ଲତାଙ୍କ ଓଡ଼ିଶା କନେକ୍ସନ୍ : ଏହି ଓଡ଼ିଆ ନିର୍ଦ୍ଦେଶକଙ୍କ ହିନ୍ଦୀ ଛବିରେ ସେ ଗାଇଥିଲେ ସୁପରହିଟ୍ ଗୀତ ‘ଜନମ୍ ଜନମ୍ କା ସାଥ୍ ହେ…’

ଭୁବନେଶ୍ୱର (ଶିବଶଙ୍କର ଓଝା) : କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର ସୁପରହିଟ୍ ଫିଲ୍ମଗୀତ ମଧ୍ୟରୁ ‘ଜନମ୍ ଜନମକା ସାଥ୍ ହୈ ତୁହ୍ମାରା ହମାରା…’ ଅନ୍ୟତମ। କିମ୍ବଦନ୍ତୀ ଗାୟକ ମହମ୍ମଦ ରଫିଙ୍କ ସହ ଲତା ଗାଇଥିବା ଏହି ଡୁଏଟ୍ ଅଶୀଦଶକରେ ଖୁବ୍ ଲୋକପ୍ରିୟ ହୋଇଥିଲା। ଏହାର ଏକ ସ୍ୟାଡ୍ ଭର୍ସନ୍ ବି କେବଳ ଲତାଙ୍କ କଣ୍ଠରେ ରେକର୍ଡ ହୋଇଥିଲା। ଏହା ଯେଉଁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଥିଲା, ତାହାର ନିର୍ଦ୍ଦେଶକ ଥିଲେ ଜଣେ ଓଡ଼ିଆ। ଚଳଚ୍ଚିତ୍ର ଥିଲା-‘ଭିଗି ପଲକେଁ’ ଏବଂ ନିର୍ଦ୍ଦେଶକ ଥିଲେ  ପଦ୍ମଶ୍ରୀ ଶିଶିର ମିଶ୍ର। ‘ସିନ୍ଦୂର ବିନ୍ଦୁ’, ‘ସମୟ ବଡ଼ ବଳବାନ’, ‘ସୁବର୍ଣ୍ଣସୀତା’, ‘ଏଇ ଆମ ସଂସାର’, ‘ବସ୍ତ୍ରହରଣ’ ଓ ‘ସାବତ ମା’ ଭଳି ବହୁ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶିଶିର ମିଶ୍ର। ଓଲିଉଡରେ ସେ ଶିଶିରଭାଇନା ଭାବେ ବେଶ୍ ପରିଚିତ।

ଓଲିଉଡ୍ ଏବଂ ବଲିଉଡର ଜଣାଶୁଣା ସିନେ-ନିର୍ଦ୍ଦେଶକ ଶିଶିର ମିଶ୍ର ହେଉଛନ୍ତି ଏକମାତ୍ର ଓଡ଼ିଆ ସିନେ-ନିର୍ଦ୍ଦେଶକ, ଯିଏକି ତାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଛବିରେ ଭାରତରତ୍ନ ସ୍ୱରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ପ୍ଲେବ୍ୟାକ୍ ସିଙ୍ଗର ହିସାବରେ ଗୀତ ବୋଲାଇବାରେ ସଫଳ ହୋଇଥିଲେ। ଯଦିଓ ଲତାଜୀ ଦୁଇଟି ଓଡ଼ିଆ ଛବି ’ସୂର୍ଯ୍ୟମୁଖୀ’ ଓ ‘ଅରୁନ୍ଧତୀ’ରେ କଣ୍ଠଦାନ କରିଥିଲେ, କିନ୍ତୁ ଏ ଦୁଇଟି ସିନେମାର ନିର୍ଦ୍ଦେଶନା ଦେଇଥିଲେ ବଙ୍ଗୀୟ ପ୍ରଫୁଲ୍ଲ ସେନଗୁପ୍ତ।

ଲତା ମଙ୍ଗେସକର୍ ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ହିନ୍ଦୀ ସିନେମା ‘ଭିଗି ପଲକେଁ’ରେ ଦୁଇଟି ଗୀତରେ କଣ୍ଠଦାନ କରିଥିଲେ। ପ୍ରଥମଟି ଥିଲା ମହମ୍ମଦ ରଫି ଓ ଲତାଙ୍କ ଯୁଗଳ କଣ୍ଠରେ ରେକର୍ଡ କରାଯାଇଥିବା ‘ଜନମ୍ ଜନମ୍ କା ସାଥ୍ ହେ ତୁହ୍ମାରା ହମାରା…’, ଯାହା ସୁପରହିଟ୍ ହୋଇଥିଲା। ଦ୍ବିତୀୟଟି ଏହି ଗୀତର ଏକ ସ୍ୟାଡ୍ ଭର୍ସନ ଥିଲା, ଯାହା ଲତାଙ୍କ  କଣ୍ଠରେ ରେକର୍ଡ ହୋଇଥିଲା। ଆଉ ଏକ ଉଲ୍ଲେଖନୀୟ କଥା ହେଉଛି ‘ଭିଗି ପଲକେଁ’ରେ ଓଡ଼ିଆ ଗାୟିକା ସୁଶ୍ରୀ ସଂଗୀତା ମହାପାତ୍ରଙ୍କୁ ବଲିଉଡ୍ ବ୍ରେକ୍ ଦେଇଥିଲେ ଶିଶିରଭାଇନା।

ଲତା ମଙ୍ଗେସକର ଓ ମହମ୍ମଦ ରଫି (ଫାଇଲ୍ ଫଟୋ)

‘ସମ୍ବାଦ ଡଟ୍ ଇନ୍’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଲତାଙ୍କୁ ନେଇ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି ଶିଶିର ମିଶ୍ର ।  ୧୯୬୪ ମସିହାରୁ ମୁମ୍ବାଇକୁ ନିଜର କର୍ମକ୍ଷେତ୍ର ଭାବେ ଗ୍ରହଣ କରିଥିଲେ ସେ। ଶିଶିର ମିଶ୍ର  ସଫଳ ଓଡ଼ିଆ ଛବି ‘ସିନ୍ଦୂରବିନ୍ଦୁ’ ଓ ‘ସୁନା ସଂସାର’ର ନିର୍ଦ୍ଦେଶନା ଦେବା ପରେ ହିନ୍ଦୀ ଫିଲ୍ମ ‘ଭିଗି ପଲକେଁ’ର ନିର୍ଦ୍ଦେଶନା ଦେବାର ସୁଯୋଗ ପାଆନ୍ତି। ୧୯୭୯ ମସିହାରେ ଏହି ଫିଲ୍ମର ଗୀତ ରେକର୍ଡିଂ ହୁଏ।  ନବାଗତ ସଙ୍ଗୀତକାର ଯୋଡ଼ି ‘ଯୁଗଳ କିଶୋର-ତିଳକରାଜ’ଙ୍କୁ ଏଥିରେ ବ୍ରେକ୍ ଦିଅନ୍ତି ସେ। ‘ଭିଗି ପଲକେଁ’ର ମ୍ୟୁଜିକ୍ ସୁଟିଂ ସମୟରେ ହିଁ ‘ଜନମ୍ ଜନମ୍ କା ସାଥ୍ ହୈ….’ ଗୀତରେ ମହମ୍ମଦ ରଫି ଓ ଲତା ମଙ୍ଗେସକରଙ୍କୁ ନେବା ସ୍ଥିରୀକୃତ ହୋଇଥାଏ। ସେ ସମୟର କଥା ମନେପକାଇ ନିର୍ଦ୍ଦେଶକ ଶିଶିର ମିଶ୍ର କହନ୍ତି,  ‘‘ବଲିଉଡରେ ସେତେବେଳେ ପ୍ରତି ମ୍ୟୁଜିକ୍ କଂପୋଜର ନିଜ ଫିଲ୍ମରେ ଲତାଜୀଙ୍କୁ ନେବା ଏକ ସୌଭାଗ୍ୟ ବୋଲି ମଣୁଥିଲେ। କାରଣ ସେ ଗାଉଥିବା ଅଧିକାଂଶ ଗୀତ ହିଟ୍ ହେଉଥିଲା।  ତେଣୁ ଆମେ ସ୍ଥିର କଲୁ ଯେ ଲତାଜୀଙ୍କୁ ନେଇ ଏଇ ଗୀତଟି ରେକର୍ଡ କରିବୁ।’’

‘ଭିଗି ପଲକେଁ’ର ଗୀତ ରେକର୍ଡିଂ ପୂର୍ବରୁ ଲତାଜୀଙ୍କ ବ୍ୟକ୍ତିଗତ ସହାୟକଙ୍କ ସହ ଯୋଗାଯୋଗ କରି ନିର୍ଦ୍ଦେଶକ ଶିଶିର ମିଶ୍ର, ଗୀତିକାର ଏମ୍.ଜି. ହସମତ୍ ଓ ସଙ୍ଗୀତକାର ଯୁଗଳ କିଶୋର-ତିଲକରାଜ ତାଙ୍କ ବାସଭବନ ‘ପ୍ରଭୁକୁଞ୍ଜ’ରେ ପହଞ୍ଚିଲେ। ସେଦିନର କଥା ମନେପକାଇ ଶିଶିରଭାଇନା କହନ୍ତି,‘‘ଲତାଜୀଙ୍କ ଘରେ ଏକ ଛୋଟିଆ ରୁମ୍ ଥିଲା ଓ ଜାଣିବାକୁ ପାଇଲୁ କି ସେହି ରୁମରେ ସେ ରିଆଜ୍ କରିଥାନ୍ତି। ସେଠାରେ ପହଞ୍ଚିବା ପରେ ଆମକୁ  ଡ୍ରଇଁ ରୁମରେ ନୁହେଁ, ସେହି ଛୋଟିଆ ରୁମରେ ବସିବାକୁ କୁହାଗଲା। ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିଲା ନାହିଁ। ଲତା ମଙ୍ଗେସକର୍ ସଙ୍ଗେସଙ୍ଗେ ରିଆଜ୍ କକ୍ଷକୁ ଆସିଲେ। ସେଠାରେ ସମସ୍ତଙ୍କ ପରିଚୟ ନେବା ପରେ ଲତାଜୀ ସଙ୍ଗୀତକାରଙ୍କୁ ‘ଜନମ୍ ଜନମ୍ କା ସାଥ୍ ହୈ ତୁହ୍ମାରା ହମାରା…’ ଗୀତର ଟିଉନିଂ ଗାଇ ଶୁଣାଇବାକୁ କହିଲେ। ମୁଖୁଡ଼ାଟି ଶୁଣୁଶୁଣୁ ଲତାଜୀ କହିଥିଲେ- ବହୁତ ଅଚ୍ଛା ସୁର କିୟା ହୈ, ମେଁ ଜରୁର୍ ଗାଉଙ୍ଗି।’ ଆମେ ରେକର୍ଡିଂ ତାରିଖ, ସମୟ ଓ କେଉଁ ଷ୍ଟୁଡିଓରେ ହେବ ତାହା ଜଣାଇଦେବୁ ବୋଲି କହି ଫେରିଆସିଲୁ। ସେଦିନ ଆମକୁ ଏକ ବଡ଼ ସଫଳତା ମିଳିଲା ବୋଲି ସମସ୍ତେ ମନେ କରିଥିଲୁ।’’

ନିର୍ଦ୍ଧାରିତ ଦିନ ଲତାଜୀ ଗୀତ ରେକର୍ଡିଂ ଲାଗି ନିର୍ଦ୍ଧାରିତ ସମୟର ପ୍ରାୟ ଏକ ଘଣ୍ଟା ଆଗରୁ ଷ୍ଟୁଡିଓରେ ପହଞ୍ଚି ଯାଇଥିଲେ। ସେତେବେଳେ ଲାଇଭ ରେକର୍ଡିଂର ଜମାନା ଥିଲା। ସକାଳ ୯ଟାରେ ଗୀତର ଆରେଞ୍ଜମେଣ୍ଟ ଆରମ୍ଭ ହେଲା। ତା’ପରେ ଲତାଜୀ ଓ ରଫି ସାହବ ପରସ୍ପର ସହ ରିହର୍ସାଲ୍ ବି ମାତ୍ର ଦଶ ମିନିଟ୍ ଭିତରେ ସାରିଦେଲେ। ବାସ୍ ତା’ପରେ ଗୀତ ରେକର୍ଡିଂ ଆରମ୍ଭ ହେଲା ଓ ଗୋଟିଏ ଟେକରେ ଲତାଜୀ ଓ ମହମ୍ମଦ୍ ରଫି ଗୀତର ରେକର୍ଡିଂ ଶେଷ କରି ଦେଇଥିଲେ। ଏହାପରେ ଲତାଜୀ ଏକାକୀ ସ୍ୟାଡ୍ ଭର୍ସନଟି ରେକର୍ଡ କରିଥିଲେ। ତାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା ବୋଲି କହନ୍ତି ଶିଶିରଭାଇନା।

ଶିଶିର ମିଶ୍ର

ଏହା ଥିଲା ଲତାଜୀଙ୍କ ସହ ଶିଶିରଙ୍କ ପ୍ରଥମ ଓ ଅନ୍ତିମ କାମ। କିନ୍ତୁ ‘ଜନମ୍ ଜନମ୍ କା ସାଥ୍ ହୈ…’ ଗୀତଟି ସୁପରହିଟ୍ ହେବା ପରେ ଶିଶିରଙ୍କୁ ମନେ ରଖିଥିଲେ ଲତାଜୀ। ଏହାପରେ  ଯେଉଁଠି ବି ଦେଖାହେଲେ ଶିଶିର ଲତାଜୀଙ୍କୁ ଯେତେବେଳେ ନମସ୍କାର କରନ୍ତି  ପ୍ରତ୍ୟୁତ୍ତରରେ ସେ ନିଶ୍ଚିତ ଭାବେ ଏହିପଦକ କହି ଥାଆନ୍ତି- ‘କୈସେ ହୋ ମିଶ୍ରାଜୀ’। ଜଣଙ୍କ ସହ ଥରେ ପରିଚୟ ହେଲେ ସେ ତାଙ୍କୁ ମନେ ରଖୁଥିଲେ। ଲତାଜୀ ଥିଲେ ଖୁବ୍ ଭଦ୍ର ଆଉ ସୁବ୍ୟବହାର ସଂପନ୍ନା ବୋଲି ସ୍ମୃତିଚାରଣ କରନ୍ତି ଶିଶିର ମିଶ୍ର।

ଶିଶିର ମିଶ୍ର ପରବର୍ତ୍ତୀ ସମୟରେ ‘ସମୟକି ଧାରା’, ‘ଟାଡା’, ‘ବିଲ୍ଲୁ ବାଦଶାହା’ ଓ ‘ଅସୀମା’ ଭଳି ହିନ୍ଦୀ ଛବି ନିର୍ମାଣ କରିଛନ୍ତି କିନ୍ତୁ ଏଥିରେ ଲତାଜୀଙ୍କ ସହ କାମ କରିବାର ଆଉ ସୁଯୋଗ ପାଇ ନାହାନ୍ତି। ଏହା ପରେ ‘ସମୟ ବଡ଼ ବଳବାନ୍’, ‘ସୁବର୍ଣ୍ଣସୀତା’, ‘ଏଇ ଆମ ସଂସାର’, ‘ବସ୍ତ୍ରହରଣ’ ଓ ‘ସାବତ ମା’ ଆଦି ଓଡ଼ିଆ ଛବି ନିର୍ଦ୍ଦେଶନା ଦେଇଥିଲେ। ସେ କିନ୍ତୁ ଇଚ୍ଛା ଥିଲେ ବି ଲତା ଦିଦିଙ୍କୁ ଗାୟିକା ଭାବେ ଏସବୁ ଥିରେ ଯୋଡ଼ି ପାରି ନଥିଲେ। ଏହାର କାରଣ ସଂପର୍କରେ ସେ କହନ୍ତି, ‘‘ପ୍ରଯୋଜକଙ୍କ ପକେଟ୍ ଦେଖି ମୁଁ କାମ କରେ। ଓଡ଼ିଶାରେ ଆମେ ଭାତ, ଡାଲମା ଖାଇ ଫିଲ୍ମ କରୁଥିଲୁ। ତା’ଛଡ଼ା ଓଡ଼ିଶାରେ ବହୁ ପ୍ରତିଭାବାନ କଣ୍ଠଶିଳ୍ପୀ ଅଛନ୍ତି। ସେମାନଙ୍କର ସଦୁପଯୋଗ ହେବା ଉଚିତ। ଏଇୟା ଭାବି ମୁଁ କାମ କରିଛି। ଏଣୁ ଲତାଜୀଙ୍କ ସହ କାମ କରିପାରିନାହିଁ, କିନ୍ତୁ ପରେ ଏବଂ ଏବେ ବି ମୁଁ ଲତା ମଙ୍ଗେସକରଙ୍କ ଷ୍ଟୁଡିଓ ’ଏଲ୍ଏମ୍ ଷ୍ଟୁଡିଓ’ରେ ହିଁ ଗୀତ ରେକର୍ଡିଂ କରେ।’’

ସମ୍ବନ୍ଧିତ ଖବର