ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି

ମହାରାଷ୍ଟ୍ର ସରକାର ରିଭ୍ୟୁ ପିଟିସନ କରିବେ ନାହିଁ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ସୁଶାନ୍ତଙ୍କ ମୃତ୍ୟୁ ମ‌ାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଏଥିପାଇଁ ସିବିଆଇ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଅର୍ଥାତ୍‌ ଏସ୍‌ଆଇଟି ଗଠନ କରିଛି। ସିବିଆଇର ଦୁର୍ନୀତି ନିରୋଧ ୟୁନିଟ୍‌-ଭିର ସଦସ୍ୟ ଏହି ଟିମ୍‌ରେ ରହିଛନ୍ତି। ଏହି ଟିମ୍‌ର ସଦସ୍ୟମାନେ ପୂର୍ବରୁ ବିଜୟ ମାଲ୍ୟା, କୋଲ୍‌ ସ୍କାମ୍‌ ଓ ଅଗୁସ୍ତା ୱେଷ୍ଟ୍‌ଲ୍ୟାଣ୍ଡ୍‌ ଭଳି ଦୁର୍ନୀତି ଘଟଣାର ତଦନ୍ତ କରିଛନ୍ତି। ଏଥିସହ ଅଗୁସ୍ତା ୱେଷ୍ଟ୍‌ଲ୍ୟାଣ୍ଡ୍‌ ଭଳି ମାମଲାରେ ବଡ଼ ସଫଳତା ହାସଲ କରିଥିଲେ। ଏହି ଟିମ୍‌ରେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ମନୋଜ ଶଶିଧର, ସିବିଆଇ ଡିଆଇଜି ଗଗନଦୀପ ଗମ୍ଭୀର, ଅତିରିକ୍ତ ଏସ୍‌ପି ଅନୀଲ ଯାଦବ ଓ ଏସ୍‌ପି ନୂପୁର ପ୍ରସାଦ ପ୍ରମୁଖ ଅଛନ୍ତି। ପ୍ରକାଶଯୋଗ୍ୟ, ମନୋଜ ଶଶିଧର ହେଉଛନ୍ତି ୧୯୯୪ ଆଇପିଏସ୍‌ ବ୍ୟାଚ୍‌ର ଗୁଜୁରାଟ କ୍ୟାଡର୍‌। ସେ ଭଦୋଦରାର୍‌ ପୁଲିସ କମିସନର ଭାବେ କାର୍ଯ୍ୟ କରିସାରିଛନ୍ତି। ଏହାଛଡ଼ା ଅହମଦାବଦ୍‌ କ୍ରାଇମ୍‌ବ୍ରାଞ୍ଚ, ଅହମଦାବଦ୍‌ର ଯୁଗ୍ମ କମିସନର୍‌ ଓ ଗୁଜୁରାଟର ୫ଟି ଜିଲ୍ଲାର ଏସ୍‌ପି ଭାବେ ଦାୟିତ୍ବ ତୁଲାଇଛନ୍ତି। ସେ ସିବିଆଇକୁ ଆସିବା ପରେ କୋଇଲା ଦୁର୍ନୀତି, ବିଜୟ ମାଲ୍ୟା ଓ ରାଜନୈତିକ ଦୃଷ୍ଟିକୋ‌ଣରୁ ଗୁରୁତ୍ବ ବହନ କରୁଥିବା ଏକାଧିକ ମାମଲାର ସଫଳ ତଦନ୍ତ କରିଛନ୍ତି।

ମହାରାଷ୍ଟ୍ର ସରକାର ରିଭ୍ୟୁ ପିଟିସନ କରିବେ ନାହିଁ
ସୁପ୍ରିମ୍‌ କୋର୍ଟ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ମୁମ୍ବାଇ ପୁଲିସ ତତ୍ପର ହୋଇଉଠିଛି। ଏହି ମାମଲାରେ ସଂଗୃହୀତ ସମସ୍ତ ତଥ୍ୟ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ମୁମ୍ବାଇ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଅପରପକ୍ଷେ, ସୁଶାନ୍ତ ସିଂହ ରାଜପତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ରାୟ ବିରୋଧରେ ମହାରାଷ୍ଟ୍ର ସରକାର ରିଭ୍ୟୁ ପିଟିସନ କରିବ ନାହିଁ ବୋଲି ଜଣାପଡ଼ିଛି। ଏଣୁ ଏହି ମାମଲାର ସିବିଆଇ ତଦନ୍ତ ଏକପ୍ରକାର ନିଶ୍ଚିତ ହୋଇଯାଇଛି ଏବଂ ମୁମ୍ବାଇ ପୁଲିସ ସିବିଆଇକୁ ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର