ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ କୋଳରେ ଧରି ହସ୍ପିଟାଲ ଦୌଡ଼ି ଯାଇଥିଲେ ସୋନୁ ସୁଦ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରିଛନ୍ତି। ଏହି ଦୁର୍ଘଟଣା ପଞ୍ଜାବର ମୋଗା-ବାଥିଣ୍ଡା ରାସ୍ତାରେ ବିଳମ୍ବିତ ରାତିରେ ହୋଇଥିଲା। ଦୁଇଟି କାର ମଧ୍ୟରେ ଜୋରରେ ଧକ୍କା ହେବା ଫଳରେ ଜଣେ ଯୁବକ କାର ଭିତରେ ଫସି ଯାଇଥିଲେ। ଏହି ସମୟରେ ସୋନୁ ସୁଦ ତାଙ୍କ କାରରେ କୌଣସି ଏକ ସ୍ଥାନକୁ ଯାଉଥିଲେ । ଯେମିତି ହିଁ ସେ ଏହି ଦୁର୍ଘଟଣା ଦେଖିଥିଲେ ତୁରନ୍ତ ରାସ୍ତାରେ ଅଟକି ଯାଇ ଯୁବକଙ୍କ ସାହାଯ୍ୟରେ ଲାଗିପଡ଼ିଥିଲେ।

ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ଯୁବକ କାର ଭିତରେ ଫସି ଯାଇଛନ୍ତି। ଦୁର୍ଘଟଣା ପରେ ସେ ଗୁରୁତର ଭାବେ ଆଘାତ ହୋଇଛନ୍ତି। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ସୋନୁ ସୁଦ ତୁରନ୍ତ କାରକୁ ଅଟକାଇ ଯୁବକଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଯାଉଛନ୍ତି। ସେ ନିଜେ କୌଣସି ପ୍ରକାରେ କାର ଖୋଲି ଯୁବକଙ୍କୁ ବାହାରକୁ ବାହାର କରୁଛନ୍ତି। ଏହା ପରେ ସେ ଉକ୍ତ ଯୁବକଙ୍କୁ ନିଜ କୋଳରେ ଧରି କାରରେ ବସାଇ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଉଛନ୍ତି।

 

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଠିକ ସମୟରେ ଯୁବକଙ୍କୁ ଚିକିତ୍ସା ମିଳିଥିବାରୁ ସେ ଏବେ ବିପଦମୁକ୍ତ ଅଛନ୍ତି।
କୁହାଯାଉଛି କି, ସୋନୁଙ୍କ ଭଉଣୀ ମାଲଭିକା ସୁଦ ମୋଗାରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେଥିପାଇଁ ସୋନୁ ତାଙ୍କ ଭଉଣୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ପାଇଁ ପଞ୍ଜାବରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର