୩୫ ବର୍ଷ ପରେ ପିଲାଦିନ କାଟିଥିବା ଭଡ଼ାଘରକୁ ବୁଲିଗଲେ ସ୍ମୃତି ଇରାନୀ; ରିକ୍ସାରେ ବୁଲିଲେ, ଚାଟ ଖାଇଲେ ଓ କାନ୍ଦିପକାଇଲେ…

ନୂଆଦିଲ୍ଲୀ: ଧରାଯାଉ ଆପଣ ନିଜର ପିଲାଦିନ ଯେଉଁଠି କାଟିଥିବେ, ସାଙ୍ଗସାଥୀ ଓ ମଜାମସ୍ତିରେ ଯେଉଁଠି ନିଜର ଦିନ ଯାଇଥିବ ସେହି ସ୍ଥାନକୁ ଛାଡ଼ି ଦୀର୍ଘ ତିରିଶ, ଚାଳିଶି ବର୍ଷ ଆପଣ ବାହାରକୁ ପଳାଇଥିବେ! ଅଚାନକ କୌଣସି କାର୍ଯ୍ୟରେ ହେଉ ଅବା ବୁଲିବା ଛଳରେ ହେଉ ଆପଣ ସେ ସ୍ଥାନକୁ ଫେରିବେ। ଆପଣଙ୍କୁ ଦେହ ସିତେଇ ଉଠିବନି ସାମାନ୍ୟ? ପିଲାଦିନ ଖେଳିଯିବନି ଆଖି ସାମ୍ନାରେ ଜଳଜଳ ହୋଇ? ଏପରି ପରିସ୍ଥିତିର ସାମ୍ନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ।

ଘଟଣାଟି ଏମିତି, ଭାରତୀୟ ଟେଲିଭିଜନ ଜଣେ ସଫଳ ଚେହେରା ଏକ୍‌ତା କପୁର୍‌ ନିକଟ ଅତୀତରେ ତାଙ୍କର ଏକ େଓ୍ଵବ୍‌ ସିରିଜ୍‌ ଆରମ୍ଭ କରିଛନ୍ତି। ଏହି େଓ୍ଵବ୍‌ ସିରିଜ୍‌ର ନାଁ ରଖିଛନ୍ତି ‘ ମାଇଁ ହୋମ୍‌’। ଏଥିରେ ସେ ବହୁ ସେଲିବ୍ରିଟିମାନଙ୍କର ପିଲାଦିନର ଘର ସଂପର୍କରେ ଦେଖାଉଛନ୍ତି। ପୂର୍ବରୁ ସେ ନିଜ ବାପା ଜିତେନ୍ଦ୍ରଙ୍କର ବି ଏକ ଭିଡିଓ ସେୟାର୍‌ କରିଥିଲେ।

ଗତ ସିରିଜ୍‌ରେ ସେ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଟେଲିଭିଜନ ବ୍ୟକ୍ତିତ୍ୱ ସ୍ମୃତି ଇରନୀଙ୍କର ଏକ ଭିଡିଓ ସେୟାର୍‌ କରିଛନ୍ତି। ସ୍ମୃତି ଗୁରୁଗ୍ରାମରେ ପିଲାଦିନେ ଯେଉଁ ଭଡ଼ା ଘରେ ରହୁଥିଲେ ସେଠିକୁ ୩୫ ବର୍ଷ ପରେ ଯାଇଛନ୍ତି।

ସ୍ମୃତିଙ୍କ ଭିଡିଓ ସେୟାର୍‌ କରି ଏକ୍‌ତା ଲେଖିଛନ୍ତି, ‘କେବଳ ୪ଟି କାନ୍ଥ ଥିଲେ ଘର ହୋଇଯାଏ ନାହିଁ। ପରିବାର ଓ ସ୍ନେହ ହିଁ ଘରର ମୂଳଦୁଆ। ସ୍ମୃତି ଇରାନୀଙ୍କର ଭାବପ୍ରବଣ ଭରା ଯାତ୍ରାକୁ ଦେଖନ୍ତୁ। ସେ ତାଙ୍କର ପିଲାଦିନର ଘରକୁ ଯାଇ ଆମ ସହ ଭିଡିଓ ସେୟାର୍‌ କରିଛନ୍ତି।’

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ସ୍ମୃତି ପିଲାଦିନ କାଟିଥିବା ପୁରୁଣା ଘରକୁ ବୁଲି ବୁଲି ଦେଖୁଛନ୍ତି। ଦେଖିବା ଭିତରେ ସେ ଭାବପ୍ରବଣ ହୋଇ କାନ୍ଦି ପକାଉଛନ୍ତି। ତା’ପରେ ସେ ପୂର୍ବରୁ ଦୈନିକ ଚାଟ୍‌ ଖାଉଥିବା ସେହି ରାସ୍ତାକଡ଼ ଦୋକାନରୁ ଯାଇ ଚାଟ୍‌ ଖାଉଛନ୍ତି। ଖେଳନା ଦୋକାନକୁ ଯାଉଛନ୍ତି। ଏପରି ଭାବେ ଅଭୁଲା ଦିନକୁ ମନେପକାଇ ଆତ୍ମଭରା ହୋଇ ଉଠୁଛନ୍ତି।

ସେଠାକାର ବାସିନ୍ଦା ସ୍ମୃତୀଙ୍କୁ ସ୍ୱାଗତ ଜଣାଇ ତାଙ୍କର ଅତିଥି ସତ୍କାର କରୁଛନ୍ତି। ନିଜର ସ୍ମୃତି ତାଜା କରିବାକୁ ସେ ତାଙ୍କର ବନ୍ଧୁଙ୍କ ସହ ରିକ୍ସାରେ ବସି ବଜାର ବୁଲୁଛନ୍ତି।

ପୂର୍ବରୁ ଏକ୍‌ତା କପୁର ଏହି େଓ୍ଵବ୍‌ ସିରିଜ୍‌ରେ ଆହାନା କୁମାର, ନକୁଲ ମେହେତା, ପ୍ରିନ୍ସ ନରୁଲା, କାଞ୍ଚି ସିଂହ, ଏବଂ ଅଭିକ ଗୌର୍‌ ଆଦିଙ୍କୁ ଦର୍ଶାଇ ସାରିଛନ୍ତି।

ସମ୍ବନ୍ଧିତ ଖବର