ଯାତ୍ରା ଜଗତର ନାମକରା ନିର୍ଦ୍ଦେଶକ ସୀତାକାନ୍ତ ମହାନ୍ତିଙ୍କର ଯାତ୍ରା ପ୍ରବେଶର କାହାଣୀ ବେଶ୍ ରୋଚକ। ତାଙ୍କ ବାପା ଥିଲେ ଜଣେ କୀର୍ତ୍ତନ ଗୁରୁ ଏବଂ ସେ ଚାହୁଁ ନଥିଲେ ପୁଅ ବି ତାଙ୍କ ପରି କୀର୍ତ୍ତନ ପରିବେଷଣ କରୁ। ସେଥିପାଇଁ ପୁଅ ସୀତାକାନ୍ତର କଳାକ୍ଷେତ୍ରରେ ପ୍ରବେଶକୁ ସେ ବାରମ୍ବାର ବାଧା ଦେଉଥିଲେ। କାରଣ କଥାରେ ଅଛି, ଯିଏ ନାଟୁଆ ହେଲା, ସିଏ ଚାରିପାଞ୍ଜିରୁ ଗଲା। ଏତେ ସବୁ ପରେ ବି ନାଟୁଆ ବନିଗଲା ପୁଅ। ନାଟକରେ ଅଭିନୟ କଲା। ପ୍ରଥମେ ଭଦ୍ରକ କଲେଜ, ତା’ପରେ ବିଜେବି କଲେଜରେ ନାଟକ କରି ସିଭିଲ ସର୍ଭିସେସ୍ ଡ୍ରାମା ପ୍ରତିଯୋଗିତାରେ ଅଂଶଗ୍ରହଣ କଲା। ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ଦିଲ୍ଲୀରେ ଦୁଇଥର ଏବଂ ଅହମଦାବାଦରେ ଦୁଇଥର ଶ୍ରେଷ୍ଠ ଅଭିନେତାର ସମ୍ମାନ ପାଇଲା।
୧୯୭୫ ମସିହାରେ ରତ୍ନାକର ଚଇନିଙ୍କ ରଚିତ ‘ରାଜହଂସ’ ନାଟକ ମଞ୍ଚସ୍ଥ କରି ଜାତୀୟସ୍ତରରେ ୧୦ଟି ପୁରସ୍କାର ଲାଭ କରି ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି କଲେ ସୀତାକାନ୍ତ। ଏହାପରେ ସେ ନାଟ୍ୟ ନିର୍ଦ୍ଦେଶନାକୁ ଆସିଲେ। ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ତାଙ୍କ ନିର୍ଦ୍ଦେଶିତ ନାଟକ ‘ହରିଶ୍ଚନ୍ଦ୍ର’ ମଞ୍ଚସ୍ଥ ହେଉଥାଏ ଏବଂ ନାଟକ ଦେଖିବାକୁ ଆସିଥାନ୍ତି ତୁଳସୀ ଗଣନାଟ୍ୟର ତତ୍କାଳୀନ ମ୍ୟାନେଜର ଗନ୍ଧର୍ବରାଜ ପରିଜା। ନାଟକ ଦେଖିସାରି ସେ ତୁଳସୀ ଲାଗି ଏକ ଯାତ୍ରା ନାଟକ ନିର୍ଦ୍ଦେଶନା ଦେବାକୁ ଅନୁରୋଧ କଲେ। ଯାତ୍ରା ସହ ଯୋଡ଼ିହେଲେ ସୀତାକାନ୍ତ। ତାଙ୍କ ପ୍ରଥମ ନିର୍ଦ୍ଦେଶିତ ନାଟକ ‘ଦେବୀ ସୁଲତାନା’ ଜନାଦୃତ ହେଲା। ତା’ପରେ ଗୌରୀ ଓ ତୁଳସୀ ଗଣନାଟ୍ୟରେ ନିୟମିତ ଯାତ୍ରା ନିର୍ଦ୍ଦେଶନା ଦେଲେ ସେ। ଏହାପରେ ତାରିଣୀ, ପାର୍ବତୀ, ତ୍ରିନାଥ, ବାଘାଯତୀନ୍, କୋଣାର୍କ, କଳିଙ୍ଗ ପ୍ରଭୃତି ଅନୁଷ୍ଠାନରେ ବି ନିର୍ଦ୍ଦେଶନା ଦେଇ ଚର୍ଚ୍ଚାକୁ ଆସିଲେ। ନିର୍ଦ୍ଦେଶକ ସୀତାକାନ୍ତ କହନ୍ତି, ‘‘ଯାତ୍ରାବାଲା ହେବାରେ କି ଗୌରବ ଅଛି ସେ କଥା ସମସ୍ତେ ବୁଝି ପାରିବେ ନାହିଁ। ପ୍ରଜ୍ଞାଶୀଳ ବ୍ୟକ୍ତିବିଶେଷ ହିଁ ଏ ସମ୍ପର୍କରେ ଅଧିକ ଆଲୋକପାତ କରିପାରିବେ।’’
-ନାରାୟଣ କୁମାର ରାଉତରାୟ