ମୁମ୍ବାଇ: ଅଭିନେତ୍ରୀ ସୋଫି ଚୌଧୁରୀ ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ। ଏହି ସମୟରେ ସେ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ସମୟରେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହାକୁ ବଖାଣି କହିଛନ୍ତି।
ସୋଫି କାଷ୍ଟିଂ କାଉଚର ଶିକାର ହେବା ଘଟଣାକୁ ନେଇ ସାକ୍ଷାତକାରରେ ଖୋଲାଖୋଲି ଆଲୋଚନା କରି କହିଛନ୍ତି, ‘ମୁଁ ଇଣ୍ଡଷ୍ଟ୍ରିକୁ ଜଣେ ଗାୟିକା ଭାବରେ ଆସିଥିଲି କିନ୍ତୁ ସବୁବେଳେ ଜଣେ ଅଭିନେତ୍ରୀ ହେବାକୁ ଉଦ୍ୟମ କରୁଥିଲି। ଏଥିପାଇଁ ମୋତେ ଅନେକ ସଂଘର୍ଷ କରିବାକୁ ପଡ଼ିଛି। କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଛି।
ମୋର କ୍ୟାରିୟର ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ମୁଁ ଅନେକ ପ୍ରକାର ଲୋକଙ୍କୁ ଭେଟିଛି। କିଛିଲୋକ ଭଲ ପରାମର୍ଶ ଦେଇ ଯାଇଥିବା ବେଳେ ଆଉ କିଛିଲୋକ ମୋର ସଂଘର୍ଷ ସମୟରେ ମୋର ଫାଇଦା ଉଠାଇବାକୁ ଚାହିଁଥିଲେ।
ଯାହାଙ୍କ କଥା ଶୁଣି ମୁଁ ଅସହଜ ଅନୁଭବ କରୁଥିଲି। କେମିତି କାମ ଆରମ୍ଭ କରିବି ଚିନ୍ତା କରି ପାରୁ ନଥିଲି। ସେତେବେଳେ ମୁଁ ସେମାନଙ୍କର ହାବଭାବ ବୁଝିପାରୁ ନଥିଲି। ସମୟକ୍ରମେ ମୁଁ ଲୋକଙ୍କୁ ଚିହ୍ନବା ଆରମ୍ଭ କରିଲି। ସିନେମା ଶିଳ୍ପରେ ଏମିତି କିଛିଲୋକ ଅଛନ୍ତି ଯେଉଁମାନେ କାମ ଦେବା ବାହାନାରେ ଆପଣଙ୍କ ସହିତ ବାରମ୍ବାର ଭେଟ କରିବାକୁ ଚାହିଁବେ। ମିଥ୍ୟା ପ୍ରତିଶ୍ରୃତି ଦେଇ ମିଥ୍ୟା ପ୍ରଶଂସା ବି କରିବେ। କାରଣ ସେମାନଙ୍କୁ ଆପଣଙ୍କ ସହିତ ସମୟ ବିତାଇବାକୁ ବାହାନାର ଆବଶ୍ୟକ ହୋଇଥାଏ। ମୋ ଜୀବନରେ ବି ଏମିତି ଅନେକ ଲୋକ ଆସିଛନ୍ତି। ଯେଉଁମାନଙ୍କ ପାଇଁ ମୁଁ ଉଚିତ ଶିକ୍ଷା ବି ପାଇଛି।’