ଗୋଟିଏ ଟୁଇଟ ପାଇ ଚାକିରି ହରାଇ ପରିବା ବିକୁଥିବା ସଫ୍ଟଓୟାର ଇଂଜିନିୟରଙ୍କୁ ସୋନୁ ସୁଦ୍ ଯୋଗାଇ‌ ଦେଲେ ଚାକିରି

ମୁମ୍ବାଇ: କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ବଲିଉଡ ଅଭିନେତା ସୋନୁ ସୁଦ ଚର୍ଚ୍ଚାରେ ରହି ଆସିଛନ୍ତି। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସେମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଅଭିନେତା ସୋନୁଙ୍କର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ । ଏବେ ସୋନୁ କେବଳ ଯେ ପ୍ରବାସୀମାନଙ୍କୁ ସାହାଯ୍ୟ କରୁଛନ୍ତି ତାହା ନୁହେଁ, ଅସହାୟ ଲୋକଙ୍କ ପାଖରେ ଦେବଦୂତ ସାଜି ପହଞ୍ଚୁଥିବା ବି ନଜର ଆସୁଛନ୍ତି।  ନିକଟରେ ସେ ହାଇଦ୍ରାବାଦର ଜଣେ ସଫ୍‌ଟଓ୍ଵୟାର ଇଞ୍ଜିନିୟରଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିବା ସହ ପ୍ରଶଂସା ବି ସାଉଁଟିଛନ୍ତି।

ଚଳିତ ମାସ ଆରମ୍ଭରେ ସୋନୁ ପ୍ରବାସୀଙ୍କୁ ସାହାଯ୍ୟ କରିବା ସହିତ ସେମାନଙ୍କୁ ଚାକିରି ଦେବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରବାସୀ ‘ରୋଜଗାର ନାମକ’ ଏକ କାର୍ଯ୍ୟକ୍ରମ ଜରିଆରେ ସେ ଅନେକ ଅଭାବୀ ଓ ଆବଶ୍ୟକୀୟଙ୍କ ଚାକିରି କରାଇବାକୁ ଚେଷ୍ଟା କରୁଛନ୍ତି ।

ନିକଟରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଜନୈକା ପରିବା ବିକାଳିଙ୍କ ଭିଡିଓ ଟୁଇଟ କରି ସେୟାର କରିଥିଲେ। ଏଥିସହିତ ଉକ୍ତ ବ୍ୟବହାରକାରୀ ଭିଡିଓକୁ ସୋନୁ ସୁଦଙ୍କୁ ଟ୍ୟାଗ୍‌ କରି ଲେଖିଥିଲେ ଯେ, ‘ପ୍ରିୟ ସୋନୁ ସୁଦ, ଇଏ ହେଉଛନ୍ତି ସାରଦା, ଯାହାଙ୍କୁ କରୋନା ସଙ୍କଟ ସମୟରେ @VirtusaCorp ଚାକିରିରୁ ବାହାର କରିଦେଇଛି । କିନ୍ତୁ ସେ ହାର ନ ମାନି ନିଜ ପରିବାର ଚଳାଇବା ପାଇଁ ପରିବା ବିକିବା ଆରମ୍ଭ କରିଛନ୍ତି । ଦେଖନ୍ତୁ, ଯଦି ହେବ ତ ଏହି ଯୁବତୀଙ୍କୁ ଆପଣ କିଛି ସାହାଯ୍ୟ କରିପାରିବେ । ଆଶା କରୁଛି ଆପଣ ଏହାର ଉତ୍ତର ନିଶ୍ଚୟ ଦେବେ।’

ସୋନୁ ସୁଦ ଉକ୍ତ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଏହି ଅନୁରୋଧ ମୂଳକ ଟୁଇଟର ଉତ୍ତରରେ ଲେଖିଥିଲେ, ‘ମୋ ଅଧିକାରୀ ତାଙ୍କୁ ସାକ୍ଷାତ କରି ସାରିଛନ୍ତି। ଇଣ୍ଟରଭ୍ୟୁ ବି ହୋଇଯାଇଛି। କେବଳ ଏତିକି ନୁହେଁ, ସାରଦାଙ୍କୁ ଚାକିରି ମଧ୍ୟ ମିଳିସାରିଛି । ଜୟ ହିନ୍ଦ।’

ଜଣେ ପରିବା ବିକାଳିଙ୍କୁ ସୋନୁଙ୍କ ଏଭଳି ସାହାଯ୍ୟ ଚାରିଆଡେ ଚର୍ଚ୍ଚା ପାଳଟିଛି।

ସମ୍ବନ୍ଧିତ ଖବର