ତାରକା ଜନନେତ୍ରୀ ଡିମ୍ପଲ : କେବେ ତାରକା ପ୍ରଚାରକ, କେବେ ତାରକାଙ୍କ ପ୍ରତିଦ୍ବନ୍ଦ୍ବୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କର ଧର୍ମପତ୍ନୀ ଡିମ୍ପଲ ଯାଦବଙ୍କର ଏହି ଫଟୋଟିକୁ ତାଙ୍କ ଝିଅ ଅଦିତି ସାମାଜିକ ଗଣମାଧ୍ୟମରେ ‘ମାଁ’ ଲେଖି ଛାଡ଼ିବା ପରେ ଅନେକ ଲୋକ ତାଙ୍କ ସୌନ୍ଦର୍ଯ୍ୟକୁ ତାରକା ଅଭିନେତ୍ରୀମାନଙ୍କ ସହିତ ତୁଳନା କରୁଛନ୍ତି। ଏହା ପଛରେ କିଛିଟା ବାସ୍ତବତା ମଧ୍ୟ ରହିଛି। ଡିମ୍ପଲ ମୂଳତଃ ଜଣେ ରାଜନୈତିକ ବ୍ୟକ୍ତିତ୍ବ ହୋଇଥିବା ବେଳେ ସେ ରାଜନୀତି କ୍ଷେତ୍ରରେ ହିଁ ତାରକାତୁଲ୍ୟ ଭୂମିକା ନିର୍ବାହ କରିସାରିଛନ୍ତି। ବାସ୍ତବରେ ଡିମ୍ପଲ୍ ଉତ୍ତର ପ୍ରଦେଶର ଗତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ତାରକା ପ୍ରଚାରକ ସାଜିଥିଲେ। ମହାରାଷ୍ଟ୍ରର ପୁନେଠାରେ ଡିମ୍ପଲଙ୍କର ଜନ୍ମ। ତାଙ୍କ ପିତା ରାମଚନ୍ଦ୍ର ସିଂହ ରାୱତ୍ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ।

ପିତାଙ୍କ କାର୍ଯ୍ୟସ୍ଥଳୀ ପରିବର୍ତ୍ତନ ଅନୁଯାୟୀ ସେ ପୁନେ, ଭଟିଣ୍ଡା, ଆଣ୍ଡାମାନ ଓ ନିକୋବାର, ଲକ୍ଷ୍ନୌ ଆଦି ଦେଶର ବିଭିନ୍ନ ସ୍ଥାନରେ ରହି ପାଠ ପଢ଼ିଥିଲେ। ଶେଷରେ ସେ ​ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଅଧ୍ୟୟନ କାଳରେ ଅଖିଳେଶଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଆରମ୍ଭରେ ଅଖିଳେଶଙ୍କ ପରିବାର ଏମାନଙ୍କ ବିବାହକୁ ବିରୋଧ କରିଥିଲେ, କିନ୍ତୁ ଅଖିଳେଶଙ୍କ ଜେଜେମାଆଙ୍କ ସ୍ବୀକୃତି ମିଳିବା ପରେ ୧୯୯୯ରେ ସେମାନଙ୍କର ବିବାହ ହୋଇଥିଲା।

ସେମାନଙ୍କ ବିବାହ ଉତ୍ସବରେ ଅମିତାଭ ବଚ୍ଚନ, ରାଜେଶ ଖାନ୍ନାଙ୍କ ଭଳି କିଂବଦନ୍ତି ତାରକା ଯୋଗ ଦେଇଥିଲେ। ତାଙ୍କର ରାଜନୈତିକ ଜୀବନ ମଧ୍ୟ ଜଣେ ତାରକାଙ୍କ ବିରୋଧରେ ଆରମ୍ଭ ହୋଇଥିଲା। ଡିମ୍ବଲ ୨୦୦୯ରେ ଫିରୋଜାବାଦ ଲୋକସଭା ଆସନରେ ରାଜ ବବ୍ବରଙ୍କ ସହିତ ଲଢ଼ି ପରାଜିତ ହୋଇଥିଲେ। ୨୦୧୨ରେ ତାଙ୍କୁ ପ୍ରଥମ ରାଜନୈତିକ ସଫଳତା ମିଳିଥିଲା କନୌଜ ଲୋକସଭା ଆସନରୁ। ରୋଚକ କଥା ହେଉଛି ଏହି ଉପ-ନିର୍ବାଚନରେ ସେ ଦେଶର ୪୪ତମ ବ୍ୟକ୍ତି ତଥା ଉତ୍ତର ପ୍ରଦେଶର ପ୍ରଥମ ମହିଳା ଭାବେ ଅପ୍ରତିଦ୍ବନ୍ଦ୍ବୀ ରୂପେ ବିଜୟଲାଭ କରିଥିଲେ। ୨୦୧୪ରେ ଉକ୍ତ ଆସନରୁ ସେ ପୁଣି ଥରେ ନିର୍ବାଚିତ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ ପୁଣି ପରାଜୟ ବରଣ କରିବାକୁ ପଡ଼ିଥିଲା। ଏବେ ସେ ଦୁଇ କନ୍ୟା ଓ ଜଣେ ପୁତ୍ରସନ୍ତାନଙ୍କ ଜନନୀ ଦାୟିତ୍ବ ତୁଲାଇବା ସହିତ ରାଜନୈତିକ ଜୀବନରେ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଜନସମର୍ଥନ ଜୁଟାଇବାରେ ଏବେ ସେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର