ମୁମ୍ବାଇ: ଅନେକ ଜନହିତକର କାର୍ଯ୍ୟ କରିବା ପରେ ଶେଷରେ ଦେଶର ବିଭିନ୍ନ ସ୍ଥାନରେ ଆବଶ୍ୟକ କରୁଥିବା ଲୋକଙ୍କୁ ଇଲୋକ୍ଟ୍ରାନିକ୍ସ ରିକ୍ସା ଯୋଗାଇ ଦେବାକୁ ଚିନ୍ତା କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ସେ ତାଙ୍କ ନିଜ ସହର ମୋଗାରୁ ୧୦୦ଟି ଇ-ରିକ୍ସା ବଣ୍ଟନ କରି ଏହି ଅଭିଯାନ ଆରମ୍ଭ କରିଛନ୍ତି। ବିଶେଷ କରି ମାହାମାରୀ କରୋନା କାଳରେ ନିଜର ରୋଜଗାରର ପନ୍ଥା ହରାଇଥିବା ବେକାର ଯୁବକମାନଙ୍କ ପାଇଁ ସୋନୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।
ସୋନୁ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ଏହି ଇ-ରିକ୍ସା ସେ ଉତ୍ତରପ୍ରଦେଶରରୁ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଆହୁରି ଅନେକ ରାଜ୍ୟର ବେକାର ଯୁବକମାନଙ୍କୁ ଯୋଗାଇ ଦେବାକୁ ଚିନ୍ତା କରିଛନ୍ତି।
View this post on Instagram
ସୋନୁ କହନ୍ତି, ‘ ମୁଁ ଚାହେଁ ଲୋକମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ। ମହାମାରୀ ପରେ ଅନେକ ଲୋକ ନିଜର ଚାକିରି ହରାଇଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଇ-ରିକ୍ସା ଏକ ଭଲ ଉପାୟ। ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ଯଦି ପାରୁଛନ୍ତି ଯେଉଁମାନଙ୍କୁ ଆବଶ୍ୟକ ସେମାନଙ୍କୁ ଗୋଟାଏ ଲେଖାଏ ଇ-ରିକ୍ସା ପ୍ରଦାନ କରନ୍ତୁ। ଫଳରେ ସେମାନେ ଯେପରି ଆତ୍ମନିର୍ଭରଶୀଳ ହୋଇ ନିଜ ପରିବାର ପୋଷି ପାରିବେ।’
ଏହା ପୂର୍ବରୁ ସୋନୁ ଅନେକ ଜନ ହିତକର କାର୍ଯ୍ୟ କରି ସାରିଛନ୍ତି। ସେ ନିକଟରେ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରିିଥିଲେ। ଯାହାର ଭିଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରଥମେ ସୋନୁ କରୋନା ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଚର୍ଚ୍ଚାରେ ରହିଥିଲେ।