ମୁମ୍ବାଇ: ଜିଆ ଖାନ ଆତ୍ମହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବଲିଉଡ ଅଭିନେତା ସୂରଜ ପାଞ୍ଚୋଲି ଜିଆଙ୍କୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଶୁକ୍ରବାର ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିଲେ। କୋର୍ଟର ରାୟ ଆସିବା ପରେ ସୂରଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ରାୟକୁ ନେଇ ନିଜର ପ୍ରତିକ୍ରିୟା ରଖିବା ସହ ସତ୍ୟ ସର୍ବଦା ଜିତେ ବୋଲି ଲେଖିଥିଲେ।

Advertisment

ଏବେ ସେ ଜିଆଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ତାଙ୍କ କହିବା ମୁତାବକ, 'ଦୋଷମୁକ୍ତ ହେବା ପରେ ମୋର ନୂଆ ଜନ୍ମ ହେବା ଭଳି ଲାଗୁଛି। ମୋତେ ଏ‌ବେ ଟିକିଏ ଆରାମ ଏବଂ ଶାନ୍ତି ଅନୁଭବ ହେଉଛି। ଜିଆଙ୍କ ସହିତ ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କିନ୍ତୁ ଏହା ମୋ ନିୟନ୍ତ୍ରଣ ବାହାରେ ଥିଲା। ତାଙ୍କୁ ମୋଠାରୁ ଅଧିକ ତାଙ୍କ ପରିବାରର ଆବଶ୍ୟକତା ଥିଲା। ସେ ତାଙ୍କ ପରିବାରର ଭଲପାଇବା ଏବଂ ସମର୍ଥନ ଆବଶ୍ୟକ କରୁଥିଲେ। ମୁଁ ତାଙ୍କୁ ଘଟଣାର ପାଞ୍ଚ ମାସ ପୂର୍ବରୁ ଜାଣିଥିଲି। ମୁଁ ସେହି ଅଳ୍ପ ସମୟ ମଧ୍ୟରେ ଜିଆଙ୍କ ପାଇଁ ବହୁତ କିଛି କରିଛି।

ସେ ଆହୁରି କହିଛନ୍ତି, 'ଏହା ମୋ ଜୀବନର ନୂଆ ଆରମ୍ଭ। ମୋର ବିଶ୍ୱାସ ଯେ ବର୍ତ୍ତମାନ କେବଳ ଭଲ ଜିନିଷ ମୋ ସହିତ ଘଟିବ। ମୁଁ ଖୁସି ଯେ ମୋ ପରିବାର ଶେଷରେ ଶାନ୍ତି ପାଇଛି। ମୁଁ ଏସବୁ ଛାଡି ଆଗକୁ ବଢ଼ିବାକୁ ଚେଷ୍ଟା କରିବି। ବର୍ତ୍ତମାନ ମୁଁ ମୋ ପରିବାରକୁ ସମୟ ଦେବି, ଯାହା ମୁଁ ସେମାନଙ୍କୁ ୧୦ବର୍ଷ ହେଲା ଦେଇ ପାରି ନାହିଁ। ମୋର ପିତାମାତା ଏବଂ ମୋ ଭଉଣୀର ଯତ୍ନ ନେବା ପାଇଁ ଏହା ହେଉଛି ସଠିକ୍ ସମୟ। ମୁଁ ମୋ ଜୀବନରେ ସଫଳ ହେବାକୁ ଯୋଜନା କରୁଛି। ଅନେକ କିଛି ଯୋଜନା କରିବାର ଆବଶ୍ୟକତା ରହିଛି।