ମୁମ୍ବାଇ: ସତର ବର୍ଷର ଅଭିନୟ ଜୀବନରେ ମାତ୍ର ଦଶଟି ଟିଭି ଧାରାବାହିକ ଓ ଏକମାତ୍ର ସିନେମାରେ ପଦାର୍ପଣ, ସେତିକିରେ ପୁଣି ଚାରି ଚାରି ଥର ଜାତୀୟସ୍ତରୀୟ ସମ୍ମାନ ଗ୍ରହଣ। ଏହି ସଂକ୍ଷେପ ତଥ୍ୟ ହିଁ ଅଭିନେତ୍ରୀ ରାଜଶ୍ରୀ ଠାକୁରଙ୍କ ଦକ୍ଷତା ଓ ନିପୁଣତାକୁ ଦର୍ଶାଉଛି। ଏପରି ସ୍ବଳ୍ପ କୃତି ଭିତରେ ବି ‘ସାତ ଫେରେ... ସଲୋନି କା ସଫର’ ଓ ‘ଭାରତ କା ବୀରପୁତ୍ର-ମହାରାଣା ପ୍ରତାପ’ର ନାୟିକା ରାଜଶ୍ରୀ ଆଜି ପ୍ରଶଂସକମାନଙ୍କ ମନରେ ଏକ ଅଲିଭା ଛବି ହୋଇ ରହି ଯାଇଛନ୍ତି। ମୁମ୍ବାଇରେ ୧୯୮୧ ସେପ୍ଟେମ୍ବର ୨୨ରେ ଜନ୍ମିତ ରାଜଶ୍ରୀ ଶିକ୍ଷାରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଶିକ୍ଷା ପରେ ସ୍ଥାନୀୟ ଆକାଶବାଣୀ କେନ୍ଦ୍ରରେ ପେସାଗତ ଜୀବନ ଆରମ୍ଭ କରିଥିବା ରାଜଶ୍ରୀ ପ୍ରଥମେ ପ୍ରଥମେ ଅର୍ଥ ରୋଜଗାର ପାଇଁ କିଛି ଟିଭି ବିଜ୍ଞାପନରେ କାମ କରିଥିଲେ। ଏହି ଅବସରରେ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଜାତ ହୋଇଥିଲା ଏବଂ ୨୦୦୩ରେ ହିନ୍ଦୀ ଫିଲ୍ମ ‘ଜଜଂତରମ ମମଂତରମ’ରେ ଏକ ସଂକ୍ଷିପ୍ତ ଅତିଥି ଭୂମିକାରେ ତାଙ୍କୁ ସୁଯୋଗ ମିଳିଥିଲା।
/sambad/media/post_attachments/wp-content/uploads/2022/05/f32hsf54sf65h465hhffhsfsh.jpg)
ଏହାପରେ ତହିଁ ପରବର୍ଷ ଭାରତ-ଫରାସୀ ହିନ୍ଦୀ ସିନେମା ‘ହାଵା ଆନେ ଦେ’ରେ ମଧ୍ୟ ତାଙ୍କୁ ଅନୁରୂପ ସୁଯୋଗ ମିଳିଥିଲା। ତେବେ ସୌଭାଗ୍ୟର କଥା, ସେଥିରେ ତାଙ୍କ ଅଭିନୟ ସେଭଳି ଉଲ୍ଲେଖନୀୟ ହୋଇନଥିଲେ ହେଁ ତାହା ହିଁ ରାଜଶ୍ରୀଙ୍କୁ ୨୦୦୫ରେ ଧାରାବାହିକ ‘ସାତ ଫେରେ: ସଲୋନି କା ସଫର’ରେ ଶୀର୍ଷକ ଭୂମିକାରେ ଅଭିନୟ ପାଇଁ ଅନୁପ୍ରାଣିତ କରିଥିଲା। ସେହି ଚରିତ୍ରରେ ଦୀର୍ଘ ଚାରି ବର୍ଷ ଧରି ନିଖୁଣ ଅଭିନୟ କରି ଆଶାତୀତ ଦର୍ଶକୀୟ ସ୍ବୀକୃତି ଲାଭ କରିବା ସହ ୨୦୦୬ରେ ନବାଗତା ତାଜା ମୁହଁ ଭାବେ ଇଣ୍ଡିଆ ଟେଲି ସମ୍ମାନ, ଶ୍ରେଷ୍ଠ ଲୋକପ୍ରିୟ ଅଭିନେତ୍ରୀ ଭାବେ ଆଇଟା ସମ୍ମାନ ଏବଂ ୨୦୦୭ରେ ଶ୍ରେଷ୍ଠ ନାୟିକା ଭାବେ ଇଣ୍ଡିଆନ ଟେଲି ସମ୍ମାନ ହାସଲ କରିଥିଲେ। ଏହି ଅବସରରେ ୨୦୦୭ରେ ‘କସମ୍ ସେ’ ଏବଂ ୨୦୦୮ରେ ‘ବନୂ ମେଁ ତେରି ଦୁଲହନ୍’, ‘ଛୋଟି ବୋହୂ’ ଓ ‘ସିନ୍ଦୂର ବିନ୍ ସୁହାଗନ୍’ ଆଦି ଧାରାବାହିକରେ ମଧ୍ୟ ତାଙ୍କ ଭୂମିକାକୁ ଦର୍ଶକ ଖୁବ୍ ଗ୍ରହଣ କରିଥିଲେ। ସେହିପରି ୨୦୦୮ରେ ‘କହୋନା ୟାର ହୈ’ ଓ ‘ଏକ ସେ ବଢ଼କର ଏକ’ ପରି ବାସ୍ତବଧର୍ମୀ ଧାରାବାହିକରେ ମଧ୍ୟ ଜଣେ ପ୍ରତିଯୋଗୀ ସାଜି ସେ ପ୍ରଶଂସକମାନଙ୍କୁ ଭରପୂର ମନୋରଂଜନ ଯୋଗାଇଥିଲେ। ତେବେ ୨୦୧୩ରୁ ୨୦୧୫ ଯାଏ ପ୍ରସାରିତ ‘ଭାରତ କା ବୀରପୁତ୍ର- ମହାରାଣା ପ୍ରତାପ’ରେ ମହାରାଣୀ ଜଲୱାନ୍ତ ବାଇ ଭୂମିକା ରାଜଶ୍ରୀଙ୍କ ପାଇଁ ୨୦୧୪ରେ ଶ୍ରେଷ୍ଠ ପାର୍ଶ୍ବ ନାୟିକା ଭାବେ ଇଣ୍ଡିଆନ ଟେଲି ସମ୍ମାନ ଆଣିଦେଇଥିଲା। ୨୦୨୦ରେ ‘ସାଦି ମୁବାରକ’ ମଧ୍ୟ ତାଙ୍କ ପାଇଁ ଅନ୍ୟତମ ଲୋକପ୍ରିୟତାର ଉତ୍ସ ହୋଇଥିବା ବେଳେ ଚଳିତବର୍ଷର ‘ଅପନାପନ- ବଦଲତେ ରିସ୍ତୋଁ କା ବନ୍ଧନ’ ଧାରାବାହିକରେ ମଧ୍ୟ ରାଜଶ୍ରୀ ତାଙ୍କ ଅଭିନୟ ଦକ୍ଷତା ବଜାୟ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Rajshri_Thumbnail-1.jpg)