ବଲିଉଡ୍ର ଆଗଧାଡ଼ିର ହୃଦ୍ସ୍ପନ୍ଦିକା କାଟ୍ରିନା କୈଫ୍ଙ୍କ ଚେହେରାର ସାମଞ୍ଜସ୍ୟ ରଖୁଥିବା ଅନ୍ୟତମ ହିନ୍ଦୀ ସିନେ ଅଭିନେତ୍ରୀ ଜରିନ୍ ଖାଁଙ୍କ ଅଭିନୟ ଜୀବନରେ ଲୋକପ୍ରିୟତାର ଜୁଆର ଭଟ୍ଟା ତାଙ୍କୁ ଅସ୍ଥିର କରି ରଖିଛି। ସଫଳତାର କୂଳ ଛୁଇଁବା ପାଇଁ ସଂଗୀତ ଆଲବମ୍ ଠାରୁ ଆରମ୍ଭ କରି ସିନେମାର ଉତ୍ତେଜକ ଗୀତ ସମେତ ବିଭିନ୍ନ ଭାଷାରେ ନିଜର ଦକ୍ଷତା ପରଷିବାକୁ ସେ ଚେଷ୍ଟା ଜାରି ରଖିଛନ୍ତି। ମୁମ୍ବାଇରେ ୧୯୮୭ ମେ’ ୧୪ରେ ଜନ୍ମିତା ଜରିନ୍ ବିଜ୍ଞାନରେ ଇଣ୍ଟରମିଡିଏଟ୍ ପଢ଼ିଛନ୍ତି। ସୁଭାଷ ଘାଇଙ୍କ ସିନେ ଶିକ୍ଷାନୁଷ୍ଠାନ ‘ହ୍ବିସ୍ଲିଂ ଉଡ୍ସ’ ବୁଲିଯାଇଥିବା ବେଳେ ସେଠାରେ ସୁଟିଂ ଚାଲିଥିବା ‘ଯୁବରାଜ’ ଫିଲ୍ମ ଦେଖି ସେ ସିନେ ଦୁନିଆ ପ୍ରତି ଆକର୍ଷିତ ହୋଇଥିଲେ। ଏହି ଅବସରରେ ସଲମାନ୍ ଖାଁ ଜରିନ୍ଙ୍କ ଆକର୍ଷଣୀୟ ଅଙ୍ଗ ସୌଷ୍ଠବରେ ମୁଗ୍ଧ ହୋଇ ତାଙ୍କୁ ‘ବୀର’ ସିନେମାର ରାଜକୁମାରୀ ଭୂମିକାରେ ଅଭିନୟ ପାଇଁ ପ୍ରଯୋଜକ ବନ୍ଧୁ ଅନୀଲ ଶର୍ମାଙ୍କୁ ପ୍ରବର୍ତ୍ତାଇଥିଲେ। ଏହା ପରେ ହିଁ ଜରିନ୍ଙ୍କ ବଲିଉଡ୍ ପ୍ରବେଶ ଘଟିଥିଲା। ୨୦୧୦ରେ ତାଙ୍କର ଏହି ପ୍ରଥମ ଫିଲ୍ମଟିକୁ ବ୍ୟାବସାୟିକ ସଫଳତା ମିଳିନଥିଲେ ହେଁ ଜରିନ୍ଙ୍କ ପ୍ରଦର୍ଶନକୁ ଦର୍ଶକ ଓ ସମୀକ୍ଷକମାନଙ୍କ ମିଶ୍ର ପ୍ରତିକ୍ରିୟା ମିଳିଥିଲା।
ଏହାପରେ ୨୦୧୧ରେ ‘ରେଡି’ ଫିଲ୍ମର ଉତ୍ତେଜକ ଗୀତ ‘କ୍ୟାରେକ୍ଟର ଢିଲା’ରେ ସଲମାନ୍ ଖାଁଙ୍କ ବିପକ୍ଷରେ ଜରିନ୍ଙ୍କ ନୃତ୍ୟାଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ୨୦୧୨ରେ ‘ହାଉସ୍ଫୁଲ୍-୨’ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉତ୍ତମ ରହିଥିଲା। ସେ ୨୦୧୩ରେ ତାମିଲ ଫିଲ୍ମ ‘ନାନ୍ ରାଜବାଗ ପୋଗିରେନ୍’ରେ ଏକ ଉତ୍ତେଜକ ନୃତ୍ୟରେ ଦେଖା ଦେଇଥିଲେ। ତେବେ ୨୦୧୪ରେ ତାଙ୍କୁ ପ୍ରଥମ କରି ମୁଖ୍ୟ ଚରିତ୍ର ମିଳିଥିଲା ପଞ୍ଜାବୀ ଫିଲ୍ମ ‘ଜାଠ୍ ଜେମ୍ସ ବଣ୍ଡ୍’ରେ। ନିରୀହ ପଞ୍ଜାବୀ ମହିଳା ‘ଲାଲି’ ଭୂମିକାରେ ତାଙ୍କ ଅବତୀର୍ଣ୍ଣକୁ ସମସ୍ତେ ପ୍ରଶଂସା କରିଥିଲେ ଏବଂ ସେଥିପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ପିଟିସି ପଞ୍ଜାବୀ ଫିଲ୍ମ ସମ୍ମାନ ମିଳିଥିଲା। ତାଙ୍କୁ ୨୦୧୬ରେ ପୁଣି ଏକ ଉତ୍ତେଜକ ଗୀତରେ ଅଭିନୟ କରିବାକୁ ପଡ଼ିଥିଲା ହିନ୍ଦୀ ଫିଲ୍ମ ‘ବୀରପ୍ପନ’ରେ। ସେହିପରି ୨୦୧୭ରେ ‘ଅକ୍ଷର-୨’ ଫିଲ୍ମର ସଂକ୍ଷିପ୍ତ ଭୂମିକା ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ତେବେ ୨୦୧୮ରେ ଭୌତିକ ଫିଲ୍ମ ‘୧୯୨୧’ରେ ସେ କିଛି ମାତ୍ରାରେ ଆଶ୍ବସ୍ତ ହୋଇଥିଲେ ଏବଂ ୨୦୧୯ରେ ତାମିଲ ସିନେମା ‘ଚାଣକ୍ୟ’ରେ ତାଙ୍କର ପ୍ରଥମ ପଦାର୍ପଣକୁ ମିଶ୍ର ପ୍ରତିକ୍ରିୟା ମିଳିଥିଲା। ତେବେ ଗତବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ସିନେମା ‘ହମ୍ ଭି ଅକେଲେ ତୁମ୍ ଭି ଅକେଲେ’ରେ ଏକ ଭିନ୍ନ ଚରିତ୍ରରେ ତାଙ୍କ ଅଭିନୟକୁ ଆଶାନୁରୂପ ଗ୍ରହଣୀୟତା ମିଳିଥିଲା। ଏ ଭିତରେ ‘ପ୍ୟାର ମାଙ୍ଗା ହୈ’, ‘ଦୋ ବାରି ଜାଠ’, ‘ଚାନ୍ ଚାନ୍’ ଓ ‘ଇଦ୍ ହୋ ଜାୟେଗି’ ଆଦି ସଂଗୀତ ଭିଡିଓ ମାଧ୍ୟମରେ ଜରିନ ନିଜକୁ କୌଣସିମତେ ପ୍ରସାଙ୍ଗିକ ରଖିବାକୁ ଚେଷ୍ଟା ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/zarina-khan.jpg)