ଯେତେବେଳେ ହିନ୍ଦୀ ଚଳଚ୍ଚିତ୍ର ଜଗତକୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଗମନ ହୋଇ ନ ଥିଲା ଯେତେବେଳେ ଯେଉଁ ଗାୟିକା ବେଶ୍ ଲୋକପ୍ରିୟ ଥିଲେ, ସେ ହେଲେ ସମସାଦ୍ ବେଗମ୍ ।ପଞ୍ଜାବର ଅମୃତସରରେ ଜନ୍ମ ହୋଇଥିଲେ ସମସାଦ୍ । ପିଲା ଦିନରୁ ସେ ଗୀତ ଗାଉଥିଲେ । ସେ ସିନେମାରେ ଗୀତ ଦେଖିବା ପରେ ତା’କୁ ଅଭ୍ୟାସ କରି ଗାଉଥିଲେ ଏବଂ ତାଙ୍କୁ ପ୍ରତ୍ୟେକ ଗୀତ ପାଇଁ ପନ୍ଦର ଟଙ୍କା ମିଳୁଥିଲା । ‘ଦେବଦାସ’ ଫିଲ୍ମରେ କେ.ଏଲ୍.ସହଗଲଙ୍କ ଗୀତ ଏତେ ତାଙ୍କୁ ଏତେ ଭଲ ଲାଗିଥିଲା ଯେ ଏହି ଗୀତ ଶିଖିବା ପାଇଁ ସମସାଦ୍ ଚଉଦ ଥର ସିନେମା ହଲ୍ରେ ଏହାକୁ ଦେଖିଥିଲେ । ଗୋଟିଏ କଂପାନୀର ଅନେକ ଗୀତ ଗାଇବା ପରେ ତାଙ୍କୁ କଂପାନି ପକ୍ଷରୁ ମିଳିଥିଲା ପାଞ୍ଚ ହଜାର ଟଙ୍କା । ଏହା ତାଙ୍କ ଘର ଲୋକଙ୍କୁ ବିସ୍ମିତ କରିଥିଲା ।
୧୯୩୭ରେ ସମସାଦ୍ ବେଗମ୍ ଲାହୋର ବେତାର କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ କଣ୍ଠଶିଲ୍ପୀ ହେବାର ମର୍ଯ୍ୟାଦାଲାଭ କରିଥିଲେ । ୧୯୪୦ ମସିହାରେ ସେ ସମୟର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ ହାଇଦରଙ୍କ ଶୁଭଦୃଷ୍ଟି ପଡ଼ିଥିଲା ସମସାଦ୍ଙ୍କ ଉପରେ । ସେ ତାଙ୍କୁ ଶଜାଂଚୀ ଓ ‘ଖାନ୍ଦାନ୍’ ସିନେମାରେ କଣ୍ଠଦାନ କରିବାର ସୁଯୋଗ ଦେଇଥିଲେ । ସେହି ପ୍ରଖ୍ୟାତ ସଙ୍ଗୀତକାର ଗୁଲାମ ହାଇଦର୍ ହିଁ ସମ୍ସାଦଙ୍କୁ ବମ୍ବେ ଆଣିଥିଲେ । ବମ୍ବେରେ ଗୀତ ଗାଇବାପରେ ତାଙ୍କର ପ୍ରସିଦ୍ଧି ବୃଦ୍ଧି ପାଇଲା ।
ସମସାଦ୍ ବେଗମ୍ ଅନେକ ଲୋକପ୍ରିୟ ଗୀତରେ କଣ୍ଠଦାନ କରିଛନ୍ତି । ଏଗୁୁଡିକ ମଧ୍ୟରେ ‘ ମେରେ ପୀୟା ଗୟେ ରଙ୍ଗୁନ୍ କିୟା ହେ ବହାଁସେ ଟେଲିଫୋନ୍…., ଅଫ୍ସାନା ଲିଖ୍ ରହି ହୁଁ…, ଆର୍ କଭି ପାର୍ ଲାଗା ତୀରେ ନଜ୍ର,୍ ଛୋଡ୍ ବାବୁଲ୍ ଘର ମୋହେ ପୀୟ କା ନଗର ଆଜ ଜାନା ପଡ଼ା…, ଓ ଜାନେ ବାଲୋ ଜାଓ ନା ଘର ଅପ୍ନୋ ଛୋଡ଼୍ କେ ମାତା ବୁଲା ରହାହେ….,ତେରୀ ମହଫିଲ୍ ମେଁ କିସ୍ମତ୍ ଆଜ୍ମା କର୍ …, ପିପଲ ଝୁମେ ମୋରେ ଅଙ୍ଗନା…, ଠଣ୍ଡି ଠଣ୍ଡି ଛାଁଓରେ…, କହିଁ ପେ ନିଗାହେଁ କହିଁ ପେ ନିଶାନା…, ଧଡ଼କେ ମେରା ଦିଲ୍ ଇତ୍ୟାଦି ଉଲ୍ଲେଖନୀୟ ।
ସଙ୍ଗୀତକାର ଓ.ପି.ନୈୟର ଓ ନୌଶାଦ୍ ସମ୍ସାଦ ତାଙ୍କର ଗାୟନ ପ୍ରତିଭା ଲାଗି ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିଲେ, ୨୦୦୯ରେ ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ ପୁରସ୍କାରରେ ସମ୍ମାନିତ କରିଥିଲେ । ୨୦୧୩ ମସିହା ଏପ୍ରିଲ ୧୩ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ ।