ହିନ୍ଦୀ ଅଧିକ କୁହାଯାଉଥିବା ଭାଷା ହୋଇପାରେ, କିନ୍ତୁ ରାଷ୍ଟ୍ରଭାଷା ନୁହେଁ; ଅଜୟଙ୍କ ଟ୍ବିଟକୁ ନେଇ ସୋନୁଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଗୋଟିଏ ପଟେ ସାଉଥ ସିନେମାର ପ୍ରାଧାନ୍ୟ ବଢ଼ୁଥିବା ବେଳେ ଅନ୍ୟପଟେ ଭାଷାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ସାଉଥ ଇଣ୍ଡଷ୍ଟ୍ରିର ହିଟ୍ ଭିଲେନ୍ କିଚ୍ଚା ସୁଦୀପଙ୍କ ଏକ ସାକ୍ଷାତକାରରୁ ଏହି ବିବାଦ ଆରମ୍ଭ ହୋଇଛି। ଭାଇରାଲ ହେଉଥିବା ଏକ ଭିଡିଓରେ ସେ ହିନ୍ଦୀ ଭାଷାକୁ ନେଇ କହିଥିଲେ ଯେ ଏହା ଆମର ରାଷ୍ଟ୍ରଭାଷା ନୁହେଁ। ଏହା ପରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ତାଙ୍କୁ ଟ୍ବିଟ କରି କହିଥିଲେ ଯେ, ତୁମ ଅନୁଯାୟୀ ଯଦି ହିନ୍ଦୀ ଆମର ରାଷ୍ଟ୍ରଭାଷା ନୁହେଁ ତେବେ ତୁମେ ତୁମର ମାତୃଭାଷାରେ ସୁଟ୍ କରାଯାଇଥିବା ଚଳଚ୍ଚିତ୍ରକୁ ହିନ୍ଦୀରେ ଡବ କରି କାହିଁକି ରିଲିଜ୍ କରୁଛ?

ବାସ୍ ଏଇଠୁ ଆରମ୍ଭ ହୋଇଯାଇଥିଲା ଭାଷା ବିବାଦ। ଏହି ଟ୍ବିଟକୁ ନେଇ ଅଜୟଙ୍କୁ ଅନେକ ନେତା-ଅଭିନେତା ସମାଲୋଚନା କରିଥିବା ବେଳେ ଏବେ ଏଥିରେ ଯୋଡ଼ି ହୋଇଛି ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ନାଁ। ଏକ ସାକ୍ଷାତକାରରେ ସୋନୁ ନିଗମ କହିଛନ୍ତି ଯେ, ସମ୍ବିଧାନର କୌଣସି ସ୍ଥାନରେ ଏହା ଲେଖା ନାହିଁ ଯେ ହିନ୍ଦୀ ହେଉଛି ଆମର ରାଷ୍ଟ୍ର ଭାଷା। ଏହା ସବୁଠାରୁ ଅଧିକ କୁହାଯାଉଥିବା ଭାଷା ହୋଇପାରେ, କିନ୍ତୁ ରାଷ୍ଟ୍ର ଭାଷା ନୁହେଁ। ବରଂ ତାମିଲ ହେଉଛି ସର୍ବ ପୁରାତନ ଭାଷା। ସଂସ୍କୃତ ଏବଂ ତାମିଲ ମଧ୍ୟରେ କିଏ ସର୍ବପୁରାତନ ଏନେଇ ବିତର୍କ ଚାଲିଥିବା ବେଳେ ଲୋକମାନେ କୁହନ୍ତି ଯେ ତାମିଲ ହେଉଛି ସମଗ୍ର ବିଶ୍ୱର ସର୍ବ ପୁରାତନ ଭାଷା। ସୋନୁଙ୍କ ଏଭଳି ବୟାନ ଏବେ ନୂଆ ବିବାଦ ଛିଡ଼ା କରିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର