ମୁମ୍ବାଇ: ବଲିଡଡ୍ ସୁପରଷ୍ଠାର ଅଭନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ହୃଦ୍ଘାତରେ ହୋଇଛି ବୋଲି ରବିବାର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ମାତ୍ର ସୋମବାର ଶ୍ରୀଦେବୀଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସାମ୍ନାକୁ ଆସିଛି ଅସଲ ସତ୍ୟ। ଶ୍ରୀଦେବୀ ହୃଦ୍ଘାତର ଶିକାର ହୋଇଥିଲେ ଏହା ସତ୍ୟ। ମାତ୍ର ତାଙ୍କ ମୃତ୍ୟୁର କାରଣ ହୃଦ୍ଘାତ ନୁହେଁ। ରିପୋର୍ଟରେ ଉଲ୍ଲେଖ କରାଯାଇଛି ମୃତ୍ୟୁ ଦୁର୍ଘଟଣାବଶତଃ ପାଣିରେ ବୁଡ଼ିଯିବା ହେତୁ ହୋଇଛି (ଡିୟୁ ଟୁ ଏକ୍ସିଡେଣ୍ଟାଲ୍ ଡ୍ରାଉନିଂ)। ଶ୍ରୀଦେବୀଙ୍କ ରକ୍ତରେ ଆଲ୍କହଲ ଭାଗ ବି ଥିଲା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି। ତେବେ, ଦୁବାଇର ଏକ ଗଣମାଧ୍ୟମ ଅନୁସାରେ ଶ୍ରୀଦେବୀ ମଦ୍ୟପାନ କରି ଗାଧୁଆଘର ଭିତରକୁ ଯାଇଥିଲେ। ସେଠାରେ ତାଙ୍କୁ ହଠାତ ହୃଦ୍ଘାତ ହୋଇଥିଲା। ପ୍ରଥମତଃ ସେ ନିଶାରେ ଥିଲେ ଏବଂ ସେଥିରେ ପୁଣି ହୃଦ୍ଘାତ ହେବାରୁ ନିଜ ଉପରେ ଆୟତ୍ତ ହରାଇ ବାଥ୍ ଟବ୍ ଭିତରେ ପଡ଼ି ଯାଇଥିଲେ। ବ୍ୟାଥ୍ ଟବ୍ ଭିତରୁ ନିଜକୁ ଉଠାଇବାର ସାମର୍ଥ୍ୟ ନ ଥିବା ହେତୁ ସେ ପାଣି ବୁଡ଼ି ଅଣନିଶ୍ୱାସୀ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି।
ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ଶ୍ରୀଦେବୀ ଦୁବାଇରେ ତାଙ୍କ ପୁତୁରାର ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ବିବାହ ଉତ୍ସବ ପରେ ସେ ଏକ ହୋଟେଲ୍ରେ ରହିଥିଲେ। ସ୍ୱାମୀଙ୍କ ସହ ଡିନର୍ ଯିବା ପୂର୍ବରୁ ଶ୍ରୀଦେବୀ ଗାଧୁଆଘରକୁ ଯାଇଥିଲେ। ସେଠାରୁ ଦୀର୍ଘ ସମୟ ଧରି ଫେରି ନ ଥିବା ହେତୁ ସ୍ୱାମୀ ବୋନି କପୁର୍ କବାଟ ଭାଙ୍ଗିବାରୁ ଦେଖିଥିଲେ ଯେ ଶ୍ରୀଦେବୀ ବାଥ୍ ଟବ୍ ଭିତରେ ପଡ଼ି ଯାଇଥିଲେ। ତାଙ୍କୁ ସେଠାରୁ ତୁରନ୍ତ ଦୁବାଇର ରସିଦ୍ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ମୃତ୍ୟୁ ହୃଦ୍ଘାତ ହେତୁ ହୋଇଛି ବୋଲି ପ୍ରକାଶ କରିଥିଲେ।