ନୂଆଦିଲ୍ଲୀ: ଲକଡାଉନ ପରଠାରୁ ଅଭିନେତା ସୋନୁ ସୁଦ ଗରିବ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୋନୁ ସୁଦ ଯେଉଁମାନଙ୍କ ସମ୍ବଳ ଅଭାବ କିମ୍ବା ଯେଉଁମାନେ ନିଜ ଜୀବନରେ ସଠିକ୍ ଭାବରେ ବଞ୍ଚିବାକୁ ସକ୍ଷମ ହେଉ ନାହାନ୍ତି ସେମାନଙ୍କ ପାଖରେ ଦେବଦୂତ ସାଜି ପହଞ୍ଚୁଛନ୍ତି।
ନିକଟରେ ସୋସିଆଲ ମିଡିଆରେ ଜଣେ ଚା’ ବିକ୍ରେତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଉକ୍ତ ଚା’ ବିକାଳି ଜଣକ ଦିନସାରା କଷ୍ଟକରି ଚା’ ବିକ୍ରି କରିଥାଆନ୍ତି। ଏଥିରୁ ସେ ଯେତିକି ରୋଜଗାର କରନ୍ତି ପିଲାମାନଙ୍କ ପାଠପଢ଼ାରେ ଖର୍ଚ୍ଚ କରି ଦେଇଥାଆନ୍ତି। କରୋନା ମହାମାରୀ ପାଇଁ ଲକଡାଉନ ଓ ସଡଡାଉନ ଜାରି ହୋଇଛି। ଏହି କାରଣରୁ ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କୁ ଘରେ ବସି ଅନଲାଇନ୍ କ୍ଲାସ କରିବାକୁ ସରକାର ଘୋଷଣା କରିଛନ୍ତି।
ଯେତେବେଳେ ଅଧ୍ୟୟନ ଡିଜିଟାଲ୍ ହୋଇଗଲା ଉକ୍ତ ଚା’ ବିକାଳି ପିଲାଙ୍କ ପାଇଁ ମୋବାଇଲ୍ ଫୋନ୍ ବ୍ୟବସ୍ଥା କରି ପାରି ନଥିଲେ। କାରଣ ଏଥିପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନଥିଲା।
ଟୁଇଟର ପୋଷ୍ଟ ଅନୁଯାୟୀ, ଦିଲ୍ଲୀର ରାଧୁ ପ୍ୟାଲେସସ୍ଥିତ ରାସ୍ତା ପାର୍ଶ୍ବରେ ଚା’ ଠେଲା ଚଳାଉଥିବା ଅମିତଙ୍କର ଦୁଇଟି ସନ୍ତାନ ଅଛନ୍ତି। ଗୋଟିଏ ପଞ୍ଚମରେ ଏବଂ ଅନ୍ୟ ଜଣେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। କିନ୍ତୁ ସ୍ମାର୍ଟଫୋନ୍ ଅଭାବ ହେତୁ ଉଭୟ ପିଲା ପାଠପଢ଼ିବାରେ ଅସମର୍ଥ ହୋଇଛନ୍ତି।
Monday se koi class miss nahin hogi 🙏
Kabhi delhi aaye to apni dukaan ki chai aur omelette khila dena 🙏 @Karan_Gilhotrahttps://t.co/4NOShWAu4V— sonu sood (@SonuSood) November 1, 2020
ଏହି ଟୁଇଟ ପାଇବା ପରେ ସବୁଥର ପରି ସୋନୁ ସୁଦ ଏହି ଚା ବିକ୍ରେତାଙ୍କୁ ମଧ୍ୟ ନିରାଶ ହେବାକୁ ଦେଇନାହାଁନ୍ତି। ସେ କେବଳ ଚା ବିକ୍ରେତାଙ୍କ ପିଲାମାନଙ୍କୁ ସାହାଯ୍ୟ କରିନାହାଁନ୍ତି ବରଂ ସେହି ଚା ବିକ୍ରେତାଙ୍କ ଜୀବନରେ ମଧ୍ୟ ସୁଖ ଭରି ଦେଇଛନ୍ତି।
ସୋନୁ ଟ୍ୱିଟ୍ କରି ଲେଖିଛନ୍ତି- ସୋମବାର ଠାରୁ ଆପଣଙ୍କ ପିଲାମାନଙ୍କର ପାଠପଢ଼ିବାରେ କୌଣସି ଅସୁବିଧା ହେବ ନାହିଁ। ଯେତେବେଳେ ବି ମୁଁ ଦିଲ୍ଲୀ ଆସିବି ତୁମ ଦୋକାନରେ ଚା ଏବଂ ଅମଲେଟ୍ ଖାଇବାକୁ ଦେବ।
ଏଭଳି ପରିସ୍ଥିତିରେ ସୋନୁ ଏକାସାଙ୍ଗରେ ଦୁଇ ଜଣଙ୍କୁ ସାହାଯ୍ୟ କରିଛନ୍ତି। ପିଲାମାନଙ୍କୁ ମୋବାଇଲ୍ ଦେବା ସହ ଚା’ ବିକାଳିଙ୍କ ବ୍ୟବସାୟକୁ ଆଗକୁ ନେବାରେ ମଧ୍ୟ ସାହାଯ୍ୟ କରିଛନ୍ତି ।