସଙ୍ଗୀତ ଗାଇ ଶୁଣେଇବା ପାଇଁ।’

ସମ୍ବନ୍ଧିତ ଖବର