ମୁମ୍ବାଇ : ବଲିଉଡ୍ର ପ୍ରଥମ ମହିଳା ସୁପରଷ୍ଟାର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ନିଜ ପରିବାରକୁ ହଠାତ୍ ଛାଡ଼ି ଚାଲିଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କର ବିୟୋଗ ପରେ ସମସ୍ତଙ୍କ ଆଖିରେ ଲୁହ ଆସିଥିବା ବେଳେ ପରିବାରର ସଦସ୍ୟ ଭାଙ୍ଗି ପଡ଼ିଥିଲେ । ଧିରେ ଧିରେ ସ୍ୱାମୀ ବୋନି କପୁର ଏବଂ ଦୁଇ ଝିଅ ଜାହ୍ନବୀ ଏବଂ ଖୁସି କପୁର ଏହି ଦୁଃଖରୁ ବାହାରୁଥିବା ବେଳେ ବୋନି କପୁର ଏବେ ଶ୍ରୀଦେବୀଙ୍କ ଅଧାରେ ରହି ଯାଇଥିବା ଇଚ୍ଛା ପୂରା କରିବେ ବୋଲି ଜଣା ପଡ଼ିଛି ।
ଶ୍ରୀଦେବୀ ଏକ ତାମିଲ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ ବୋଲି ବୋନି କପୁର କହିବା ସହ ଏହି ଫିଲ୍ମରେ ତାଙ୍କ ସହ ‘ଇଙ୍ଗ୍ଲିଶ୍ ଭିଙ୍ଗ୍ଲିଶ’୍ରେ କାମ କରିଥିବା ଅଭିନେତା ଅଜିତ୍ କାମ କରନ୍ତୁ ବୋଲି ସେ ଚାହୁଁଥିଲେ । କିନ୍ତୁ ତାଙ୍କର ଏହି ଇଚ୍ଛା ଅଧାରେ ରହି ଯାଇଥିଲା । ଏହାକୁ ଏବେ ସ୍ୱାମୀ ବୋନି କପୁର ପୂରା କରିବାକୁ ଯାଉଛନ୍ତି ।
/sambad/media/post_attachments/wp-content/uploads/2018/12/boney-759-300x167.jpg)
ପୂର୍ବରୁ ଫିଲ୍ମ ପାଇଁ କାହାଣୀ ମିଳୁ ନ ଥିବା ବେଳେ ଏବେ ଫିଲ୍ମ ‘ପିଙ୍କ୍’ର ତାମିଲ ରିମେକ୍ କରିବା ପାଇଁ ନିଷ୍ପତ୍ତିି ନେଇଛନ୍ତି ବୋନି କପୁର । ପିଙ୍କ୍ର ତାମିଲ ରିମେକ୍ କରିବା ପାଇଁ ଅଭିନେତା ଅଜିତ୍ ପୂର୍ବରୁ ଶ୍ରୀଦେବୀଙ୍କୁ କହିଥିଲେ । ଯାହା ପରେ ଶ୍ରୀଦେବୀ ପିଙ୍କ୍ର ତାମିଲ ରିମେକ୍ କରିବା ପାଇଁ ରାଜି ହୋଇଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କର ମୃତ୍ୟୁ ହେବାରୁ ଏହି କଥାକୁ ନେଇ କୌଣସି ଆଲୋଚନା ହୋଇ ନ ଥିଲା । ଏବେ ବୋନି କପୁର ଏ ନେଇ ଆଲୋଚନା କରିବା ସହ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରୁଥିବା ଜଣାପଡ଼ିଛି । ଫିଲ୍ମଟି ୨୦୧୯ରେ ରିଲିଜ୍ ହେବାକୁ ଥିବା ବେଳେ ଫିଲ୍ମର ନାମ ‘ଥାଲା ୫୯’ ରହିବ ବୋଲି ସୂଚନା ମିଳିଛି ।