୫ମ ରାଜ୍ୟ ଟେଲି ପୁରସ୍କାର : ‘ସିନ୍ଦୂର ବିନ୍ଦୁ’ ଶ୍ରେଷ୍ଠ ଧାରାବାହିକ

ଶ୍ରେଷ୍ଠ ଅଭିନେତା ଚୌଧୁରୀ ସତ୍ୟବ୍ରତ, ଶ୍ୱେତାଲିନା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର : ଆଜି ୫ମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷିତ ହୋଇଛି। ଓଡ଼ିଆ ଭାଷାରେ ଉନ୍ନତ ବୈଷୟିକ ମାନର, ମୂଲ୍ୟବୋଧ ଭିତ୍ତିକ ଓ ସାମାଜିକ ପ୍ରାସଙ୍ଗିକତା ବିଷୟବସ୍ତୁ ଉପରେ ଆଧାରିତ ଧାରାବାହିକ ଏହି କ୍ରମରେ ବିଚାରକୁ ନିଆଯାଇଥିଲା। ଧାରାବାହିକ ଓ ଟେଲିଫିଲ୍ମ ହୋଇ ମୋଟ୍‌ ୯ଟି ବିଚାର ପ୍ରକ୍ରିୟାକୁ ଆସିଥିବା ବେଳେ ବାଜି ମାରି ନେଇଛି ଜି ସାର୍ଥକରେ ପ୍ରସାରିତ ‘ସିନ୍ଦୂରବିନ୍ଦୁ’। ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ‘ସିନ୍ଦୂରବିନ୍ଦୁ’ ମନୋନୀତ ହୋଇଥିବା ବେଳେ ପୁରସ୍କାର ସ୍ୱରୂପ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଧିତ କରାଯିବ। ତେବେ ବିଡ଼ମ୍ବନା ହେଉଛି ଏଥର କୌଣସି ନିର୍ଦେଶକ ଶ୍ରେଷ୍ଠ ନିର୍ଦେଶକ ସମ୍ମାନ ପାଇ ପାରିନାହାନ୍ତି। ସମ୍ପୂର୍ଣ୍ଣ ଧାରାବାହିକକୁ କପି କରି ଟିକିନିଖି ଉତାରୁଥିବାରୁ ଏଥିରେ ନିର୍ଦେଶକଙ୍କର ନିଜସ୍ୱ ସୃଜନଶୀଳତା ରହୁନି କି ଓଡ଼ିଆ ବାସ୍ନା ରହୁନାହିଁ। ତେଣୁ ଶ୍ରେଷ୍ଠ ନିର୍ଦେଶକ ସମ୍ମାନ ପ୍ରଦାନ କରାଯାଇନାହିଁ ବୋଲି ଟେଲି ଧାରାବାହିକର ଜୁରି କମିଟି ସୂଚନା ଦେଇଛନ୍ତି।

‘ସିନ୍ଦୂରବିନ୍ଦୁ’ର ଚୌଧୁରୀ ସତ୍ୟବ୍ରତ ଦାଶଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଥିବା ବେଳେ ‘ଏସିପି ନିକିତା’ର ଶ୍ୱେତାଲିନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି। ସେହିପରି ସିନ୍ଦୂରବିନ୍ଦୁର ହୃଦାନନ୍ଦ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଚରିତ୍ର ଅଭିନେତା, ‘କିଏ’ର ପ୍ରିୟଦର୍ଶିନୀ ବଡ଼ଜେନାଙ୍କୁ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ, ‘କିଏ’ର ଋଷି ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଖଳନାୟକ, ‘ଏସିପି ନିକିତା’ର ଯାଜ୍ଞସେନୀ ମହାପାତ୍ରଙ୍କୁ ଶ୍ରେଷ୍ଠ ଖଳନାୟିକା, ‘ଦେଖ୍‌ ଖବର ରଖ୍‌ ନଜର’ର ସତ୍ୟବ୍ରତ ପାଣିଗ୍ରାହୀ ଓ ସତ୍ୟରଂଜନ ମିଶ୍ରଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା, ‘ବଧୂ’ର ଆଦ୍ୟାଶା ଚୌଧୁରୀଙ୍କୁ ଶ୍ରେଷ୍ଠ ଶିଶୁ କଳାକାର, ‘ଦେଖ୍‌ ଖବର ରଖ୍‌ ନଜର’ର ଅୟସକାନ୍ତ ସ୍ୱାଇଁଙ୍କୁ ଶ୍ରେଷ୍ଠ ଚିତ୍ରନାଟ୍ୟ ଏବଂ ସତ୍ୟରଂଜନ ମିଶ୍ରଙ୍କୁ ଶ୍ରେଷ୍ଠ ସଂଳାପ ଲେଖକ, ‘ସିନ୍ଦୂରବିନ୍ଦୁ’ର କୌଶିକବ୍ରତ ମାଇତିଙ୍କୁ ଶ୍ରେଷ୍ଠ ଚିତ୍ରଗ୍ରହଣ ଏବଂ ଶୁଭାଶିଷ ମେକାପଙ୍କୁ ଶ୍ରେଷ୍ଠ ସମ୍ପାଦନା, ‘କିଏ’ର ଅରୁଣ ଦଣ୍ଡପାଟଙ୍କୁ ଶ୍ରେଷ୍ଠ ଶବ୍ଦ ଗ୍ରହଣ, ‘ଚଣ୍ଡାଳ’କୁ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ଏବଂ ଏହାର ପ୍ରଯୋଜନା ଓ ନିର୍ଦେଶନା ପାଇଁ ବିଶାଳ ପଟ୍ଟନାୟକ , ବତୀଘରକୁ ଶ୍ରେଷ୍ଠ ଆଦିବାସୀ ଭାଷା/ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ବର୍ଗରେ ପ୍ରଯୋଜକ ସଂବିତ ପଟ୍ଟନାୟକ ଓ ନିର୍ଦେଶକ ସଂଜୟ ପଟ୍ଟନାୟକଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ‘ତଅପୋଇ’ର ଚରିତ୍ର ଅଭିନେତ୍ରୀ ଧରିତ୍ରୀ ଖଣ୍ଡୁଆଳ ଏବଂ ‘ଚଣ୍ଡାଳ’ର ଅଭିନେତା ଏମ୍‌ଡି ବବ୍‌ଲୁଙ୍କୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରି କମିଟିରେ ବୃନ୍ଦାବନ ଜେନା, ଲାଲା ବୀରେନ୍‌ ରାୟ, ସୁସ୍ମିତା ବାଗ୍‌ଚି, ଡ.ସ୍ନେହପ୍ରଭା ସାମନ୍ତରାୟ ଏବଂ ଗୀତା ଦାଶ ପ୍ରମୁଖ ଟେଲି ପୁରସ୍କାର ଚୟନ କରିଥିଲେ।

ବିଚାରକୁ ନେଇ ପ୍ରଶ୍ନ ଉଠାଇଲେ ମହାଶ୍ୱେତା

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଚର୍ଚିତ ଓ ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ ୨୦୦୯ରେ ଜୟଦେବ ସମ୍ମାନ ଭଳି ମର୍ଯ୍ୟାଦାଜନକ ପୁରସ୍କାର ପାଇଥିବା ବେଳେ ଚଳିତ ବର୍ଷ ‘ଦେଲେ ଧରା କଥା ସରେ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ତେବେ ଏପରି ଚୟନରେ ସେ ସନ୍ତୋଷ ପ୍ରକାଶ କରିନାହାନ୍ତି। ତାଙ୍କ କହିବା ମୁତାବକ ତାଙ୍କ ଅଭିନେତ୍ରୀ ଜୀବନର ସବୁଠୁ ସ୍ମରଣୀୟ ଭୂମିକା ଥିଲା ‘ଚିନି’ ଚଳଚ୍ଚିତ୍ରରେ। ଏହା ମୋ’ର ମତ ନୁହେଁ, ବରଂ ଯେଉଁମାନେ ଏହି ଚଳଚ୍ଚିତ୍ରରେ ମୋ ଅଭିନୟ ଦେଖିଛନ୍ତି ସେମାନେ ଏହିଭଳି ମତ ଦେଇଛନ୍ତି। ‘ଚିନି’ରେ ଏକ ଶକ୍ତିଶାଳୀ ଚରିତ୍ରରେ ମୁଁ ମୋ’ର ଏହି ବିରଳ ଅଭିନୟ ଦେଖାଇବାର ସୁଯୋଗ ପାଇଥିଲି। ତେଣୁ ‘ଚିନି’ର ଚରିତ୍ର ପାଇଁ ପୁରସ୍କାର ନଦେଇ ତାଙ୍କୁ ‘ଦେଲେ ଧରା କଥା ସରେ’ ପାଇଁ କାହିଁକି ମନୋନୀତ କଲେ ବୋଲି ସେ ଜୁରିଙ୍କୁ ପ୍ରଶ୍ନ କରିଛନ୍ତି।

ରାଜାଙ୍କ ଘୋଷଣା ଭଳି ଖୁସି ଦେଉଛି: ସମରେଶ

ପୂର୍ବବର୍ଷ ‘ଇସ୍କ୍‌ ତୁ ହି ତୁ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ପୁରସ୍କୃତ ହୋଇଥିଲି। ତେଣୁ ଏ ବର୍ଷ ମୋ ପାଇଁ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇବା ପରେ ବହୁତ ଗର୍ବ ଅନୁଭବ ହେଉଛି। ତେବେ ଅନ୍ୟାନ୍ୟ ଅନୁଷ୍ଠାନ ଅପେକ୍ଷା ସରକାର ଏ ପୁରସ୍କାର ଦେଉଥିବାରୁ ବେଶି ଖୁସି ଲାଗୁଛି। ଆମେ ସାଧାରଣ ପ୍ରଜା ହୋଇଥିବା ବେଳେ ରାଜା ପୁରସ୍କାର ଘୋଷଣା କରିବା ବେଳେ ଯେମିତି ଅନୁଭବ ହୁଏ ସେମିତି ଲାଗୁଛି। ଏହି ସମ୍ମାନ ମତେ ଆଗାମୀ ଦିନରେ ଆହୁରି ଭଲ କାମ କରିବା ପାଇଁ ପ୍ରୋତ୍ସାହନ ଦେଇଛି।

ଏ ପୁରସ୍କାର ମନେ ରହିବ: ସୁବ୍ରତ ସ୍ୱାଇଁ

‘ଅଗସ୍ତ୍ୟ’ ସିନେମାରେ ‘ଧୀରେଧୀରେ ଭଲ ପାଇଗଲି…ଗୀତ ପାଇଁ ଶ୍ରେଷ୍ଠ ଗୀତିକାର ସମ୍ମାନ ପାାଇବାକୁ ମନୋନୀତ ହୋଇଥିବା ଗୀତିକାର ସୁବ୍ରତ ସ୍ୱାଇଁ ନିଜ ପ୍ରତିକ୍ରିୟାରେ ଏହି ପୁରସ୍କାର ସବୁବେଳେ ମନେ ରହିବ ବୋଲି କହିଛନ୍ତି। ‘ସମ୍ବାଦ’ରେ କେନ୍ଦୁଝର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଶ୍ରୀ ସ୍ୱାଇଁ ପୂର୍ବରୁ ମଲ୍‌କା ମଲ୍‌କା.. ଗୀତ ପାଇଁ ଫିଲ୍ମ ଫେୟାର ଆଓ୍ଵାର୍ଡ ପାଇଥିବା ବେଳେ ଚଳଚ୍ଚିତ୍ର ପ୍ରଯୋଜକ ସଂଘ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି। ସେହିପରି ‘ଚାଲ କରିବା ଠିଆ ପାଲା.., ରବା ରବା.., ଏମିତି ଏଇ ସମୟ, ଓରେ ପିୟା, ଯଦି ଏଇ ଜୀବନରେ..ଭଳି ଅନେକ ଲୋକପ୍ରିୟ ଗୀତ ସେ ରଚନା କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସଂଗୀତ ନିର୍ଦେଶକ ପ୍ରେମ୍‌ ଆନନ୍ଦ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର