‘ମ୍ୟାଡକ୍‌ ଫିଲ୍ମସ’ ପ୍ରଯୋଜନା ସଂସ୍ଥା ଏହାର ଅଭନବ କାହାଣୀ ଚୟନ ଓ ବ୍ୟାବସାୟିକ ସଫଳତା ବଳରେ ଯେଉଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି, ସେଥି ଯୋଗୁଁ ତାହାର ଯେକୌଣସି ନୂଆ ପ୍ରତିବେଦନ ସିନେପ୍ରେମୀଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିବା ଏକପ୍ରକାର ନିଧାର୍ଯ୍ୟ। ପୁଣି ରାଜକୁମାର ରାଓଙ୍କ ପରି ଉତ୍କୃଷ୍ଟ ଅଭିନେତାଙ୍କ ଉପସ୍ଥିତି ‘ଭୁଲ୍‌ ଚୁକ୍‌ ମାଫ୍‌’ ନେଇ ପ୍ରତ୍ୟାଶାକୁ ଆହୁରି ବଢ଼ାଇଦେବା ସ୍ବାଭାବିକ। ଏହି ଦୁଇଘଣ୍ଟିଆ ଚଳଚ୍ଚିତ୍ର ଦେଖିବା ପରେ ସଂକ୍ଷେପରେ କହିହେବ ଯେ ପ୍ରାୟ ସବୁପ୍ରକାର ଦର୍ଶକଙ୍କ ମନୋରଂଜନ ଚାହିଦାକୁ ପୂରଣ କରିବାର ଉପାଦାନ ଏଥିରେ ନିହିତ ଅଛି। ଶେଷ ଆଡ଼କୁ ସିନେମାଟି ଟିକେ ଅଧିକ ପ୍ରବଚନଧର୍ମୀ ହୋଇଯାଇଥିଲେ ବି ଏହାର ବାର୍ତ୍ତା ଆମ ସମାଜ ଲାଗି ଖୁବ୍ ପ୍ରାସଙ୍ଗିକ ମନେ ହେଲା।  

Advertisment

ଏହି ସିନେମାର ସବୁଠାରୁ ଶକ୍ତିଶାଳୀ ଉପାଦାନ ହେଉଛି ଏହାର କାହାଣୀ। ହଲିଉଡ୍‌ରେ ‘ଟାଇମ୍‌ ଲୁପ୍‌’ ନାମକ ସାଇନ୍‌ସ-ଫିକ୍ସନ୍‌ ସ୍ଥିତିକୁ ନେଇ ଅନେକ ସିନେମା ନିର୍ମାଣ ହୋଇଛି, ଯେଉଁଥିରେ ଚରିତ୍ରମାନେ ଗୋଟିଏ ସମୟଖଣ୍ଡକୁ ବାରମ୍ବାର ଫେରିଆସନ୍ତି। ପ୍ରଥମ ବଲିଉଡ୍‌ ଚଳଚ୍ଚିତ୍ର ଭାବେ ‘ଭୁଲ୍‌ ଚୁକ୍‌ ମାଫ୍‌’ରେ ଏହି ପରିକଳ୍ପନାକୁ ଅନୁକରଣ କରି ନିର୍ଦେଶକ ତଥା ଲେଖକ କରଣ ଶର୍ମା ବିଜ୍ଞାନ ସ୍ଥାନରେ ଧାର୍ମିକ ଆସ୍ଥାକୁ ବିଶ୍ବସନୀୟ ଢଙ୍ଗରେ ପୁନଃସ୍ଥାପିତ କରିଛନ୍ତି। ବାରାଣସୀ ସହରର ପ୍ରେମୀଯୁଗଳ ରଞ୍ଜନ (ରାଜକୁମାର ରାଓ) ଓ ତିତଲି (ବାମିକା ଗବ୍ବୀ)ଙ୍କ ବିବାହ ଦିଗରେ ଯେଉଁ ଏକ ବଡ଼ ବାଧା ରହିଛି ତାହା ହେଲା ରଞ୍ଜନ ପାଖରେ ସରକାରୀ ଚାକିରି ନାହିଁ। ଦୁଇମାସ ମଧ୍ୟରେ ସରକାରୀ ଚାକିରି ଖୋଜିବା ଲାଗି ତିତଲିର ପିତାଙ୍କ ସର୍ତ୍ତ ପୂରଣ ପାଇଁ ରଞ୍ଜନ ଜଣେ ଦଲାଲ ପାଖକୁ ଯାଉଛି। ଭଗବାନ (ସଂଜୟ ମିଶ୍ର) ଟଙ୍କା ବଦଳରେ ଚାକିରି କରାଇଦେଉଛି ଏବଂ ରଞ୍ଜନ-ତିତଲିଙ୍କ ବିବାହର ସ୍ବପ୍ନ ପୂରଣ ହେବାକୁ ଯାଉଛି। କିନ୍ତୁ ରଞ୍ଜନର ସମୟ ବିବାହର ପୂର୍ବ ଦିନରୁ ଆଗକୁ ବଢୁନାହିଁ।

ସେହି ଗୋଟିଏ ଦିନକୁ ସେ ବାରମ୍ବାର ଫେରିଆସୁଛି। ଏହାର କାରଣ ହେଲା ରଞ୍ଜନ ଭଗବାନ ଶିବଙ୍କ ପାଖରେ ବିବାହ ଲାଗି କରିଥିବା ମାନସିକ ଅସଂପୂର୍ଣ୍ଣ ରହିଛି! ତେଣୁ ମାନସିକରେ ପ୍ରତିଜ୍ଞା କରିଥିବା ଭଳି ସେ ଏକ ଭଲ କାମ କରିବା କଥା। ସେ ଭଲ କାମ କ’ଣ ନିର୍ଦ୍ଦିଷ୍ଟ ଭାବେ କହି ନ ଥିବାରୁ ସେ ଯେତେ ଦାନଧର୍ମ କଲେ ବି ଏ ଦୈବୀ ଅଭିଶାପ ଦୂର ହେଉନାହିଁ। ଶେଷରେ ସେ କାହା ମନରେ ଆଘାତ ଦେଇଥିବାରୁ ଏପରି ଭୋଗିବାକୁ ପଡୁଛି ବୋଲି ଜାଣିବାକୁ ପାଉଛି- ତେବେ ସେ ବ୍ୟକ୍ତିଜଣକ କିଏ ତାହା ହେଉଛି ଏହି ସିନେମାର ସବୁଠାରୁ ବଡ଼ ରହସ୍ୟ ଉନ୍ନୋଚନ। ସରକାରୀ ଚାକିରି ଓ ବିବାହ ମଧ୍ୟରୁ ଗୋଟିଏକୁ ବାଛିବାର ଦ୍ବନ୍ଦ୍ବ ରଞ୍ଜନକୁ ଆତ୍ମଆବିଷ୍କାରର ମାର୍ଗରେ ନେଇଯାଉଛି ଏବଂ ଆଜି ବି ଭାରତରେ ସରକାରୀ ଚାକିରି ନେଇ ରହିଥିବା ସ୍ବାର୍ଥପର ଆଭିମୁଖ୍ୟକୁ ନେଇ ଏକ ଶକ୍ତିଶାଳୀ ବାର୍ତ୍ତା ଦେବାକୁ ଉଦ୍ୟମ କରାଯାଇଛି। 

ଏହି ସିେନମାରେ ହାସ୍ୟରସର ସ୍ତରର ମଧ୍ୟମ ଧରଣର ବୋଲି କହିହେବ। ତେବେ ରାଜକୁମାରଙ୍କ ଚମତ୍କାର ପ୍ରଦର୍ଶନ ଏହାର ପ୍ରଭାବକୁ ଅନେକ ଦୃଶ୍ୟରେ ବହୁଗୁଣିତ କରିଦେଇଛି। ନାୟିକା ଭାବେ ବାମିକାଙ୍କ ଅଭିନୟ ଉଲ୍ଲେଖନୀୟ ହୋଇ ନ ଥିଲେ ହେଁ ସୀମା ପାହଵା, ରଘୁବୀର ଯାଦବ, ଜାକିର ହୁସେନ, ଇସ୍ତିୟାକ ଖାଁଙ୍କ ପରି ଉତ୍କୃଷ୍ଟ ଅଭିନେତାଙ୍କ ଉପସ୍ଥିତି ସିନେମାଟିକୁ ଜୀବନ୍ତ କରିରଖିଛି। ସିନେମା ଦେଖିବା ବେଳେ ଧ୍ୟାନଚ୍ୟୁତ କରିବା ଭଳି କୌଣସି ବୈଷୟିକ ତ୍ରୁଟି ନଜରକୁ ଆସେ ନାହିଁ।