ତାରକାଙ୍କ ପ୍ରିୟ ଅତର

କୁହାଯାଏ ବାସ୍ନାରୁ ଜଣଙ୍କ ବ୍ୟକ୍ତିତ୍ବର ଛାପ ଅନ୍ୟମାନଙ୍କ ମନରେ ଦୀର୍ଘସ୍ଥାୟୀ ହୋଇଥାଏ। ତେଣୁ କେଉଁ ବାସ୍ନାର ଅତର କିଣି ଦେହରେ ଲଗାଇବେ ସେ ନିଷ୍ପତ୍ତି ନେବା ଅନେକଙ୍କ ଲାଗି କଷ୍ଟକର ହୋଇଥାଏ। ନିଜ ବ୍ୟକ୍ତିତ୍ବ ଓ ପସନ୍ଦ ସହ ଖାପ ଖାଇବା ଭଳି ଅତର କିଣିବା ପୂର୍ବରୁ ଅନେକ ଅନୁସନ୍ଧାନ କରିବାକୁ ପଡ଼େ। ଥରେ ଗୋଟିଏ ଅତର ପସନ୍ଦ ଆସିଲେ ତାହା ବର୍ଷ ବର୍ଷ ଧରି ଆମେ ବ୍ୟବହାର କରିଥାଉ। ବଲିଉଡ୍‌ର ଅନେକ ଅଭିନେତ୍ରୀ ଅନୁରୂପ ଭାବେ ଗୋଟିଏ ଅତର ନିୟମିତ ବ୍ୟବହାର କରୁଥିବା ବେଳେ ଆଉ କିଛି ଅଭିନେତ୍ରୀ ବେଳେ ବେଳେ ଭିନ୍ନ ଅତର ପ୍ରୟୋଗ କରିବାକୁ ପସନ୍ଦ କରନ୍ତି।

ଦୀପିକା ପାଦୁକୋଣଙ୍କ ପ୍ରିୟ ଅତର ବ୍ରାଣ୍ଡ ହେଉଛି ‘ନାର୍ସିସୋ ରୋଡ୍ରିଗିଉଜ୍‌ (ଫର୍ ହର୍)’। ଏହି ଅତରର ୫୦ ମିଲିଲିଟର୍‌ ବୋତଲର ମୂଲ୍ୟ ୬୦୦୦ ଟଙ୍କା। କ୍ୟାଟ୍ରିନା କୈଫ୍‌ ମଧ୍ୟ ଉକ୍ତ ଅତର ଲଗାଇବାକୁ ଭଲପାଆନ୍ତି। ସେ ପସନ୍ଦ କରୁଥିବା ଆଉ ଗୋଟିଏ ଅତର ହେଉଛି ‘ଗୁଚି ରସ୍’ ଯାହାର ୭୫ ମିଲିଲିଟର୍‌ ବୋତଲ ପାଇଁ ୭୫୦୦ ଟଙ୍କା ବ୍ୟୟ କରିବାକୁ ପଡ଼ିବ। ସେହିପରି ପ୍ରିୟଙ୍କା ଚୋପ୍ରା ଜୋନାସ ‘ଟ୍ରୁସାର୍ଡି ଡୋନ୍ନା ୟୁ ଡି ପାରଫୁମ୍’ ବ୍ୟବହାର କରନ୍ତି। ଏଥିରୁ ଭାନିଲା ସାଙ୍ଗକୁ ମଲ୍ଲି ଓ ଚନ୍ଦନର ବାସ୍ନା ଚହଟିଥାଏ। ଏହି ଅତରର ୧୦୦ ମିଲିଲିଟର୍ ଶିଶିର ଦାମ ୭୮୦୦ ଟଙ୍କା। ସେହିପରି କିଆରା ଆଡ଼ଭାନୀ ଏକ ସାକ୍ଷାତକାରରେ କହିଥିଲେ ଦୁଇଟି ଅତର ହେଉଛି ତାଙ୍କ ପ୍ରିୟ- ‘ମାଇକେଲ୍ କୋର୍ସ’ ଓ ‘ନାର୍ସିସୋ ରୋଡ୍ରିଗିଉଜ୍‌’।

ପ୍ରଥମଟିର ୧୦୦ ମିଲିଲିଟର୍‌ ବୋତଲର ଦାମ ହେଉଛି ୮୮୦୦ ଟଙ୍କା। ‘ମାଇକେଲ୍ କୋର୍ସ’ର ମଲ୍ଲି ଅତର ଅଭିନେତ୍ରୀ ସୋନମ କପୁରଙ୍କର ଖୁବ୍ ପ୍ରିୟ। ସାରା ଅଲୀ ଖାନ କିଛି ବର୍ଷ ତଳେ ପ୍ରକାଶ କରିଥିଲେ ଯେ ‘ଚାନେଲ୍ ଏନ୍‌୫’ ତାଙ୍କର ପ୍ରିୟ ଅତର କାରଣ ତାହା ତାଙ୍କୁ ମାଆଙ୍କ କଥା ମନେ ପକାଇଦିଏ। ଏଥି ସହିତ ‘ରବର୍ଟୋ କାଭାଲ୍ଲି’ ନାମକ ଅତର ମଧ୍ୟ ତାଙ୍କର ପ୍ରିୟ। ‘ଚାନେଲ୍ ଏନ୍‌୫’ର ଦାମ ୧୬୦୦୦ ଟଙ୍କା; ‘ରବର୍ଟୋ କାଭାଲ୍ଲି’ର ଦାମ ୬୧୭୫ ଟଙ୍କା। ଅନନ୍ୟା ପାଣ୍ଡେ ତାଙ୍କ ମାଆଙ୍କ ପ୍ରିୟ ଅତର ‘ଡିଅର୍ ଜେ’ଆଡୋର୍’ ବ୍ୟବହାର କରନ୍ତି। ଏହାର ୫୦ ମିଲିଲିଟର୍‌ ବୋତଲ ପାଇଁ ୯୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କରୀନା କପୁର ଖାନଙ୍କ ପ୍ରିୟ ଅତର ହେଉଛି ‘ଜାଁ ପଲ୍ ଗାଉଲଟାୟାର୍ କ୍ଲାସିକ୍’ ଯାହାର ମୂଲ୍ୟ ୮୨୦୦ ଟଙ୍କା। ଏଥିରେ ଅଦା, ଅରେଞ୍ଜ ବ୍ଲସମ୍‌ ଓ ଭାନିଲାର ମିଶ୍ରିତ ବାସ୍ନା ସନ୍ନିହିତ। ଐଶ୍ବର୍ଯ୍ୟା ରାୟ ବଚ୍ଚନ ‘କ୍ଲିନିକ୍ ହ୍ୟାପି’ ନାମକ ଅତର ଲଗାଇବାକୁ ଭଲପାଆନ୍ତି। ଏହାର ମୂଲ୍ୟ ୭୫୦୦ ଟଙ୍କାରୁ ଆରମ୍ଭ।

ସମ୍ବନ୍ଧିତ ଖବର