ନୂଆଦିଲ୍ଲୀ: ଗତବର୍ଷ ଜଣେ ମହିଳା ରୁଟି କରୁ କରୁ ଗୀତ ଗାଉଥିବା ବେଳର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ମହିଳାଙ୍କୁ ଗୀତ ଗାଇବାକୁ ତାଙ୍କ କୁନି ପୁଅ ବାଧ୍ୟ କରୁଥିବାର ଭିଡିଓର ଆରମ୍ଭରେ ଶୁଣିବାକୁ ମିଳିଥିଲା। ତା’ପରେ ମହିଳା ଜଣକ ୧୯୭୬ ମସିହାର ଲୋକପ୍ରିୟ ଗୀତ ‘ମେରେ ନୈନା ସାୱନ୍ ଭାଦୋ…’ ଗୀତ ଗାଉଥିବାର ଭିଡିଓରେ ଦୃଶ୍ୟମାନ ହୋଇଥିଲା। ମହିଳାଙ୍କ କଣ୍ଠସ୍ବରକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ବି ଖୁବ୍ ପସନ୍ଦ କରିଥିଲେ।
ଏବେ ଉକ୍ତ ମହିଳାଙ୍କୁ ଫିଲ୍ମରେ ଗାଇବା ପାଇଁ ଅଫର୍ ଦେଇଛନ୍ତି ଅଭିନେତା ସୋନୁ ସୁଦ୍। ସୋନୁ ସୁଦ୍ ଗତକାଲି ଭିଡିଓଟିକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିବା ସହ ମହିଳାଙ୍କୁ ଫିଲ୍ମରେ ଗାଇବା ପାଇଁ ସୁଯୋଗ ଦେବାକୁ ତାଙ୍କ ଫୋନ୍ ନମ୍ବର ମାଗିଛନ୍ତି।
नंबर भेजिए
माँ फ़िल्म के लिए गाना गाएगी ❤️ https://t.co/rLebxFRhWX— sonu sood (@SonuSood) January 27, 2023
ଭିଡିଓରେ ଜଣେ ମାଆ ତାଙ୍କ ପୁଅର ଅନୁରୋଧ ରକ୍ଷା କରି ଗୀତ ଗାଉଥିବାରୁ ସୋନୁ ଲେଖିଛନ୍ତି, ‘ନମ୍ବର ଦିଅନ୍ତୁ। ମାଆ ଫିଲ୍ମରେ ଗୀତ ଗାଇବେ।’ ସୋନୁ ସୁଦ୍ ମହିଳାଙ୍କ କଳାକୁ ଚିହ୍ନି ତାଙ୍କୁ ପ୍ରୋତ୍ସାହିତ କରିଥିବା କାରଣରୁ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କୁ ପ୍ରଶଂସା କରିଛନ୍ତି।
ସେ ଏହି ଗୀତଟିକୁ ମହିଳା ଜଣକ ଏତେ ସୁନ୍ଦର ସ୍ବରରେ ଗାଇଛନ୍ତି ଯେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଭିଡିଓଟିକୁ ଦେଖିବା ପରେ ମହିଳାଙ୍କ ପ୍ରଶଂସା ନକରି ରହି ପାରିନାହାନ୍ତି। ‘ମେରେ ନୈନା ସାୱନ୍ ଭାଦୋ….’ ଗୀତଟି ‘ମେହେବୁବା’ ଚଳଚ୍ଚିତ୍ରର। ଗୀତଟିର ସ୍ବରକାର ହେଉଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଆର ଡି ବର୍ମନ୍। ଗୀତଟିକୁ ଲତା ମଙ୍ଗେସ୍କର୍ ଓ କିଶୋର କୁମାର ଗାଇଥିଲେ ଓ ତାହା ସୁପରହିଟ୍ ହୋଇଥିଲା।