ବିଫଳତା ପରେ ମଧ୍ୟ ଗୋଟିଏ ଅଧ୍ୟାୟ ପାଇଁ ଏତିକି କୋଟି ଟଙ୍କା ନେଉଛନ୍ତି କମେଡି କିଙ୍ଗ୍‌ କପିଲ ଶର୍ମା

ମୁମ୍ବାଇ : ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ପେସାଦାର ଜୀବନ ସବୁବେଳେ ଚର୍ଚ୍ଚାରେ ରହିଥାଏ । କିଛି ବର୍ଷ ମଧ୍ୟରେ ତାଙ୍କର ଲୋକପ୍ରିୟ ହେବା ଓ ପରେ ଏକ ବର୍ଷ ପାଇଁ ପରଦାରୁ ନିଜକୁ ଦୂରେଇ ଦେବା ଭଳି କାମ କପିଲ ଶର୍ମା କରି ସାରିଛନ୍ତି । ଗୋଟେ ସମୟରେ ତାଙ୍କ କମେଡିକୁ ଲୋକେ ପସନ୍ଦ ନ କରିବାରୁ ତାଙ୍କର ସୋ’ ବନ୍ଦ ହୋଇ ଯାଇଥିଲା । କିନ୍ତୁ ବର୍ଷକ ପରେ ସେ ନିଜକୁ ପୁଣି ଥରେ ଠିଆ କରି ଦ କପିଲ ଶର୍ମା ସୋ’ ଆରମ୍ଭ କରିଥିଲେ । ଯାହା ପରେ ତାଙ୍କୁ ପୁଣି ଥରେ ସଫଳତା ମିଳିବା ଆରମ୍ଭ ହୋଇଥିଲା । ସୋ’ ଆରମ୍ଭକୁ ବର୍ଷେ ହେବାକୁ ଥିବା ବେଳେ ପ୍ରତି ଅଧ୍ୟାୟ ପାଇଁ ସେ କେତେ କୋଟି ଟଙ୍କା ଆୟ କରୁଛନ୍ତି ତାହା ସାମ୍ନାକୁ ଆସିଛି । ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ସମସ୍ତଙ୍କ ସାମ୍ନାରେ ଏହାର ଖୁଲାସା କରିଛନ୍ତି ।

ସୋ’କୁ ଉଦିତ୍‌ ନାରାୟଣ ଅତିଥି ଭାବେ ଆସିଥିବା ବେଳେ ତାଙ୍କ ସହ ଥଟ୍ଟା ମଜା କରୁଥିଲେ କପିଲ ଶର୍ମା । ଉଦିତ୍‌ ନାରାୟଣଙ୍କ କଣ୍ଠ ସ୍ୱର ସହ କପିଲ ତାଙ୍କର ଚେହେରାର ମଧ୍ୟ ପ୍ରଶଂସା କରୁଥିଲେ । ଭାଇରାଲ ହୋଇଥିବା ଭିଡିଓରେ କପିଲ ଉଦିତ୍‌ ନାରାୟଣଙ୍କ ଚେହେରାର ପ୍ରଶଂସା କରି କହୁଛନ୍ତି, ଆପଣଙ୍କ ଚେହେରାକୁ ଦେଖି ଲାଗୁଛି କି ଆପଣ କେବେ ହେଲେ କାହାର ଟଙ୍କା ଖାଇ ନ ଥିବେ । କିନ୍ତୁ ଲୋକେ ଆପଣଙ୍କର ଟଙ୍କା ଖାଇ ଦେଇଥିବେ । କପିଲଙ୍କ ଏଭଳି କଥା ଶୁଣି ସମସ୍ତେ ହସିବା ପରେ ଉଦିତ୍‌ ନାରାୟଣ କହିଥିଲେ, ଆପଣଙ୍କୁ ତ କଷ୍ଟ କରିବା ଦରକାର ନାହିଁ । ଆପଣ ତ ଏକ ଅଧ୍ୟାୟକୁ ୧କୋଟି ଟଙ୍କା ନିଅନ୍ତି ବୋଲି ମୁଁ ଶୁଣିଛି ।

ସମ୍ବନ୍ଧିତ ଖବର