ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ସୋନୁ ସୁଦ୍‌

ପ୍ରବାସୀ ଶ୍ରମିକଙ୍କ ପାଇଁ ବାସ୍ତବ ଜୀବନର ନାୟକ ସାଜିଥିବା ସୋନୁ ସୁଦ୍‌ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେଖା କରିଛନ୍ତି। ଠାକ୍‌ରେଙ୍କ ବାସଭବନ ‘‌ମାତୋଶ୍ରୀ’ରେ ଗତକାଲି ସଂଧ୍ୟାରେ ସୋନୁ, ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଅସ୍‌ଲମ୍‌ ଶେଖ୍‌ ଓ ଆଦିତ୍ୟ ଠାକ୍‌ରେଙ୍କ ସହ ସାକ୍ଷାତ୍‌ କରିଛନ୍ତି। ବିଜେପି ସହ ମିଶି ସୋନୁ ସୁଦ୍‌ ପ୍ରବାସୀମାନଙ୍କ ସହଯୋଗ କରୁଛନ୍ତି ଓ ମହାରାଷ୍ଟ୍ର ସରକାରଙ୍କୁ ନୀଚା ଦେଖାଉଛନ୍ତି ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ୍‌ଙ୍କ ମନ୍ତବ୍ୟ ପରେ ସୋନୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସୋନୁଙ୍କୁ ଦେଖା କରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଥିଲେ, ଭାରତର ସବୁ ଦଳ ସୋନୁଙ୍କୁ ସହଯୋଗ କରୁଛନ୍ତି। ମହାରାଷ୍ଟ୍ର ସରକାର ମଧ୍ୟ ଏଥିରେ ସାମିଲ ଅଛି। ଏହା କୌଣସି ନିର୍ଦ୍ଦିଷ୍ଟ ଦଳର କଥା ନୁହେଁ। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ଦଳ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି। ଅସହାୟମାନଙ୍କୁ ସହଯୋଗର ହାତ ବଢ଼ାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଏଥିରେ ମହାରାଷ୍ଟ୍ର ସରକାରଙ୍କର କୌଣସି ଦ୍ବନ୍ଦ୍ବ ନାହିଁ।

ସାଂସଦ ସଞ୍ଜୟ ରାଉତ୍‌ ଶିବସେନାର ମୁଖପତ୍ର‌ରେ ନିଜ ସାପ୍ତାହିକ ସ୍ତମ୍ଭରେ ଏଭଳି ବିବାଦୀୟ ବୟାନ ଦେଇ ଲେଖିଥିଲେ, ଭଲ ଟଙ୍କା ମିଳିଲେ ସୋନୁ ଯେକୌଣସି ଦଳକୁ ବିଜ୍ଞାପିତ କରିପାରିବେ। ସୋନୁ ଜ‌ଣେ ଅଭିନେତା। ତାଙ୍କର କାମ ହେଉଛି ଆଉ କାହା ଦ୍ବାରା ଲିଖିତ ସଂଳାପକୁ ଜୀବନ୍ତଶୈଳୀରେ ପରିବେଷଣ କରିବା। ସୋନୁଙ୍କ ଭଳି ଏମିତି ଅନେକ ଲୋକ ଅଛନ୍ତି, ଯାହାଙ୍କୁ ଭଲ ଟଙ୍କା ଦେଲେ ସେମାନେ ଉକ୍ତ ଦଳର ପ୍ରଚାରରେ ଲାଗିଯିବେ। ଏହାପରେ ସୋନୁ ଟ୍ବିଟ୍‌ କରି ଲେଖିଛନ୍ତି, ପ୍ରବାସୀ ଶ୍ରମିକମାନଙ୍କ ସହ ମୋର ଏହି ଯାତ୍ରା ଅତି ସ୍ବତନ୍ତ୍ର। ଏହା ସିଧା ହୃଦୟର ରାସ୍ତା। କଶ୍ମୀରରୁ କନ୍ୟାକୁମାରୀ ଯେ କେହିବି ମୋ ଠାରୁ ସାହାଯ୍ୟ ଆଶା କରୁଛନ୍ତି, ମୁଁ ମୋ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିବି ସେମାନଙ୍କୁ ସେମାନଙ୍କ ପରିବାର ସହ ମିଶାଇବାକୁ।

ସମ୍ବନ୍ଧିତ ଖବର