ଲତାଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା

ଲତା ମଙ୍ଗେସକର ଜଣେ ବ୍ୟକ୍ତି ନୁହନ୍ତି; ଏକ ଚିରସ୍ରୋତା ନଦୀର ଧାର। ସେ ଏମିତି ଏକ ଆଳାପ ଯାହାର ବିସ୍ତାର ମାଟିରୁ ଆକାଶ। ସେ ଏମିତି ଏକ ଆଧାର ଯାହାର ଆରମ୍ଭ ଅଛି ମାତ୍ର ‌ଶେଷ ନାହିଁ। ତାଙ୍କର ଦୀର୍ଘ ବର୍ଷର ସଂଗୀତ ଜୀବନରେ ରହିଛି ଅନେକ ରୋଚକ ତଥ୍ୟ। ସେଥିମଧ୍ୟରୁ ଏଠାରେ କେତେଗୋଟି ଘଟଣାର ସଂକ୍ଷିପ୍ତ ଉପସ୍ଥାପନା…

ଶିବରଂଜନୀକୁ ଗୁଳି ମାର ହୋ…
‘ମେହେବୁବା’ ଫିଲ୍ମର ସୁପରହିଟ୍ ଗୀତ ‘ମେରେ ନୈନା ସାୱନ ଭାଦୋ’ ଗୀତଟିକୁ କିଏ ଶୁଣିନାହିଁ ଯେ? ଗୀତଟିକୁ ଉଭୟ କିଶୋର କୁମାର ଏବଂ ଲତା ମଙ୍ଗେସକର ପୃଥକ୍ ଭାବରେ ଗାଇଛନ୍ତି ଓ ତାହା ଶ୍ରୋତା ମହଲରେ ବହୁ ଭାବରେ ଆଦ୍ରୁତ ହୋଇଛି। ଗୀତଟିକୁ ଆନନ୍ଦ ବକ୍ସି ଲେଖିଥିବା ବେଳେ ସ୍ବର ସଂଯୋଜନା କରିଛନ୍ତି ଆର୍‌.ଡି. ବର୍ମନ୍ ଓରଫ୍ ପଞ୍ଚମ୍। ତେବେ ଗୀତଟିକୁ ନେଇ ରହିଛି ଏକ ସୁନ୍ଦର କାହାଣୀ। ପଞ୍ଚମ୍ ପ୍ରଥମେ ଗୀତଟିକୁ ନେଇ କିଶୋର କୁମାରଙ୍କ ପାଖକୁ ଗଲେ। କହିଲେ: କ‌ିଶୋରଦା, ଗୀତଟିକୁ ମୁଁ ରାଗ ଶିବରଂଜନୀରେ କମ୍ପୋଜ୍ କରିଛି। ତୁମେ ଏଇ ଗୀତଟିକୁ ଗାଇବ। କିଶୋର କୁମାର କିଛି ସମୟ ଗୀତଟିକୁ ପ‌ଢ଼ିଲେ। ଧୂନ୍ ଶୁଣିଲେ। ତା’ପରେ ନିଜର ଚିରାଚରିତ ଶୈଳୀରେ ପଚାରିଲେ, କେଉଁ ରାଗରେ କରିଛ? ପଞ୍ଚମ କହିଲେ: ଶିବରଂଜନୀ। କିଶୋର ସେଇଠି ଠିଆ ହୋଇପଡ଼ି କହିଲେ: ଗୁଳି ମାର ତୁମର ସେ ଶିବରଂଜନୀକୁ। ଆଗ ଲତାକୁ ଡାକ। ତା’ପରେ ଯାଇ ମୁଁ ଗାଇବି। ନହେଲେ ନାହିଁ। ସତକୁ ସତ ଯେତେ ବୁଝାଇଲେ ବି କିଶୋର କୁମାରଙ୍କର ସେଇ ଗୋଟିଏ କଥା- ନା, ଆଗ ଲତା, ପରେ ମୁଁ। ଏହାପରେ ଲତା ମଙ୍ଗେସକରଙ୍କ କଣ୍ଠରେ ଆର‌୍‌.ଡି. ଗୀତଟିର ରେକର୍ଡ଼ କଲେ। କିଶୋର କୁମାର ସେହି ରେକର୍ଡଟିକୁ ନେଇ ପ୍ରାୟ ମାସେ କାଳ ଶୁଣିଲେ। ତା’ପରେ ଗୋଟିଏ ଟେକ୍‌ରେ ସେ ଗୀତଟିକୁ ଗାଇଦେଇଥିଲେ। କିଶୋର କହିଥିଲେ: ମୁଁ ସେ ଶିବରଂଜନୀ କଥା କିଛି ଜାଣି ନଥିଲି। ଲତା ତାଙ୍କୁ ଏମିତି ଗାଇଥିଲେ ତାହା ଏକାଥରେ ମୋ ମୁଣ୍ଡରେ ରହି ଯାଇଥିଲା।

କିଶୋରଙ୍କ ଗୀତକୁ ଗାଇଲେ ଲତା
ଥରେ କିଶୋର କୁମାର ଲତାଙ୍କୁ ପଚାରିଥିଲେ, ତାଙ୍କର କେଉଁ ଗୀତ ଲତାଙ୍କୁ ଭଲଲାଗେ। ଲତା ହସିଦେଇ କହିଥିଲେ: ଦାଦା, କହିବି ନା ଗାଇ ଶୁଣେଇବି। କିଶୋର କହିଥିଲେ: ଗାଇକି ଶୁଣାଅ। ଲତା କହିଥିଲେ: ଠିକ୍ ଅଛି। ହେଲେ ଆଜି ନୁହେଁ। କିଛି ମାସପରେ ଲତାଜୀଙ୍କ ଜନ୍ମଦିନ ପଡ଼ିଲା ଏବଂ ଲତାଜୀ କିଶୋର କୁମାରଙ୍କୁ ଗୋଟିଏ ଗିଫ୍ଟ ବକ୍ସ ପଠାଇଲେ। ବକ୍ସରେ ଗୋଟିଏ କାଗଜରେ ଲେଖାଥିଲା: ଦାଦା, ତୁମେ ମୋ ଜନ୍ମଦିନରେ ମୋତେ ବହୁତ ଉପହାର ଦେଇଛ। ମୁଁ କିଛି ଦେଇନି। ଏଇଟା ମୋ ତରଫରୁ ଉପହାର ବୋଲି ଧରିନିଅ। ଏଇଟା କେମିତି ଲାଗିଲା ନିଶ୍ଚୟ ଜଣାଇବେ। କି‌ଶୋର ବକ୍ସ ଖୋଲିଦେଖିଲେ, ତା’ ଭିତରେ ଗୋଟିଏ ଟେପ୍ ରହିଛି। ଟେପ୍ ଅନ୍‌ କରି କିଶୋର ଶୁଣିଲେ ଯେ, ଲତାଜୀ ତାଙ୍କର ଏକ ଗୀତକୁ ରେକର୍ଡ କରି ପଠାଇଛନ୍ତି। ସବୁଠୁ ମଜାର କଥା ହେଉଛି ଲତା ତାହାକୁ ଏଚ୍‌ଏମ୍‌ଭିରେ ନିଜ କଣ୍ଠରେ ରେକର୍ଡ କରି ଖାସ୍ କିଶୋର କୁମାରଙ୍କ ପାଇଁ ପଠାଇଥିଲେ। କିଶୋର କୁମାରଙ୍କୁ ତାହା ଏଭଳି ବିମୋହିତ କରିଦେଇଥିଲା ଯେ ସେ ଏହାକୁ ସାଇତି ରଖିଥିଲେ ଆଉ ଯେତେବେଳେ ଏକାନ୍ତ ସମୟ ପାଉଥିଲେ ସେତେବେଳେ ସେ ସେହି ଗୀତଟିକୁ ଶୁଣୁଥିଲେ।

ଲତାଙ୍କ ନାମରେ ପର୍‌ଫ୍ୟୁମ୍
କୋକିଳକଣ୍ଠୀ ଲତାଙ୍କ ନାମରେ ଏକ ପରଫ୍ୟୁମ୍‌ର ନାମକରଣ କରାଯାଇଥିଲା। ଏହି ପରଫ୍ୟୁମ୍‌ର ନାମ ପ୍ରଥମେ ‘ଇୟୁ ଡି ପରଫ୍ୟୁମ୍’ ଥିବା ବେଳେ ଏହାର ନାମ ରଖାଯାଇଥିଲା ‘ଲତା ଇୟୁ ଡି ପରଫ୍ୟୁମ୍’। ଫିଲ୍ମ ଫାଇନାନ୍ସର ଭାରତ ଶାହ ଏହାର ଉଦ୍‌ଘାଟନ କରିବା ସହିତ ୩.୫ ଲକ୍ଷ ଟଙ୍କାରେ ଏହାର ପ୍ରଥମ ଶିଶିର ନିଲାମ ମଧ୍ୟ ଧରିଥିଲେ। ୬୦ ଏମ୍‌ଏଲ୍‌ର ଶିଶିର ପ୍ରକୃତ ମୂଲ୍ୟ ଥିଲା ମାତ୍ର ୧୭ଶହ ଟଙ୍କା। ଏ ବାବଦରେ ସୂଚନା ଦେଇ ଶାହ କହିଥିଲେ ଯେ, ଲତା ତାଙ୍କ ଗୀତର ମହକରେ ସାରା ଦୁନିଆକୁ ମହକାଇଛନ୍ତି। କୋଟିକୋଟି ହୃଦୟରେ ପ୍ରେମର ସୁଗନ୍ଧ ଭରି ଦେଇଛନ୍ତି। ସେହି ତୁଳନାରେ ଏହା କିଛି ନୁହେଁ। ଯଦି କୁହାଯାଏ ଏ ପରଫ୍ୟୁମ୍ ଯେତିକି ମୂଲ୍ୟବାନ୍ ଲତାଜୀ ତା’ଠୁ ବହୁ ଅଧିକ ମୂଲ୍ୟବାନ।

ସମ୍ବନ୍ଧିତ ଖବର