ମିହିର ବଖାଣିଥିବା ତାଙ୍କ ଜୀବନର କିଛି ଅନୁଭୂତି….ପ୍ରଥମ ପ୍ରେମର ଚର୍ଚ୍ଚିତ କାହାଣୀ

୧୬ ବର୍ଷ ବୟସରେ ସେ କଲେଜରେ ଭର୍ତ୍ତି ହେବା ସମୟରେ ତାଙ୍କ ଜୀବନରେ ନୂଆନୂଆ ଘଟଣା ଘଟିବା ଆରମ୍ଭ ହୋଇଥିଲା। କଲେଜରେ ଜଣେ ଝିଅକୁ ସେ ଭଲ ପାଇ ବସିଥିଲେ। ହେଲେ ମନରେ ଭୟ ଥିବାରୁ କେବେ ମନକଥା ତାଙ୍କୁ କହିପାରି ନଥିଲେ। ମିହିର ବହୁତ ଆକର୍ଷଣୀୟ ଦେଖାଯାଉଥିବାରୁ କଲେଜର ଅନ୍ୟ ଝିଅମାନେ ମଧ୍ୟ ତାଙ୍କ ସହିତ ମିଶୁଥିଲେ। ଯେଉଁ ଝିଅକୁ ସେ ମନେମନେ ଭଲ ପାଉଥିଲେ ସେ ଝିଅ ବି କେବେ ମିହିରଙ୍କୁ ମନ କଥା କହିପାରୁ ନଥିଲା। ପରେ ରେଭେନ୍ସା କଲେଜରେ ପଢିବାକୁ ଆସିବା ବେଳେ ଆଉ ଜଣେ ଝିଅଙ୍କ ସହିତ ତାଙ୍କର ବନ୍ଧୁତା ବଢିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସ˚ପର୍କ ଗଢିଉଠିବା ସହ ପାଖାପାଖି ୯ମାସ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ପରେ ତାଙ୍କ ପ୍ରେମିକା ଜଣେ ସରକାରୀ କର୍ମଚାରୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ସ˚ପର୍କ ଛିନ୍ନ ହେବାର ୨୦ ବର୍ଷ ପରେ ମିହିର ତାଙ୍କ ପ୍ରେମିକାଙ୍କୁ ସ୍ବପ୍ନରେ ଦେଖିଥିଲେ ଓ ଦିନେ ତାଙ୍କ ସହ ଭେଟ ହେଉ ବୋଲି ଆଗ୍ରହ ରଖିଥିଲେ। ପର ଦିନ ସୁଟି˚ ଚାଲିଥିବା ସମୟରେ ଜଣେ ବ୍ୟକ୍ତି ଆସି ମିହିରଙ୍କୁ ଖୋଜିଥିଲେ ଓ ମ୍ୟାଡାମ ଭେଟିବାକୁ ଚାହୁଁଥିବା କହିଥିଲେ। ସେହି ମ୍ୟାଡାମ ଜଣକ ତାଙ୍କର ପୁରୁଣା ପ୍ରେମିକା ବୋଲି ଜଣାପଡ଼ିଥିଲା।

ମୋର ପ୍ରିୟ ଅଭିନେତା ଥିଲେ କାକା
କାକା ମୋର ପ୍ରିୟ ଅଭିନେତା ଥିଲେ। ତାଙ୍କ ଅଭିନୟ ଅତି ଜୀବନ୍ତ। ତାଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଛି ତାହା ହିଁ ମୋର ବଡ଼ ସୌଭାଗ୍ୟ। ତାଙ୍କ ସହ ଅଭିନୟ କଲେ ଭାରି ମଜା ଲାଗେ, ବହୁତ କିଛି ଶିଖିବାକୁ ସୁଯୋଗ ବି ମିଳେ। ସେ ଆମ ସମସ୍ତଙ୍କ ଆଦର୍ଶ ଥିଲେ। ତାଙ୍କ ସହ କରିଥିବା ସବୁ ସିନେମା ଓ ବିତେଇ ଥିବା ସବୁ ମୁହୂର୍ତ୍ତ ଏବେ ସ୍ମୃତି ହୋଇଗଲା। ଆଉ ଚାହିଁଲେ ବି ସେ ସମୟ ଆଉ ଫେରିବନି କି ମୁଁ ମୋ ପ୍ରିୟ ଅଭିନେତାଙ୍କ ସହ ଅଭିନୟ କରିପାରିବିନି। ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ବିରାଟ କ୍ଷତି।

– ସବ୍ୟସାଚୀ ମିଶ୍ର, ଅଭିନେତା

ନୂଆ ଧାରା ସୃଷ୍ଟି କରିବା ଉଦ୍ଦେଶ୍ୟ ଥିଲା
ମିହିର ଦାସ ବୟସରେ ବଡ଼ ଥିଲେ। ମୁଁ ତାଙ୍କୁ ବଡ଼ଭାଇ ଡାକୁଥିଲି। ହେଲେ ସେ ସବୁବେଳେ ସାଙ୍ଗ ପରି ବ୍ୟବହାର କରୁଥିଲେ। ସଭିଙ୍କୁ ନିଜର କରି ନେଉଥିବା ବ୍ୟକ୍ତିଟିଏ ହେଉଛନ୍ତି ମିହିର ଦାସ। ମନ ଭିତରେ ଯେତେ ଦୁଃଖ ଥାଉ ତାକୁ ଫୋପାଡ଼ି ସମସ୍ତଙ୍କୁ ଆପଣାଇ ନେଉଥିବା ଲୋକଟି ଥିଲେ ସେ। ଅନେକ ସମୟ ସାଥୀ ହୋଇ ବିତେଇଛୁ। ସେ ନୂଆପିଢ଼ି ସହ ସମସ୍ତଙ୍କୁ ବହୁତ ଉତ୍ସାହିତ କରୁଥିଲେ। ତାଙ୍କ ଅଭିନୟକୁ ଟପିଯିବା ଗୋଟେ ‘ମେଲୋ’ ସଦୃଶ। ଅଭିନୟ କ୍ଷେତ୍ରରେ ସେ କୌଣସି ତାଲିମ ନେଇନଥିଲେ। ହଂସ ଭଳି ଅନ୍ୟଠାରୁ ଖିଅ ନେଇ ଆଉ ଗୋଟେ ଧାରା ସୃଷ୍ଟି କରିବା ତାଙ୍କ ଉଦ୍ଦେଶ୍ୟ ଥାଏ। ବିଜୟ ମହାନ୍ତି, ଅଜିତ ଦାସଙ୍କ ପରପିଢ଼ି ଥିଲେ ମିହିର ଦାସ। ତାଙ୍କ ଆବର୍ତ୍ତମାନ ସିନେମା ଜଗତ ପାଇଁ ଏକ ଶୂନ୍ୟସ୍ଥାନ।

– ଅଶ୍ରୁମୋଚନ ମହାନ୍ତି, ବରିଷ୍ଠ ଅଭିନେତା

ଚଳଚ୍ଚିତ୍ର ଜଗତର ବିରାଟ କ୍ଷତି
୧୯୮୧ ମସିହାରେ ‘ସ୍କୁଲ ମାଷ୍ଟର’ ଚଳଚ୍ଚିତ୍ରରେ ଉତ୍ତର ମହାନ୍ତି, ମିହିର ଦାସ ଅଭିନୟ କରୁଥିବା ବେଳେ ମୁଁ ଥିଲି ସହ-ନିର୍ଦ୍ଦେଶକ। ସେବେଠାରୁ ଆମର ଘନିଷ୍ଠତା। ଚଳଚ୍ଚିତ୍ର, ନାଟକ ଓ ବେତାର ନାଟକ ସବୁଥିରେ ଆମେ ମିଶି କାମ କରିଛୁ। ନିକଟ ଅତୀତରେ ଆମେ ଅଲ୍‌ ଇଣ୍ଡିଆ ରେଡିଓରେ ଏକ ବୀର ସବରକର ଉପରେ ଏକ ବେତାର ନାଟକ କରିଥିଲୁ। ଏବେ ସେ ଚାଲିଯାଇଥିବା କଥା ବିଶ୍ବାସ ହେଉନି। ଚଳଚ୍ଚିତ୍ର ଜଗତର ଏହା ବିରାଟ କ୍ଷତି।

– ଧୀରେନ୍ଦ୍ର ମଲ୍ଲିକ, ନାଟ୍ୟ ନିର୍ଦ୍ଦେଶକ

ସେ ଏମିତି ଛାଡ଼ି ଚାଲିଯିବେ ବିଶ୍ବାସ ହେଉନି
ମିହିର ଦାସଙ୍କ ସହ ଅନେକ ଫିଲ୍ମ କରିଛି। ତାଙ୍କ ସହ ମୁଁ ‘ରାମାୟଣ’ ଫିଲ୍ମରୁ ଜଡ଼ିତ। ଅନେକ ଫିଲ୍ମରେ ଆମେ ବଡ଼ ଭାଇ, ସାନଭାଇର ଅଭିନୟ କରିଛୁ। ତାଙ୍କ ଦେହ ଖରାପ ଥିଲା ଶୁଣିଥିଲି। ହେଲା ଭେଟି ପାରିନଥିଲି। ସେ ହଠାତ୍ ଏମିତି ଛାଡ଼ି ଚାଲିଯିବେ ବିଶ୍ବାସ ହେଉନି। ତାଙ୍କ ବିୟୋଗ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।

– ଉତ୍ତମ ମହାନ୍ତି, ବରିଷ୍ଠ ଅଭିନେତା

‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଚଳଚ୍ଚିତ୍ରରୁ ମୋତେ ସାନ ଭଉଣୀ କରିଥିଲେ

ମିହିର ଦାସ ଆମକୁ ଛାଡ଼ି ଚାଲିଯାଇଛନ୍ତି ଏ କଥାକୁ ଏବେ ବି ବିଶ୍ବାସ କରି ହେଉନି। ତାଙ୍କ ଅବଦାନ କେହି କେବେବି ଭୁଲି ପାରିବେ ନାହିଁ। ମୁଁ ‘ଗୋଜବାୟାଣୀ’ ସିନେମାରୁ କ୍ୟାରିୟର ଆରମ୍ଭ କଲାବେଳେ କିଛି ଜାଣିନଥିଲି। ସେତେବେଳେ ସେ ମୋତେ ବହୁତ କିଛି ଶିଖେଇ ଥିଲେ। ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ସିନେମା ଆଜିବି ଲୋକେ ମନେ ପକାନ୍ତି। ସେହି ଫିଲ୍ମଠାରୁ ସେ ମୋତେ ସାନ ଭଉଣୀ ଭଳି ସ୍ନେହ କରନ୍ତି। ତାଙ୍କୁ, ତାଙ୍କ ଅବଦାନକୁ ଓ ତାଙ୍କ ଅଭିନୟକୁ ଭୁଲିବା ବହୁତ କଷ୍ଟ। ଭଗବାନଙ୍କ ଆର୍ଶୀବାଦ ନ ଥିଲେ ଏପରି କଳାକାର ଜନ୍ମ ହୋଇପାରିବେନି।

– ଅନୁ ଚୌଧୁରୀ, ଅଭିନେତ୍ରୀ

ସବୁଥିରେ ପାରଙ୍ଗମ ମିହିର

ମିହିର ଦାସ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏଭଳି ଜଣେ ତାରକା ଥିଲେ, ଯିଏ ଦର୍ଶକଙ୍କୁ ପ୍ରତିଟି ଚଳଚ୍ଚିତ୍ରରେ ଆଶ୍ଚର୍ଯ୍ୟଚକିତ କରିଛନ୍ତି। ସେ ନାୟକ ଭାବେ କେବେ ଯୁବପିଢ଼ିଙ୍କୁ ସକାରାତ୍ମକ ବାର୍ତା ଦେଇଛନ୍ତି ତ କେବେ ଖଳନାୟକ ସାଜି ଡରାଇଛନ୍ତି, ପୁଣି କେବେ ହସାଇ ହସାଇ ବେଦମ୍‌ କରିଛନ୍ତି। ସ୍ତ୍ରୀ, ଲକ୍ଷ୍ମୀପ୍ରତିମା, ରାକ୍ଷୀ ବାନ୍ଧିଲି ମୋ ରଖିବୁ ମାନ ଓ ଫେରିଆ ମୋ ସୁନା ଭଉଣୀ ଆଦି ଚଳଚ୍ଚିତ୍ରରେ ନାୟକ ଭାବେ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ଏହା ବ୍ୟତୀତ ଚଳଚ୍ଚିତ୍ର ‘ଭେଳାଶଙ୍କର’ର ଭୋଳା ଚରିତ୍ର ପାଇଁ ସେ ଦର୍ଶକଙ୍କ ନିକଟରେ ସଦା ଅମର ହୋଇ ରହିଛନ୍ତି। ‘ବାଜି’ ଚଳଚ୍ଚିତ୍ରରେ ତାଙ୍କର ଖଳନାୟକ ଅବତାର ଦର୍ଶକଙ୍କୁ ଚକିତ କରିଥିଲା। ଏହା ପରେ ମିହିର ‘କଟକ : ଦ ସିଲଭର୍‌ ସିଟି’ ପରି ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବେ ଉଭା ହେଲେ। ବଲିଉଡ୍‌ରେ ଖଳନାୟକ ପରେଶ ରାୱଲଙ୍କୁ ‘ହେରାଫେରି’ ଚଳଚ୍ଚିତ୍ରରେ ଫୁଲ୍ କମେଡିଆନ୍ ଭୂମିକାରେ ଛିଡ଼ା କଲା ଭଳି ଓଲିଉଡ୍‌ରେ ନିର୍ଦ୍ଦେଶକ ବବି ଇସଲାମ୍ ମିହିରଙ୍କୁ ନେଇ ହାସ୍ୟାଭିନେତା ଚରିତ୍ରରେ ଉଭା କରିଥିଲେ। ଏଥିରେ ବି ଦର୍ଶକେ ମିହିରଙ୍କୁ ଶହେରୁ ଶହେ ନମ୍ବର ଦେଇଥିଲେ। ତାଙ୍କର ଏହି ବହୁମୁଖୀ ଅଭିନୟ ତାଙ୍କୁ ସର୍ବଦା ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପ୍ରତିଦ୍ବନ୍ଦ୍ବୀ ନାୟକ କରି ରଖିବ।

ଝଡ଼ତୋଫାନକୁ ଖାତିର ନ କରି ନାଟ୍ୟାଭ୍ୟାସ‌ରେ ପହଞ୍ଚିଥିଲେ

ପୁରୀ ଜିଲ୍ଲା ସ୍କୁଲରେ ପାଠ ପଢ଼ୁଥିବା ସମୟରେ ‘ସେମାନେ ଆସିଥିଲେ’ ନାଟକର ରିହର୍ସଲ ଥାଏ। ସେ ଦିନ ପ୍ରବଳ ଝଡ଼ବର୍ଷା। ଏପଟେ ନାଟକ ରିହର୍ସଲ ଥିବାରୁ ମିହିରଙ୍କ ମନ ଘରେ ଲାଗୁନଥାଏ। ପ୍ରବଳ ଝଡ଼ ବର୍ଷାକୁ ଖାତିର ନ କରି ସାଇକେଲ ଧରି ରିହର୍ସ ପାଇଁ ବାହାରି ଯାଇଥିଲେ। କିଛି ବାଟ ଗଲାପରେ ହଠାତ୍‌ ଏକ ଗଛ ଉପୁଡ଼ି ତାଙ୍କ ସମ୍ମୁଖରେ ପଡ଼ିଥିଲା।

ସ୍କୁଲ ନାଟକରୁ ଆରମ୍ଭ ହୋଇଥିଲା ଅଭିନୟ

ବାରିପଦା ସ୍କୁଲରେ ପଢ଼ୁଥିବା ସମୟରେ ମିହିର ଦାସ ଏକ ସ୍କୁଲ ନାଟକ ‘ମଣିକାଞ୍ଚନ’ରେ ଅଭିନୟ କରିଥିଲେ। ସୁନ୍ଦର ଓ ସୁସ୍ଥ ସବଳ ଚେହେରା ଯୋଗୁଁ ତାଙ୍କୁ ଜମିଦାର ପ୍ରତାପ କେଶରୀ ଭୂମିକାରେ ଅଭିନୟର ସୁଯୋଗ ମିଳିଥିଲା। ତାଙ୍କ ଶିକ୍ଷକ ସୁବାସ ହୋତା ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ସେ ସବୁବେଳେ ଏଥିପାଇଁ ତାଙ୍କୁ କୃତଜ୍ଞତା ଦେଇ ଚାଲିଥିଲେ। ଏହା ପରଠାରୁ ସେ ନିଜକୁ ଏକ ଅଭିନେତା ଭାବେ ପ୍ରତିଷ୍ଠିତ କରିବାର ସ୍ବପ୍ନ ଦେଖିଥିଲେ। ଏହା ପରେ ଛାତ୍ର ଜୀବନରେ ସେ ‘ସେମାନେ ଆସିଥିଲେ’, ‘ହରିଶ୍ଚନ୍ଦ୍ର’ ଓ ପୁରୀ ‘ଅନ୍ନପୂର୍ଣ୍ଣା ଥିଏଟର’ର ନାଟକ ‘ଶୁଣ ସୁଜନେ’ ଆଦି ନାଟକ କରିଛନ୍ତି।

ଛୋଟ ପରଦାରେ ବି ସକ୍ରିୟ ଥିଲେ

କେବଳ ବଡ଼ ପରଦାରେ ସୀମିତ ନଥିଲା ମିହିରଙ୍କ ଲୋକପ୍ରିୟତା। ଛୋଟ ପରଦାରେ ନିଜକୁ ଯୋଡ଼ି ସେ ଓଡ଼ିଶାର ପ୍ରତିଟି ଘରର ସଦସ୍ୟ ହୋଇପାରିଥିଲେ। ପତ୍ନୀଙ୍କ ସହ ଇ-ଟିଭି ଓଡ଼ିଆର ସୋ’ ‘ତୁମ ବିନା’ ହେଉ କି ଓ-ଟିଭିର ଲୋକପ୍ରିୟ ସୋ’ ‘ଆଶୋର ‌ଆଲୋକ’ ଜରିଆରେ ସେ ଦର୍ଶକଙ୍କ ନିକଟରେ ଅଧିକ ଯୋଡ଼ି ହୋଇ ପାରିଛନ୍ତି। ଅସୁସ୍ଥ ଶରୀର ସତ୍ତ୍ବେ ସେ ନିଜ ଘରୁ ଆଶାର ଆଲୋକର ସୁଟିଂ କରିବା, କାମ ପ୍ରତି ତାଙ୍କ ସମର୍ପଣର ଏକ ବଡ଼ ଉଦାହରଣ।

ସମ୍ବନ୍ଧିତ ଖବର