୧୯୬୪ ମସିହାରେ କଟକ ରାଣୀହାଟ ଉଚ୍ଚବିଦ୍ୟାଳୟରେ ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥାଏ। ଆମ ସ୍କୁଲରେ ୧୮୦୦ ପିଲା ପଢୁଥିଲେ। ସେତେବେଳେ ବିଦ୍ୟାଳୟରେ ଗୀତ ପ୍ରତିଯୋଗିତା ହେଲା। ମୁଁ ମୋ ନାଁଟି ଦେଇଦେଲି। ତା’ପରେ ଘରେ ଆସି ଶାନ୍ତନୁ ଭାଇନାଙ୍କୁ କହିଲି। ମୋତେ କହିଲେ ତୁ ପ୍ରଣବ ପଟ୍ଟନାୟକଙ୍କ ପାଖରୁ ଗୀତ ଶିଖ୍। ସିଏ ଶିଖେଇଲେ ଗୁରୁକୃଷ୍ଣ ଗୋସ୍ବାମୀଙ୍କ ରଚିତ ଗୀତ ‘ଆଗୋ ମନହଂସୀ ସୀମିତ ଏ ଡେଣା ନେଇ କିମ୍ପା ଖୋଜ ଆକାଶର ସୀମା’। ପଞ୍ଚମ ଶ୍ରେଣୀରୁ ଏକାଦଶ େଶ୍ରଣୀ ପର୍ଯ୍ୟନ୍ତ ପିଲା ଭାଗ ନେଇଥିଲେ। ମୁଁ ଯାଇ ଷ୍ଟେଜ୍ରେ ଗୀତ ଗାଇଲି। ସମସ୍ତଙ୍କୁ ୧ ମିନିଟ୍ ପରେ ଘଣ୍ଟି ବଜେଇ ଗାଇବାକୁ ରୋକୁଥିଲେ, ମାତ୍ର ମୁଁ ଗାଇବା ବେଳେ ଆଉ ଘଣ୍ଟି ବାଜିଲାନି। ପ୍ରାଇଜ୍ ତ ସ୍କୁଲ ଉତ୍ସବରେ ଦିଆଯିବ, ହେଲେ ଦେବାଶିଷ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କଲେ ବୋଲି ସେଇଠି ସାଙ୍ଗେ ସାଙ୍ଗେ ଘୋଷଣା ହେଇଗଲା।
ଏହାପରେ ଏକାଦଶ ଶ୍ରେଣୀର ଦୁଇ ଚାରିଜଣ ଝିଅ ଆମ ଅଷ୍ଟମ ଶ୍ରେଣୀକୁ ଆସି ମୋତେ ଖେଳଛୁଟି ସମୟରେ ଡାକିଲେ, କହିଲେ ତୁ ଆମ କ୍ଲାସ୍କୁ ଆ, ମୁଁ ଗଲି। କହିଲେ ତୁ ଗୀତ ଗାଆ, ମୁଁ ଗାଇଲି। ଏହାପରେ ନବମ ଶ୍ରେଣୀ ଝିଅମାନେ ଆସି ଡାକିଲେ, ସେମାନଙ୍କ ଶ୍ରେଣୀରେ ଯାଇ ଗାଇଲି। ଗୀତ ଥିଲା, ‘ମହୁମାଛି ମହୁ ଚାହେ ଫୁଲ ଚାହେଁନା, ବାଲିଫୁଲେ ମହୁଥିଲେ କିମ୍ପା ଛୁଏଁନା’, ‘ସୁଚରିତା ତୁମେ ଏତେ ନିରବ କାହିଁକି, ମୁଁ ବହୁଦିନୁ ତୁମ ଚିଠି ପାଇନି’। ସେତିକିବେଳେ ସୋମନାଥ ସାର୍ ଆମ କ୍ଲାସ୍ ଦେଇ ଯାଉଥିଲେ, ଅଟକିଗଲେ ଆଉ ମୋତେ ବାହାରକୁ ଡାକିଲେ। କହିଲେ ଚାଲ ତୁମ ଶ୍ରେଣୀକୁ, ମୁଁ ଗଲି, ସେ ମୋ କାନ ମୋଡ଼ି ଗାଲରେ ଗୋଟେ ଶକ୍ତ ଚାପୁଡ଼ା ବସେଇ ସିଟ୍ରେ ଛିଡ଼ା କରିଦେଲେ। ରମେଶ ସାର୍ ଆସି ମୋତେ ଦେଖିକି ହସିେଲ। କହିଲେ, କିବେ ତୁ କେନେ ଏମିତି ଛିଡ଼ା ହେଇଛୁ। ସେ ଝିଅମାନେ ଯେମିତି, ତୁ ବି ସେମିତି। ତୁ କ’ଣ ଚାଲିଯାଉଛୁ ଗୀତ ଗାଇବା ପାଇଁ?
୧୯୭୨ରେ ଲୋକ ଜାଣିଲେ ମୁଁ ଗୀତ ଗାଏ ବୋଲି। ଆକାଶବାଣୀର ସର୍ବଭାରତୀୟ ସ୍ତରରେ ଗୋଟେ ସୁଗମ ସଙ୍ଗୀତ ପ୍ରତିଯୋଗିତା ହେଉଥିଲା। ଆଗରୁ ଏହାର ବିଜେତାକୁ ପ୍ରେସିଡେଣ୍ଟ ଆୱାର୍ଡ ମିଳୁଥିଲା। ଅଶୋକ ମିଶ୍ର ଓ ମୋର ମାମୁ ଝିଅ ଭଉଣୀ ଇନ୍ଦ୍ରାଣୀ ମିଶ୍ର ମଧ୍ୟ ସେଇ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇଥିଲେ। ପରେ ପ୍ରତ୍ୟେକ ରେଡିଓ ଷ୍ଟେସନରେ ଗୀତ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ୧୯୭୨ମସିହାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମୁଁ ପ୍ରଥମ ହୋଇଥିଲି।
ଶାନ୍ତନୁ ଭାଇନା କହିଲେ ତୁ ଭୁବନେଶ୍ବର ମିଶ୍ରଙ୍କୁ କହ ସେ ତୋତେ ଦୁଇଟି ଗୀତ ଶିଖେଇଦେବେ।
ଗୀତ ଥିଲା ‘ନିଦ କି ଗୋ ଖୋଲ ଆଖି ବରଷା ଝରେ, ଚାନ୍ଦିନୀ ଚେତାଇ ଦିଏ ଗୋ ଚାରୁ ଚାନ୍ଦଗୋରୀ ମୁହଁ’। ରଘୁନାଥ ପାଣିଗ୍ରାହୀ ମୋ ଗୀତଗୁଡ଼ିକୁ ମାଜିଦେଲେ। ତାଙ୍କ ଭାଇ ଜଗନ୍ନାଥ ପାଣିଗ୍ରାହୀ ତାନପୁରାରେ ମୋତେ ମାସେଖଣ୍ଡେ ରଗଡ଼େଇଦେଲେ। ଭୁବନେଶ୍ବର ସାର୍ ରେକର୍ଡିଂ କଲେ, ହରମୋହନ ଖୁଣ୍ଟିଆ ହାରମୋନିୟମ, ସୁନାକର ସାହୁ ତାନପୁରା, ଶ୍ରୀବତ୍ସ ପଟ୍ଟନାୟକ ତବଲା ସଙ୍ଗତ କଲେ। ମୁଁ ପ୍ରଥମ ଥର ପାଇଁ ସର୍ବଭାରତୀୟସ୍ତରରେ ପ୍ରଥମ ହେଲି। ଏହାପରେ ଆକାଶବାଣୀରେ ମୋର ପ୍ରଥମ ଗୀତ ଥିଲା ‘ପ୍ରଭୁ ତରଣୀ ମୋଅର ନିଅ ବାହି ଘେନ ମୋ ପ୍ରଣତି କରୁଛି ଗୁହାରି’।
ମୁଁ ବ୍ୟାଡମିଣ୍ଟନ୍ ଖେଳୁଥିଲି। ବିଜେବି କଲେଜ ଛାତ୍ର ଓ ବାଣୀବିହାରର ବ୍ୟାଡମିଣ୍ଟନ୍ ଚାମ୍ପିୟନ୍। ଗୌହାଟୀରେ ଥାଏ ଅଲଇଣ୍ଡିଆ ଟୁର୍ଣ୍ଣାମେଣ୍ଟ। ମୋତେ ଉତ୍କଳ ୟୁନିଭର୍ସିଟି ଦଳର ନେତୃତ୍ବ ଦିଆଗଲା। କଟକ ୱାଇଏମ୍ସିଏରେ ପ୍ରାକ୍ଟିସ୍ ଚାଲେ। କୋଚ୍ ବାନାର୍ଜୀ ସାହେବ, ଆସି କହିଲେ- ଆରେ ତୁ କ’ଣ ସେଇ ଦେବାଶିଷ ମହାପାତ୍ର? ସେ ନ୍ୟୁଜ୍ ଶୁଣିକି ଆସିଥଲେ ଯେ ଦେବାଶିଷ ମହାପାତ୍ର ଅଲଇଣ୍ଡିଆ ଲେବଲରେ ଫାଷ୍ଟ ହେଇଛି। ମୁଁ ରେଡିଓ ଷ୍ଟେସନ୍ରେ ପହଞ୍ଚି ଭୁବନେଶ୍ବର ସାରଙ୍କୁ ପ୍ରଣାମ କଲି। ମହମ୍ମଦ ରଫିକ୍ ଷ୍ଟେସନ୍ ଡାଇରେକ୍ଟର ଥିଲେ। ଉଭୟ ଖୁସି ହେଲେ ଓ କହିଲେ- କଟକ ଷ୍ଟେସନ୍ର ଜଣେ ଆର୍ଟିଷ୍ଟ ପ୍ରଥମଥର ପାଇଁ ପ୍ରଥମ ହେଲା। ପୂର୍ବରୁ ପ୍ରଫୁଲ୍ଲ କର ଓ ଅକ୍ଷୟ ମହାନ୍ତି ମେଲୋଡି କାର୍ଯ୍ୟକ୍ରମକୁ ମୋତେ ସାଙ୍ଗରେ ନେଇଯାଉଥିଲେ। ମୁଁ ଓଡ଼ିଆ ଓ ହିନ୍ଦୀ ଗୀତ ଗାଏ। ୧୯୭୫ରେ ‘ମନ ମନ୍ଦିର’ ଫିଲ୍ମରେ ପ୍ରଫୁଲ୍ଲ କର ମୋତେ ଗୋଟେ ରୋମାଣ୍ଟିକ୍ ଗୀତ ଗାଇବାକୁ େଦଇଥିଲେ, ‘ତୋ ସାଥେ ପୀରତି କରି, ମୁଁ ଯଦି ଯାଆନ୍ତି ମରି ’।
ସିଣ୍ଡିକେଟ୍ ବ୍ୟାଙ୍କରୁ ପ୍ରୋବେସନରି ଅଫିସର ପଦବୀରେ ନିଯୁକ୍ତିପତ୍ର ଆସିଲା। ୧୯୭୭ରେ ଜାନୁଆରିରେ କୋଲକାତାକୁ ବଦଳି ହେଲା। ସେଇଠୁ ଆରମ୍ଭ ହେଲା ଚଳଚ୍ଚିତ୍ରରେ ଗୀତ ଗାଇବା।
-ସତ୍ୟ ପାଣିଗ୍ରାହୀ