ଜୀବନର କୌଣସି କ୍ଷେତ୍ରରେ ଆଗକୁ ମାଡ଼ିବାର ପ୍ରଥମ ପାହୁଣ୍ଡ ହିଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ନୂଆ ଦୁନିଆରେ ପାଦ ଥାପିବାର ପ୍ରଥମ ପୁଲକ ହିଁ କାହାକୁ ଶ୍ରେଷ୍ଠ କରିବାରେ ପ୍ରୋତ୍ସାହନ ଯୋଗାଇଥାଏ। ତେବେ ସେଭଳି ଅନୁଭବର ସକାରାତ୍ମକ ପ୍ରତିକ୍ରିୟା ଦକ୍ଷିଣ ଭାରତୀୟ ଭାଷାର ଉଦୀୟମତୀ ଅଭିନେତ୍ରୀ ନିକ୍କି ତମ୍ବୋଲିଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି। ଫିଲ୍ମ ଦୁନିଆରେ ତାଙ୍କର ପ୍ରଥମ ପଦାର୍ପଣ ତାଙ୍କୁ ଏପରି ବିମୋହିତ କରିଦେଇଛି ଯେ ସେ ଆଉ କୌଣସି ଦ୍ବିତୀୟ ପେସା କଥା କଳ୍ପନା ହିଁ କରୁନାହାନ୍ତି।
ତିନି ବର୍ଷର ଅଭିନୟ ଜୀବନରେ ସେ ମାତ୍ର ଚାରିଟି ଫିଲ୍ମରେ ଦେଖାଦେଇଥିଲେ ହେଁ ତାଙ୍କ ପ୍ରଦର୍ଶନରେ ଦର୍ଶକ ଭରପୂର ମନୋରଂଜନ ପାଇଥିବା ଜଣାଯାଇଛି। ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଖ୍ରୀଷ୍ଟୀୟ ପରିବାରରେ ୧୯୯୬ ଅଗଷ୍ଟ ୨୧ରେ ଜନ୍ମିତ ନିକ୍କି ସ୍ନାତକ ଶିକ୍ଷା ପରେ କୌତୂହଳବଶତଃ ମଡେଲିଂ ଜଗତରେ ପାଦ ରଖିଥିଲେ। ୨୦୧୯ରେ ତାଙ୍କୁ ରୋମାଞ୍ଚ ରହସ୍ୟଭରା ତେଲୁଗୁ ଫିଲ୍ମ ‘ଚିକଟି ଗାଡ଼ିଲୋ ଚିଠାକୋଟୁଡୁ’ରେ ଏକ ପ୍ରମୁଖ ଭୂମିକାରେ ଅଭିନୟର ସୁଯୋଗ ମିଳିଥିଲା। ଏଥିରେ ତାଙ୍କୁ କଳ୍ପନାତୀତ ଲୋକପ୍ରିୟତା ମିଳିବା ସହ ପ୍ରଯୋଜକ ମଧ୍ୟ ନବାଗତାଙ୍କ ପ୍ରତି ସନ୍ତୁଷ୍ଟି ଜାହିର କରିଥିଲେ। ଏହାପରେ ସେହି ବର୍ଷ ସେ ତାମିଲ ସିନେମା ‘କାଞ୍ଚନ-୩’ରେ ପଦାର୍ପଣ କରି ଅନୁରୂପ ସଫଳତା ସାଉଁଟିଥିଲେ।
ତାଙ୍କର ତୃତୀୟ ସିନେମା ‘ଥିପାରା ମୀସମ୍’ ମଧ୍ୟ ନିକ୍କିଙ୍କ ଦର୍ଶକୀୟ ସ୍ବୀକୃତିକୁ ଆଉ ପାଦେ ଆଗେଇ ନେଇଥିଲା। ତାଙ୍କର ଚତୁର୍ଥ ତଥା ସଦ୍ୟତମ ତେଲୁଗୁ ଫିଲ୍ମ ‘ଆଣ୍ଟେ ସୁନ୍ଦରନିକି’ ଗତ ସପ୍ତାହରେ ମୁକ୍ତିଲାଭ କରି ବେଶ ବ୍ୟାବସାୟିକ ସଫଳତା ହାସଲ କରୁଥିବା ଜଣାଯାଇଛି। ନିକ୍କି ୨୦୨୦ରେ ବାସ୍ତବଧର୍ମୀ ଟିଭି ଧାରାବାହିକ ‘ବିଗ୍ ବସ୍-୧୪’ରେ ପ୍ରତିଯୋଗୀ ସାଜି ଉପବିଜେତା ହେବାର ଗୌରବ ଅର୍ଜିଥିଲେ। ତାଙ୍କର ଭୂମିକାକୁ ଦର୍ଶକ ଏବଂ ଅନ୍ୟମାନେ ଖୁବ୍ ପ୍ରଶଂସା କରିଥିଲେ। ସେହିପରି ଗତବର୍ଷ ଅନୁରୂପ ଟିଭି ଧାରାବାହିକ ‘ଫିଅର ଫାକ୍ଟର: ଖତରୋଁ କେ ଖିଲାଡ଼ି-୧୧’ରେ ମଧ୍ୟ ସେ ପ୍ରତିଯୋଗୀ ସାଜି ଦର୍ଶକମାନଙ୍କୁ ମନଭରି ଆପ୍ୟାୟିତ କରିଥିଲେ। ଅବଶ୍ୟ ସେ ଏଥିରେ ଦଶମ ସ୍ଥାନରେ ରହିଥିଲେ, ତେବେ ତାଙ୍କର ପ୍ରଦର୍ଶନ ପ୍ରଶଂସାଯୋଗ୍ୟ ଥିଲା। ଏଥି ସହିତ ‘ବାର୍ଥଡେ ପରୀ’, ‘ନମ୍ବର ଲିଖ’, ଓ ‘ଏକ ହସିନା ନେ’ ପରି ସଂଗୀତ ଭିଡିଓରେ ନିକ୍କି ନିଜର ଯାଦୁ ପରଷିବାରେ ସଫଳ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/1-16.jpg)