ଲାଉଡସ୍ପିକର ଏବଂ ହନୁମାନ ଚାଳିଶାକୁ ନେଇ ସୋନୁ ସୁଦଙ୍କ ପ୍ରତିକ୍ରିୟା; ମୋ ହୃଦୟ ଭାଙ୍ଗି ଯାଇଛି…

ନୂଆଦିଲ୍ଲୀ: ଦେଶରେ ଏବେ ଲାଉଡସ୍ପିକର ଏବଂ ହନୁମାନ ଚାଳିଶାକୁ ନେଇ ବିବାଦ ଦେଖାଦେଇଛି। ଏନେଇ ବିଭିନ୍ନ ରାଜନୈତିକ ଦଳ ରାଜନୀତି କରୁଥିବା ବେଳେ ଏବେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍।

ବଲିଉଡ ଅଭିନେତା ସୋନୁ ସୁଦ ସମସ୍ତଙ୍କୁ ଏକାଠି ରହିବାକୁ ନିବେଦନ କରିବା ସହ କହିଛନ୍ତି ଯେ, ଲାଉଡସ୍ପିକର ଏବଂ ହନୁମାନ ଚାଳିଶାକୁ ନେଇ ହେଉଥିବା ବିବାଦ ପାଇଁ ମୁଁ ଦୁଃଖିତ। ଦେଶରେ ଲୋକମାନେ ହନୁମାନ ଚାଳିଶା ପାଇଁ କିପରି ପରସ୍ପରର ବିରୋଧୀ ହେଉଛନ୍ତି ତାହା ଦେଖି ମୋର ହୃଦୟ ଭାଙ୍ଗି ଯାଇଛି। ଗତ ଅଢ଼େଇ ବର୍ଷ ମଧ୍ୟରେ, ଆମେ ସମସ୍ତେ ଏକାଠି କରୋନା ଭୂତାଣୁ ବିରୋଧରେ ଲଢ଼ିଥିଲେ। ରାଜନୈତିକ ଦଳମାନେ ମଧ୍ୟ ଏହି ମହାମାରୀର କାନ୍ଧରେ କାନ୍ଧ ମିଶାଇ ଏହାର ସାମ୍ନା କରିଥିଲେ। କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ, ଯେତେବେଳେ ସମସ୍ତ କରୋନା ରୋଗୀ ଅମ୍ଳଜାନ ଆବଶ୍ୟକ କରୁଥିଲେ, ସେତେବେଳେ ଧର୍ମ ପ୍ରତି କେହି ଧ୍ୟାନ ଦେଇନଥିଲେ। କରୋନାର ଭୟ ଆମ ଦେଶକୁ ଏକ କରି ଦେଇଥିଲା। ହେଲେ ଏବେ ଧର୍ମକୁ ନେଇ ଚାଲିଥିବା ବିବାଦ ଦେଖି ମୋ ମନ ଭାଙ୍ଗିଯାଇଛି।

ସମସ୍ତ ରାଜନୈତିକ ଦଳକୁ ନିବେଦନ କରି ସୋନୁ ସୁଦ କହିଛନ୍ତି ଯେ, ଏବେ ଏକ ଶାନ୍ତପୂର୍ଣ୍ଣ ଭାରତ ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ। ଆମକୁ ଧର୍ମ ଏବଂ ଜାତିର ସୀମା ଭାଙ୍ଗିବାକୁ ପଡିବ। ଯଦି ଆମେ ଧର୍ମକୁ ଭୁଲି ଏକାଠି ଠିଆ ହେବା, ତେବେ ଲାଉଡସ୍ପିକର ବିବାଦ ଆପେ ଆପେ ଶେଷ ହେବ। ପୁଣେରେ ଥିବା ଜିତୋ କନେକ୍ଟ ୨୦୨୨ ଶିଖର ସମ୍ମିଳନୀରେ ସୋନୁ ସୁଦ ଏହି ବିବୃତି ଦେଇଛନ୍ତି।

ସମ୍ବନ୍ଧିତ ଖବର