ପୁଣି ଅନୁ ମଲ୍ଲିକଙ୍କୁ ନେଇ ଅସନ୍ତୋଷ ଝାଡ଼ିଲେ ଗାୟିକା ସୋନା ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ବିଶାଲଙ୍କୁ ବି କଟାକ୍ଷ କଲେ

ମୁମ୍ବାଇ: ମ୍ୟୁଜିକ ରିୟଲିଟି ସୋ’ ଇଣ୍ଡିଆନ ଆଇଡ଼ଲର ବିଚାରକ ଭୂମିକାରେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କୁ ସାମିଲ କରାଯିବା ନେଇ ପୁଣି ଟ୍ୱିଟରରେ ଝଡ ସୃଷ୍ଟି କରିଛନ୍ତି ଓଡ଼ିଆ ଝିଅ ତଥା ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର | ସୋନା ଇଣ୍ଡିଆନ ଆଇଡ଼ଲର ବିଚାରକ ବିଶାଲ୍ ଦଦଲାନି ଓ ସୋନି ଟିଭି ଉପରେ ନିଜ ରାଗ ସୁଝାଇଛନ୍ତି | ସୋନା କହିଛନ୍ତି ଯେ ମି ଠୁ ଅଭିଯାନ ସମୟରେ ବିଶାଳ ସରକାରଙ୍କ ଉପରେ ଆରୋପ ଲଗାଇ କହିଥିଲେ କି ବହୁ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣୁଥିବା ବେଳେ ଏ ବାବଦରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ।  କିନ୍ତୁ  ବର୍ତ୍ତମାନ ତାଙ୍କ ଇଙ୍ଗିତରେ  କିଭଳି #ମି ଠୁ ଅଭିଯୁକ୍ତ ଅନୁ ମଲ୍ଲିକଙ୍କୁ ଇଣ୍ଡିଆନ ଆଇଡ଼ଲର ବିଚାରକ ଭୂମିକାରେ ସାମିଲ କରାଗଲା ବୋଲି ସୋନା ପ୍ରଶ୍ନ କରିଛନ୍ତି | ସେ କହିଛନ୍ତି କି ଏହା ସଂଗୀତ ନିର୍ଦ୍ଦେଶକ ବିଶାଲ୍ ଦଦଲାନିଙ୍କ ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି।

ସେହିଭଳି ସୋନା ଅଭିଯୋଗ କରିଛନ୍ତି ଯେ ଅନୁଙ୍କୁ ପୁଣି ଥରେ ବିଚାରକ ଭାବେ ଗ୍ରହଣ କରାଯିବା ଦର୍ଶାଉଛି ଯେ ଯୌନ ଶୋଷଣ କରୁଥିବା ଲୋକଙ୍କୁ ଚ୍ୟାନେଲ ସମର୍ଥନ କରୁଛି | ଏଠାରେ ସୂଚନା ଥାଉ କି ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ #ମି ଠୁରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଅନୁ ମଲ୍ଲିକଙ୍କୁ ଜଣେ ‘ଯୌନ ଶିକାରୀ’ ବୋଲି ଅଭିହିତ କରିଥିଲେ ଗାୟିକା ସୋନା ମହାପାତ୍ର। #ମି ଠୁରେ ଅଭିଯୁକ୍ତ ହେବା ପରେ ସଂଗୀତ ଜଗତରେ ଅନୁ ମଲ୍ଲିକ ବାସନ୍ଦ ହୋଇଯିବା ସହ ଏକ ଘରକିଆ ହୋଇ ପଡ଼ିଥିଲେ।


ପୂର୍ବରୁ ସୋନା ମହାପାତ୍ର ଓ ଲୋକପ୍ରିୟ ଗାୟିକା ଶ୍ୱେତା ପଣ୍ଡିତ ଅନୁ ମଲ୍ଲିକ୍‌ଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ, ଯାହାଫଳରେ ଅନୁଙ୍କୁ ଇଣ୍ଡିଆନ ଆଇଡ଼ଲର ବିଚାରକ ଆସନରୁ ହଟାଯାଇଥିଲା |`

ସମ୍ବନ୍ଧିତ ଖବର