ଓଡ଼ିଶାରୁ ଯାଇ ବଲିଉଡ୍ ଦୁନିଆରେ କଣ୍ଠଶିଳ୍ପୀ ରୂପେ ନାଁ କମାଇଥିବା ସୋନା ମହାପାତ୍ର ଅନେକ ସମୟରେ ବିବାଦ ଭିତରେ ରହିଥାନ୍ତି। ବର୍ତ୍ତମାନ ସେ ଅଭିନେତ୍ରୀ ଶେହନାଜ ଗିଲ୍ଙ୍କ ପଛରେ ପଡ଼ିଛନ୍ତି। ସେ କିଛି ଦିନ ହେଲା କହିଆସୁଛନ୍ତି ଯେ ଶେହନାଜ ହେଉଛନ୍ତି ଜଣେ ସୁବିଧାବାଦୀ ନାରୀ ଯିଏ ଯୌନ ଉତ୍ପୀଡ଼କଙ୍କୁ ସମର୍ଥନ କରି ଉପରକୁ ଉଠିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଏକ ପୁରସ୍କାର ଉତ୍ସବରେ ଶେହନାଜ ଗୀତ ଗାଇବା ବେଳେ ଅଜାନକୁ ସମ୍ମାନ ଜଣାଇ କିଛି ସମୟ ଲାଗି ଗୀତ ଗାଇବା ବନ୍ଦ କରିଦେଇଥିଲେ। ଏ ନେଇ ସାମାଜିକ ଗଣମାଧ୍ୟମରେ ଶେହନାଜଙ୍କ ପ୍ରଶଂସାର ସୁଅ ଛୁଟିଥିଲା। କିନ୍ତୁ ସୋନା ଏଥିରେ ହସ୍ତକ୍ଷେପ କରି ଶେହନାଜଙ୍କ ଅସଲ ଚେହେରା ପଦାରେ ପକାଇଦେଇଥିଲେ। ସେ କହିଥିଲେ ଯେ ଶେହନାଜ ଏକାଧିକ ଯୌନ ଉତ୍ପୀଡ଼ନକାରୀ ପୁରୁଷଙ୍କୁ ସମର୍ଥନ ଓ ପ୍ରଶଂସା କରିବା ସହିତ ସେମାନଙ୍କର ମହିମାମଣ୍ଡନ କରିଆସିଛନ୍ତି। ବିଗ୍ ବସ୍ ୧୬ରେ ‘ମି ଠୁ’ ଅଭିଯୁକ୍ତ ସାଜିଦ ଖାଁଙ୍କ ଅଂଶଗ୍ରହଣକୁ ଶେହନାଜ ସ୍ବାଗତ କରିବା ଘଟଣା ଏହାର ଏକ ଉଦାହରଣ। ସୋନା ନାରୀବାଦର ଦ୍ବାହି ଦେଇ ଆଉ ଜଣେ ମହିଳା (ଶେହନାଜ)ଙ୍କ ଚରିତ୍ର ସଂହାର କରୁଛନ୍ତି ବୋଲି କିଛି ଲୋକ ଅଭିଯୋଗ କରିଥିଲେ। ତେବେ ସୋନା ଏଭଳି ଅଭିଯୋଗକୁ ନିଜ ଢଙ୍ଗରେ ଖଣ୍ଡନ କରି ଉଲ୍ଲେଖ କରିଛନ୍ତି ଯେ ନାରୀବାଦର ଅର୍ଥ ନୁହେଁ ଅନ୍ଧ ଭାବେ ପ୍ରତ୍ୟେକ ମହିଳାଙ୍କୁ ସମର୍ଥନ କରିବା।
ସେ ଟୁଇଟର୍ରେ ଲେଖିଛନ୍ତି ତାଙ୍କର ନାରୀବାଦ ପୁସ୍ତକରେ ପ୍ରତ୍ୟେକ ନାରୀ ପରୀ ନୁହନ୍ତି କି ପ୍ରତିଟି ପୁରୁଷ ରାକ୍ଷସ ନୁହନ୍ତି। ଯେଉଁ ମହିଳାମାନେ ନିଜ ସ୍ବାର୍ଥ ପାଇଁ ପ୍ରଭାବଶାଳୀ ତଥା ସଫଳ ଯୌନ ଅପରାଧୀଙ୍କୁ ପ୍ରଶଂସା କରିବାର ସହଜ ମାର୍ଗ ଅନୁସରଣ କରୁଛନ୍ତି ସେମାନେ ଲିଙ୍ଗଗତ ସମାନତାର ଲଢ଼େଇକୁ କ୍ଷତିଗ୍ରସ୍ତ କରୁଛନ୍ତି। ତେଣୁ ସେଭଳି ସୁବିଧାବାଦୀ ମହିଳାଙ୍କୁ ଉତ୍ତରଦାୟୀ କରାଯିବା ଉଚିତ ବୋଲି ସୋନାଙ୍କ ମତ। ସୋନା ଅତୀତରେ ସଂଗୀତଜ୍ଞ ଅନୁ ମଲିକ ଓ କୈଳାସ ଖେରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି। ସେ ସଲମାନ ଖାଁଙ୍କୁ ନାରୀବିଦ୍ବେଷୀଙ୍କ ଦଳପତି କହିବାକୁ ମଧ୍ୟ ପଛାନ୍ତି ନାହିଁ। ଏଥିପାଇଁ ତାଙ୍କୁ ପୂର୍ବରୁ ହତ୍ୟା ଧମକ ମଧ୍ୟ ମିଳିସାରିଛି। ତଥାପି ସେ ନିର୍ଭୀକ ଭାବେ ମନୋରଂଜନ ଶିଳ୍ପକୁ ଶୋଷଣମୁକ୍ତ କରିବାର ଲଢ଼େଇ ଜାରି ରଖିଛନ୍ତି।