ମୁମ୍ବାଇ: ଜିଆ ଖାନ ଆତ୍ମହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବଲିଉଡ ଅଭିନେତା ସୂରଜ ପାଞ୍ଚୋଲି ଏବେ ନୂଆ ଡଙ୍ଗରେ ଜୀବନ ବଞ୍ଚିବା ଆରମ୍ଭ କରିଛନ୍ତି। ଆତ୍ମହତ୍ୟା ମାମଲାରେ ଜେଲ ଯିବା ପରେ ସୂରଜଙ୍କୁ କାମ ମିଳିବା ବନ୍ଦ ହୋଇଯାଇଥିଲା।ଦୀର୍ଘ ବର୍ଷ ଧରି ସେ ଘରେ ବସି ରହିଥିବା ବେଳେ ଏବେ ତାଙ୍କୁ କାମ ମିଳିଛି। କୁହାଯାଉଛି ଯେ, ବିଗ୍ ବସ୍ ଓଟିଟି-୨ରେ ସୂରଜ ପ୍ରତିଯୋଗୀ ଭାବେ ନଜର ଆସିବେ।
ସୂରଜଙ୍କୁ ବିଗ୍ ବସ୍ ଓଟିଟି-୨ରେ ପ୍ରତିଯୋଗୀ ଭାବେ ନଜର ଆସିବା ପାଇଁ ଅଫର ମିଳିଥିବା ବେଳେ ସେ ଏହାକୁ ଗ୍ରହଣ କରିବେ କି ନାହିଁ ନିଷ୍ପତ୍ତି ନେଇନାହାନ୍ତି। ଯଦି ସେ ଏହାକୁ ଗ୍ରହଣ କରିବେ, ତେବେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଏହା ତାଙ୍କର ପ୍ରଥମ କାମ ହେବ।
ଏପ୍ରିଲରେ ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିଲେ। କୋର୍ଟର ରାୟ ଆସିବା ପରେ ସୂରଜ ପ୍ରଥମେ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ମେସେଜ କରିଥିବା କହିଥିଲେ। ସେ କହିଥିଲେ, “ସଲମାନ ଖାନ୍ ମୋ ବାପା କିମ୍ବା ମା’ଙ୍କର ବନ୍ଧୁ ନୁହଁନ୍ତି। ଅବଶ୍ୟ ସେମାନେ ପରସ୍ପରକୁ ଜାଣନ୍ତି ଯେହେତୁ ସେମାନେ ସମସ୍ତେ ସମାନ ଇଣ୍ଡଷ୍ଟ୍ରିରେ କାମ କରନ୍ତି। ମୁଁ ‘ଏକ୍ ଥା ଟାଇଗର’ରେ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲି ଏବଂ ସେ ସମୟରେ ସଲମାନ ମୋତେ କହିଥିଲେ ଯେ ସେ ମୋର ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିବେ। ହେଲେ ମୋର ପ୍ରଥମ ଫିଲ୍ମ ‘ହିରୋ’ ରିଲିଜ୍ ହେବାର ଦୁଇ ବର୍ଷ ପୂର୍ବରୁ ୨୦୧୩ରେ ମୋ ଉପରେ ଜିଆଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବାର ଆରୋପ ଲାଗିଥିଲା। ମୋତେ ଗିରଫ ମଧ୍ୟ କରାଯାଇଥିଲା। ତଥାପି ସଲମାନ ଭାଇ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଏବଂ ମୋ ସହ ଠିଆ ହୋଇଥିଲେ। ସେ ମୋ ପାଇଁ ଅନ୍ୟମାନଙ୍କ ଅପେକ୍ଷା ଅଧିକ କରିଛନ୍ତି। ମୁଁ ଦୋଷମୁକ୍ତ ହେବା ମାତ୍ରେ ତାଙ୍କୁ ହିଁ ପ୍ରଥମେ ମେସେଜ କରିଥିଲି। ସେ ମୋତେ ପୂର୍ବରୁ କହିଥିଲେ, ‘ସୂରଜ, ଯଦି ତୁମେ ଜାଣିଛ ଯେ ତୁମେ କୌଣସି ଭୁଲ କରିନାହଁ, ତେବେ ତୁମର ଚିନ୍ତା କରିବାର ଆବଶ୍ୟକତା ନାହିଁ।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/t-40.jpg)