ମୋ ସ୍ବାମୀଙ୍କୁ ତାଙ୍କ ଘରକୁ କିମ୍ବା ମୋତେ ଆମ ଘରକୁ ପଠାଇ ଦିଅ ବୋଲି ଟ୍ବିଟ୍‌ କଲେ ମହିଳା, ଏପରି ଉତ୍ତର ରଖିଲେ ସୋନୁ ସୁଦ୍‌

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ଘରକୁ ଫେରିବାକୁ ଚାତକ ପରି ଅନେଇ ବସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜର ଗସ୍ତବ୍ୟ ସ୍ଥଳକୁ ପଠାଇବାର ବନ୍ଦୋବସ୍ତ କରି ମାନବରୁ ଦେବଦୂତ ସାଜିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ସୋନୁ ତାଙ୍କର ଏହି ଗୁଣ ପାଇଁ ଏବେ ଘରେ ଘରେ ପରିଚିତ। ହଜାର ହଜାର ପ୍ରବାସ ଶ୍ରମିକଙ୍କୁ ନିଜ ଘରକୁ ପଠାଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସୋନୁ ସୁଦ୍‌।

ସୋନୁଙ୍କୁ ଟ୍ୟାଗ୍‌ ହୋଇ ଏବେ ସୋସିଆଲ୍‌ ମିଡିଆରେ ବହୁ ପୋଷ୍ଟ୍‌ ଦେଖିବାକୁ ମିଳୁଛି। ସବୁଠାରୁ ମଜାଦାର୍ କଥା ହେଉଛି ସୋନୁ ମଧ୍ୟ ଏହି ପୋଷ୍ଟ୍‌ଗୁଡ଼ିକର ଜବାବ ଦେଉଛନ୍ତି।

ସୁଶ୍ରୀମା ଆଚାର୍ଯ୍ୟ ନାମକ ଜଣେ ମହିଳା ସୋନୁଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘ସୋନୁ ସୁଦ୍‌, ମୁଁ ମୋ ସ୍ବାମୀଙ୍କ ସହ ଜନତା କର୍ଫ୍ୟୁରୁ ନେଇ ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ରହୁଛି। ଆପଣ ତାଙ୍କୁ ତାଙ୍କ ଘରକୁ କିମ୍ବା ମୋତେ ମୋ ଘରକୁ ପଠାଇ ଦେଇପାରିବେ କି? ତାଙ୍କ ସହ ରହିବା ଆଉ ସମ୍ଭବପର ନୁହେଁ।’ ଏହାର ଜବାବରେ ସୋନୁ ଲେଖିଛନ୍ତି, ‘ଭଲ ହେବ ମୁଁ ତୁମେ ଦୁଇ ଜଣଙ୍କୁ ଗୋଆ ପଠାଇ ଦେବି। କ’ଣ କହୁଛ?’

ଗତ କାଲି ଏକ କୁନି ଝିଅର ଭିଡିଓ ଭାଇରାଲ୍‌ ହୋଇଥିଲା। ଭିଡିଓରେ କୁନି ଝିଅଟି କହୁଥିବାର ଶୁଣିବାକୁ ମିଳିଥିଲା କି ‘ସୋନୁ ଅଙ୍କଲ୍‌, ମୁଁ ଶୁଣିଲି ଆପଣ ସମସ୍ତଙ୍କୁ ସେମାନଙ୍କ ଘରକୁ ପଠାଇ ଦେଉଛନ୍ତି। ମୋ ପାପା କହୁଛନ୍ତି ମୋ ମାମାଙ୍କୁ ଆପଣ ତାଙ୍କ ଘରକୁ ପଠାଇ ପାରିବେ କି?’ ଏହାର ଉତ୍ତରରେ ସୋନୁ ଲେଖିଥିଲେ କାମଟି ଖୁବ୍ ଚ୍ୟାଲେଞ୍ଜିଂ।

ସମ୍ବନ୍ଧିତ ଖବର