ପ୍ରଶଂସା, ଲୋକପ୍ରିୟତା, ସମ୍ମାନ ଓ ପୁରସ୍କାର ଆଦି ସାମାଜିକ ସ୍ଥିତି କେତେବେଳେ କାହା ଭାଗ୍ୟରେ କେଉଁ ରୂପରେ ଜୁଟିଥାଏ, ତାହା ନିର୍ଦ୍ଦିଷ୍ଟ ନଥାଏ। ବିଶେଷ କରି ଅଭିନୟ ଜୀବନରେ ସେସବୁ ଅପ୍ରତ୍ୟାଶିତ ଭାବେ ଘଟିଥାଏ। ତେବେ ଏହି ମନୋରଞ୍ଜନ ପେସାରେ ଜଡ଼ିତ ଥିବା ପ୍ରତ୍ୟେକ ବ୍ୟକ୍ତି ସେଭଳି ଦର୍ଶକୀୟ ସ୍ବୀକୃତିକୁ ଅପେକ୍ଷା କରି ବସିଥା’ନ୍ତି। ମାତ୍ର ସେଗୁଡ଼ିକର ସ୍ବରୂପ ଏଭଳି ଅନିଶ୍ଚିତତା ଭିତରେ ଡୁବି ରହିଥାଏ ଯେ ପେସାଗତ ଜୀବନରେ ପ୍ରଥମ ପଦାର୍ପଣ ବେଳେ ଯଦି କାହାକୁ ସେଭଳି କିଛି ସ୍ବୀକୃତି ମିଳିଗଲା, ତେବେ ଜୀବନ ପୁଲକିତ ହେବା ସହ ସେଭଳି ଆତ୍ମସନ୍ତୋଷର ଆଉ ତୁଳନା ନଥାଏ। ଏଭଳି ଜଣେ ସୌଭାଗିନୀ ହେଉଛନ୍ତି ଦକ୍ଷିଣ ଭାରତୀୟ ସିନେମା ଅଭିନେତ୍ରୀ ରଶ୍ମିକା ମନ୍ଦାନା।

Advertisment

publive-image The Hans India

ସିନେମାରେ ପ୍ରଥମ ପଦାର୍ପଣରେ ହିଁ ସେ ଏଭଳି ଜାତୀୟ ସ୍ତରୀୟ ସମ୍ମାନର ଅଧିକାରିଣୀ ହୋଇଗଲେ ଯେ ସେ ଆଗକୁ ଫିଟିଥିବା ଫୁଲର ସିଆରରେ ପାଦ ଦେଇ ତାଙ୍କ ବିଜୟପଥରେ ଆଉ ଝୁଣ୍ଟିନାହାନ୍ତି କି ପଛକୁ ବି ଫେରିନାହାନ୍ତି। ମୁଖ୍ୟତଃ କନ୍ନଡ଼ ଓ ତେଲୁଗୁ ସିନେମାରେ ନାୟିକା ସାଜୁଥିବା ରଶ୍ମିକା ନିଜ ଛଅ ବର୍ଷର ଅଭିନୟ ଜୀବନରେ ମାତ୍ର ୧୪ଟି ସିନେମାରେ ଆସିଥିଲେ ହେଁ ଛଅ ଛଅ ଥର ଜାତୀୟ ସ୍ତରୀୟ ସମ୍ମାନ ଲାଭ କରିବା ସହ ତାଙ୍କ ନାମକୁ ମଧ୍ୟ ଆଠ ଥର ଅନୁରୂପ ପୁରସ୍କାର ପାଇଁ ସୁପାରିସ କରାଯାଇଛି। କର୍ଣ୍ଣାଟକର କୋଦାଗୁ ଜିଲ୍ଲା ଅନ୍ତର୍ଗତ ବିରାଜପେଟ ସହରରେ ୧୯୯୬ ଏପ୍ରିଲ ୫ରେ ଜନ୍ମିତ ରଶ୍ମିକା ମନସ୍ତତ୍ତ୍ବ ବିଜ୍ଞାନ, ସାମ୍ବାଦିକତା ଓ ଇଂରାଜୀ ଭାଷା ପରି ତିନି ତିନିଟା ବିଷୟରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ପାଠରେ ବିଚକ୍ଷଣ ଥିବା ବୁଦ୍ଧିମତୀ ରଶ୍ମିକା ସଂଯୋଗବଶତଃ ୨୦୧୬ରେ ପ୍ରଥମେ ଦେଖା ଦେଇଥିଲେ କନ୍ନଡ଼ ଫିଲ୍ମ ‘କିରିକ୍‌ ପାର୍ଟି’ରେ। ତେବେ ତାହା ସେ ବର୍ଷ କନ୍ନଡ଼ ଭାଷାର ଅନ୍ୟତମ ବ୍ୟାବସାୟିକ ସଫଳ ସିନେମା ଭାବେ ସାବ୍ୟସ୍ତ ହୋଇଥିଲା।

publive-image onmanorama.com

ପ୍ରଥମ ସିନେମାରୁ ହିଁ ସେ ଦର୍ଶକଙ୍କ ପାଖରେ ଏକ ଚିହ୍ନା ମୁହଁ ପାଲଟିଯାଇଥିଲେ। ତହିଁ ପରବର୍ଷ ତାଙ୍କର ଦ୍ବିତୀୟ କନ୍ନଡ଼ ଫିଲ୍ମ ‘ଅଞ୍ଜନୀପୁତ୍ର’ ମଧ୍ୟ ଅନୁରୂପ ସଫଳତା ଦୋହରାଇଥିଲା। ୨୦୧୮ରେ ‘ଚଲୋ’ ମାଧ୍ୟମରେ ତେଲୁଗୁ ସିନେମାରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଏଥିରେ ସେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କ ଅଭିନୀତ ଦ୍ବିତୀୟ ତେଲୁଗୁ ଫିଲ୍ମ ‘ଗୀତ ଗୋବିନ୍ଦମ୍‌’ ପାଇଁ ତାଙ୍କୁ ପ୍ରିୟ ଅଭିନେତ୍ରୀ ଭାବେ ଜୀ ସିନେ ସମ୍ମାନ(ତେଲୁଗୁ) ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ୬୬ତମ ଫିଲ୍ମଫେୟାର ସମ୍ମାନ(ଦକ୍ଷିଣ) ମିଳିଥିଲା। ଏଥି ସହିତ ତେଲୁଗୁ ସିନେମା ‘ଡିଅର କମ୍ରେଡ୍‌’ ଓ କନ୍ନଡ଼ ଫିଲ୍ମ ‘ଯଜମାନ’ ମଧ୍ୟ ତାଙ୍କୁ ପୂର୍ବ ଭଳି ଲୋକପ୍ରିୟତା ଓ ସମ୍ମାନ ଭେଟିଦେଇଛି। ଗତବର୍ଷ ସେ ‘ସୁଲତାନ’ ଫିଲ୍ମ ମାଧ୍ୟମରେ ତାମିଲ ଜଗତକୁ ପ୍ରଥମ ପ୍ରବେଶ କରିଥିବା ବେଳେ ଚଳିତବର୍ଷ ପ୍ରଥମ କରି ହିନ୍ଦୀ ଫିଲ୍ମ ‘ମିସନ ମଞ୍ଜୁ’ ଓ ‘ଗୁଡ୍‌ବାଏ’ରେ ସୁଟିଂ ସାରିଛନ୍ତି। ତେବେ କନ୍ନଡ଼ ଓ ତେଲୁଗୁ ସିନେମା ପରି ତାମିଲ ଓ ହିନ୍ଦୀ ଫିଲ୍ମରେ ମଧ୍ୟ ସେ ଅନୁରୂପ ସଫଳତା ସାଉଁଟିବାକୁ ଆଶା ବାନ୍ଧି ରହିଛନ୍ତି।