ମୁମ୍ବାଇ: ସିନେ ନିର୍ମାତା ଏସ୍ ଏସ୍ ରାଜମୌଲୀ ଆଜି ତାଙ୍କର ଆଗାମୀ ଏକ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି। ଜାଣିବାକୁ ମିଳିଛି ଯେ ରାଜମୌଲୀ 'ମେଡ୍ ଇନ୍ ଇଣ୍ଡିଆ' ନାମକ ଏକ ବାୟୋପିକ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ତାଙ୍କର ଏହି ସିନେମାର ନାମକୁ ନେଇ ଏବେ ଖୁବ୍ ଜୋର୍ ଆଲୋଚନା ହେଉଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ସିନେମାର ନାମ ‘ମେଡ୍ ଇନ୍ ଇଣ୍ଡିଆ’ ପରିବର୍ତ୍ତେ ‘ମେଡ୍ ଇନ୍ ଭାରତ’ କରିବାକୁ ପରାମର୍ଶ ଦେଉଛନ୍ତି।
ଏହି ଚଳଚ୍ଚିତ୍ରରେ ସେ ପ୍ରଭାସ କିମ୍ବା ମହେଶ ବାବୁଙ୍କୁ ନେଉନାହାନ୍ତି, ବରଂ ଏଥିରେ ନଜର ଆସିବେ ରାଜମୌଲୀଙ୍କ ପୁଅ ଏସ୍ କାର୍ତ୍ତିକେୟ ଏବଂ ବରୁଣ ଗୁପ୍ତା। ନିତିନ କକ୍କରଙ୍କ ଦ୍ବାରା ଗଠିତ ଏହି ସିନେମାଟି ଭାରତୀୟ ସିନେମାର ପିତାଙ୍କ ଉପରେ ଆଧାରିତ। ଏହି ପ୍ରୋଜେକ୍ଟକୁ ଘୋଷଣା କରିବାର କିଛି ସମୟ ମଧ୍ୟରେ ଉପଭୋକ୍ତାମନେ ଟ୍ବିଟର୍ (ଏକ୍ସ)ରେ ଏହାର ଶୀର୍ଷକ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି।
ସେପ୍ଟେମ୍ବର ୧୯ରେ, 'ବାହୁବଲୀ' ଚଳଚ୍ଚିତ୍ର ନିର୍ମାତା ସୋସିଆଲ ମିଡିଆରେ 'ମେଡ୍ ଇନ୍ ଇଣ୍ଡିଆ' ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, "ଯେତେବେଳେ ମୁଁ କାହାଣୀଟି ପ୍ରଥମେ ଶୁଣିଲି, ଏହା ମୋତେ ଖୁବ୍ ଭାବପ୍ରବଣ କରାଇଲା। ଏକ ବାୟୋପିକ୍ ତିଆରି କରିବା କଠିନ, କିନ୍ତୁ ସିନେମାର ପିତାଙ୍କ ଉପରେ ଫିଲ୍ମ ତିଆରି କରିବା ଏକ ଆହ୍ବାନ। ଆମ ପିଲାମାନେ ଏଥିପାଇଁ ପ୍ରସ୍ତୁତ। ‘ମେଡ୍ ଇନ୍ ଇଣ୍ଡିଆ’କୁ ଉପସ୍ଥାପନ କରୁଛୁ।’’
କିଛି ସପ୍ତାହ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଦେଶର ନାମ ‘ଇଣ୍ଡିଆ’ରୁ ପୂରାପୂରି ଭାବେ ‘ଭାରତ’ ନାମରେ ନାମିତ କରିବାକୁ ସ୍ୱତନ୍ତ୍ର ସଂସଦ ଅଧିବେଶନରେ ଏକ ପ୍ରସ୍ତାବ ଆଣିପାରନ୍ତି ବୋଲି ଖବର ପ୍ରଚାରିତ ହୋଇଥିଲା। ନିକଟରେ ସମାପ୍ତ ହୋଇଥିବା ଜି -୨୦ ଶିଖର ସମ୍ମିଳନୀରେ ନିମନ୍ତ୍ରଣ ପତ୍ର ଓ ନାମଫଳକରେ ବି ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ବ୍ୟବହାର ହୋଇଥିଲା। ଏହି କାରଣରୁ ବ୍ୟବହାରକାରୀମାନେ ଶୀର୍ଷକ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି।