ଶ୍ରମ ମନ୍ତ୍ରାଳୟ ଉପରେ ବର୍ଷିଲେ ସୋନୁ

ସୋନୁ ନିଗମ୍‌ଙ୍କ ଏକ ଫେକ୍‌ ଆକାଉଣ୍ଟ୍‌ରୁ ଦୀପିକା ପାଦୁକୋନ୍‌ଙ୍କ ଏକ ବିବାଦୀୟ ପୋଷ୍ଟ ଶ୍ରମ ମନ୍ତ୍ରାଳୟ ରି-ଟ୍ବିଟ୍‌ କରିଛି। ଏହାକୁ ନେଇ ସୋନୁ କ୍ଷୁବ୍ଧ ହେବା ସହ ମନ୍ତ୍ରାଳୟର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଜାରି କରି ଏଭଳି ରି-ଟ୍ବିଟ୍‌ ପାଇଁ ଶ୍ରମ ମନ୍ତ୍ରାଳୟ ଉପରେ ଖୁବ୍‌ ବର୍ଷିଛନ୍ତି ସୋନୁ। ପ୍ରକାଶଥାଉ କି ଉକ୍ତ ଟ୍ବିଟ୍‌ରେ ଦୀପିକାଙ୍କ ଏକ ଏଡିଟେଡ୍ ‌ଫଟୋ ରହିଛି। ଏଥିରେ ଦୀପିକା ଗୋଟିଏ ହାତରେ ଗ‌ଞ୍ଜେଇ ଧରିଥିବା ଓ ମୁହଁରୁ ଧୂଆଁ ବାହାର କରୁଥିବା ଦେଖିବାକୁ ମିଳିଛି। ଏଥିସହ ଦୀପିକାଙ୍କ ଗୋଟିଏ ଆଖି ନୀଳ ଓ ଆଉ ଏକ ଆଖି ସବୁଜ ହୋଇଯାଇଥିବା ଏଥିରେ ଦେଖିବାକୁ ମିଳିଛି। ଏହାର ଶିରୋନାମାରେ ଲେଖା ରହିଛି, ମୋ ପରେ ପୁନରାବୃତ୍ତି କରନ୍ତୁ… ‘ଡି ଫର୍‌ ଡିପ୍ରେସନ୍‌, ଡି ଫର୍‌ ଡ୍ରଗ୍‌ସ୍‌ ଓ ଡି ଫର୍‌ ଦୀପିକା’। ଏହି ଟ୍ବିଟ୍‌ ଆସିଥିବା ଆକାଉଣ୍ଟ୍‌ ସୋନୁ ନିଗମ୍‌ଙ୍କ ଆଧିକାରିକ ଆକାଉଣ୍ଟ ହୋଇନଥିବା ବେଳେ ଏହା ଏକ ଫେକ୍‌ ଆକାଉଣ୍ଟ୍‌। ଏଥିରେ ସୋନୁଙ୍କ ଫଟୋ ବି ରହିଛି। କିନ୍ତୁ ଏଭଳି ଏକ ଫେକ୍‌ ଆକାଉଣ୍ଟ୍‌ରୁ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପୋଷ୍ଟ୍‌ ରି-ଟ୍ବିଟ୍‌ ଅତ୍ୟନ୍ତ ଦାୟିତ୍ବହୀନତା ଓ ଲଜ୍ଜାଜନକ ବୋଲି ସୋନୁ କହିଛନ୍ତି। ଗୋଟିଏ ବୁଦ୍ଧିମାନ ଓ ଭଲ ଦେଶରେ ଏକ ମନ୍ତ୍ରାଳୟ ପକ୍ଷରୁ ଏଭଳି ଭୁଲ୍‌ ‌ବାର୍ତ୍ତା ରି-ଟ୍ବିଟ୍‌ କ’ଣ ସମ୍ଭବ? ଯଦି ନୁହେଁ, ତେବେ ଦେଶରେ ମାନସିକ ଅସ୍ଥିରତା ଜନିତ ଅବ୍ୟବସ୍ଥା ଚାଲିଛି ବୋଲି ମାନିବାକୁ ହେବ ବୋଲି ସୋନୁ କହିଛନ୍ତି। ସୋନୁଙ୍କ ସମାଲୋଚନା ପରେ ମନ୍ତ୍ରାଳୟ ପକ୍ଷରୁ ଏହି ଟ୍ବିଟ୍‌କୁ ଡିଲିଟ୍‌ କରି ଦିଆଯାଇଛି।

ସମ୍ବନ୍ଧିତ ଖବର