‘ପଦ୍ମାବତୀ’ ପ୍ରସଂଗରେ ମୁହଁ ଖୋଲିଲେ ଛତିଶଗଡ଼ ରାଜ ପରିବାର: ରାଣୀ ପଦ୍ମିନୀ କେବେ କାହା ସମ୍ମୁଖରେ ନାଚି ନ ଥିଲେ

ଜୟପୁର: ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତୀ’କୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହେବା ପରେ ଶୁକ୍ରବାର ଛତିଶଗଡ଼ର ରାଜ ପରିବାରର ବୋହୂ ହେନା ସିଂ ଜୁଦେଓ ଏ ନେଇ ମତ ରଖିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଚଳଚ୍ଚିତ୍ରଟିକୁ ମୁକ୍ତିଲାଭ କରାଇବା ପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ଇତିହାସ ସଂପର୍କରେ ଜାଣନ୍ତୁ। ରାଣୀ ପଦ୍ମିନୀ କେବେ ବାହାର ଲୋକଙ୍କ ସାମ୍ନାରେ ନୃତ୍ୟ ପ୍ରଦର୍ଶନ କରିନଥିଲେ, ଯଦିଓ ଚଳଚ୍ଚିତ୍ରରେ ରାଣୀଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ‘ଘୁମର’ ନାଚୁଥିବା ଦେଖିବାକୁ ମିଳିଛନ୍ତି। ଇତିହାସ ସହିତ ଚଳଚ୍ଚିତ୍ରଟି ଜଡ଼ିତ ଥିବାରୁ ଚଳଚ୍ଚିତ୍ର ନିର୍ମାତା ରାଜପୁୁତ ସଂଗଠନକୁ ଥରଟିଏ ଚଳଚ୍ଚିତ୍ର ଦେଖାନ୍ତୁ ବୋଲି ଦାବି ହୋଇଛି। ହିନ୍ଦୁତ୍ୱ ପାଇଁ ଆତ୍ମବଳୀ ଦେଇଥିବା ମହାନ ରାଣୀ ପଦ୍ମିନୀଙ୍କ ଚରିତ୍ରକୁ ଅନ୍ୟ ଦୃଷ୍ଟିରେ ଦେଖା ନ ଯାଉ। ସଦା ନାରୀ ଜାତିର ନେତୃତ୍ୱ ନେଇଥିବା ନାରୀଟିକୁ ଏପରି ଶସ୍ତା କରି ଦିଆ ନ ଯାଉ ବୋଲି ସେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ରେ ରିଲିଜ୍‌ ହେବାକୁ ଥିବା ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ବନ୍ଦ କରିବା ପାଇଁ ରାଜସ୍ଥାନର କର୍ଣ୍ଣି ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଆଜି ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଚଳଚ୍ଚିତ୍ରଟିରୁ ଆପତ୍ତିଜନକ ଦୃଶ୍ୟ କଟାଯିବା ପରେ ଯାଇ ଏହାକୁ ରିଲିଜ୍‌ କରାଯାଉ ବୋଲି ଦାବି କରି ଜଣେ ଆଇନଜୀବୀ ମାମଲା କରିଛନ୍ତି। ଚଳଚ୍ଚିତ୍ରଟି ରିଲିଜ୍‌ ହେବା ପରେ ଅଭିନେତ୍ରୀ ଦୀପିକାଙ୍କ ନାକ କଟାଯିବା ସହିତ ନିର୍ଦ୍ଦେଶକଙ୍କ ମୁଣ୍ଡ କାଟିବା ପାଇଁ କର୍ଣ୍ଣି ସେନା ପକ୍ଷରୁ ନିକଟରେ ହିଂସାତ୍କମ ବୟାନ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର